ମା’କୁ ନିିସ୍ତୁକ ପିଟିଲା ପୁଅ: ହାତ ଭାଙ୍ଗିଲା, ବାପାକୁ ବି ଛାଡ଼ିଲାନି

ବଡ଼ବିଲ : ଯୋଉ ମା’ ଦଶମାସ ଦଶଦିନ ଗର୍ଭରେ ଧରି ଜନ୍ମଦେଇଥିଲା ସେହିମା’କୁ କାଠଫାଳିଆରେ ନିସ୍ତୁକ ମାଡ଼ ମାରି ହାତ ଭାଙ୍ଗି ଦେଇଛି। ପୁତ୍‌ ନାମକ ନର୍କରୁ ଉଦ୍ଧାର ପାଇଁ ଜନ୍ମ ହେଇଥିବା ଏହି ପୁଅ ବାପାଙ୍କୁ ବି ଛାଡ଼ି ନାହିଁ। ମାଡ଼ ମାରି ଖଣ୍ଡିଆଖାବରା କରି ଦେଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପୁଅକୁ ଥାନାକୁ ନେଇ ପଚରାଉଚରା କରୁଥିବା ବେଳେ ଆହତ ବାପ ଥାନାରେ ପହଞ୍ଚି ପୁଅକୁ ଛାଡ଼ି ଦେବାକୁ ଗୁହାରି କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବଡ଼ବିଲ୍‌ ଇନ୍ଦିରା କଲେନିରେ।

ଇନ୍ଦିରା କଲୋନିରେ ମାଟି ଟାଇଲ୍‌ ଛପର ଘରେ ରହୁଛନ୍ତି ସାଧୁ ମୁଣ୍ଡା, ପତ୍ନୀ ନନ୍ଦୀ ଓ ପୁଅ ପ୍ରଦୀପ। ଗତ ୨ ତାରିଖ ଅପରାହ୍ଣରେ କେହି ପଡ଼ୋଶୀ ସାଧୁଙ୍କ ଘରର କିଛି ଟାଇଲ୍‌ ଭାଙ୍ଗି ଦେଇଥିଲେ। ଏ ସମ୍ପର୍କରେ ଜାଣିପାରି ନଥିଲେ ସାଧୁ କିମ୍ବା ତାଙ୍କ ପତ୍ନୀ। କିଛି ସମୟ ପରେ ପୁଅ ପ୍ରଦୀପ ଘରେ ପହଞ୍ଚି କିଛି ଟାଇଲ୍‌ ଭାଙ୍ଗିଥିବା ଦେଖିବାକୁ ପାଇଥିଲେ। ଟାଇଲ୍‌ କେମିତି ଭାଙ୍ଗିଲା ବୋଲି ସେ ମା’ ନନ୍ଦୀଙ୍କୁ ପଚାରିଥିଲେ। ହେଲେ ଉତ୍ତର ଦେଇ ନପାଇବାରୁ ଉତ୍ତ୍ୟକ୍ତ ହୋଇ ପ୍ରଦୀପ ଏକ କାଠ ଫାଳିଆରେ ମାଆ ନନ୍ଦୀଙ୍କୁ ନିସ୍ତୁକ ପିଟିଥିଲା। ତାଙ୍କ ବାମହାତ ଭାଙ୍ଗି ଦେଇଥିଲା। ବାପା ସାଧୁଙ୍କୁ ମଧ୍ୟ ଛାଡ଼ି ନଥିଲା ପ୍ରଦୀପ। ତାଙ୍କୁ ମାଡ଼ମାରି ଶରୀରର ଅନେକ ସ୍ଥାନ ଫୁଲେଇ ଦେଇଥିଲା। ଉଭୟଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

ଅନ୍ୟପକ୍ଷେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ କରି ନଥିଲେ ସାଧୁ ଓ ନନ୍ଦୀ। ତଥାପି ଖବର ପାଇ ପ୍ରଦୀପକୁ ପୁଲିସ ଥାନାକୁ ଆଣି ପଚରା ଉଚୁରା କରୁଥିଲା। ହେଲେ ବାପା ସାଧୁଙ୍କର କିନ୍ତୁ ମନ ମାନିଲାନି। ପୁଅ ବିରୋଧରେ ଥାନାରେ ଏତଲା ଦେବା ପରିବର୍ତ୍ତେ ସେ ଥାନାକୁ ଯାଇ ପୁଲିସ ବାବୁଙ୍କୁ ନେହୁରା ହୋଇଥିଲେ। ଘରୋଇ କଥାରେ ପୁଅକୁ ଗିରଫ ନକରି ଛାଡ଼ିଦେବାକୁ କହିଥିଲେ। ଶେଷରେ ତାହା ହିଁ ହେଲା। ପୁଅକୁ ସାଙ୍ଗରେ ବାପା ସାଧୁ ଘରକୁ ଫେରିଥିଲେ।

ସମ୍ବନ୍ଧିତ ଖବର