କୁଳିଅଣା: ରାତିଅଧରେ ଫାର୍ସାରେ ହାଣି ବାପାଙ୍କ ମୁଣ୍ଡଗଣ୍ଡି ଅଲଗା କରିଦେଲା ପୁଅ। ଆଉ ଭୋର୍ ସମୟରେ କଟାମୁଣ୍ଡ ଧରି ଥାନାରେ ଆତ୍ମସମର୍ପଣ କଲା। ମୟୂରଭଞ୍ଜଜିଲ୍ଲା କୁଳିଅଣା ବ୍ଲକ୍ ଚାନ୍ଦୁଆ ଥାନା ଅଧୀନ ଚାନ୍ଦୁଆ ଗ୍ରାମର ଏହି ଘଟଣା ସାଧାରଣରେ ଆଲୋଡ଼ନ ସୃଷ୍ଟି କରିଛି। ମୃତକ ହେଲେ ଚାନ୍ଦୁଆ ଗ୍ରାମର ବାଇଧର ସିଂ (୭୦)। ମୃତକଙ୍କ ପତ୍ନୀ ବୁଧୁନିଙ୍କ ଅଭିଯୋଗ ଅନୁଯାୟୀ; ଗତକାଲି ବିଳମ୍ବିତ ରାତିରେ ହଠାତ୍ ସାନପୁଅ ଶମ୍ଭୁ (୪୦)ର ପାଟି ଶୁଣି ସେ ନିଦରୁ ଉଠିପଡ଼ିଲେ। ଦେଖିବା ବେଳକୁ ପୁଅ ରାଗରେ ଗର୍ଜନ କରୁଥିଲା ଓ ହାତରେ ଏକ ଫାର୍ସା ଧରି ସ୍ବାମୀ ବାଇଧରଙ୍କୁ ହତ୍ୟା କରିବ ବୋଲି ଧମକାଉଥିଲା। ଏହା ଦେଖି ସେ ପାଖ ପଡ଼ୋଶୀଙ୍କୁ ଡାକିବା ପାଇଁ ଘରୁ ବାହାରି ଯାଇଥିଲେ। ହେଲେ ସେମାନଙ୍କୁ ଧରି ପହଞ୍ଚିବା ବେଳକୁ ସ୍ବାମୀଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଇଥିଲା ପୁଅ। ଏହାଦେଖି ସମସ୍ତେ ଭୟରେ ଥରହର ହେଉଥିବା ବେଳେ ଏକ ହାଣ୍ଡିରେ କଟାମୁଣ୍ଡ ଧରି ଘରୁ ଫେରାର୍ ହୋଇଯାଇଥିଲା ଶମ୍ଭୁ। ସକାଳ ପ୍ରାୟ ୬ଟା ସମୟରେ କଟାମୁଣ୍ଡ ସହ ଚାନ୍ଦୁଆ ଥାନାରେ ଆତ୍ମସମର୍ପଣ କରିଥିଲା।
ଥାନା ଅଧିକାରୀ ମଧୁସୂଦନ ଦତ୍ତ ଅଭିଯୁକ୍ତକୁ ଅଟକ ରଖିବା ସହ ସାଇଣ୍ଟିଫିକ୍ ଟିମ୍ ନେଇ ଚାନ୍ଦୁଆ ଗାଁରେ ପହଞ୍ଚି ତଦନ୍ତ କରିଥିଲେ। ପରେ ବୁଧୁନିଙ୍କ ଅଭିଯୋଗ କ୍ରମେ ୨୯/୨୫ରେ ହତ୍ୟା ମାମଲା ରୁଜୁ କରି ଶମ୍ଭୁକୁ କୋର୍ଟ ଚାଲାଣ କରିଛି ପୁଲିସ। ହତ୍ୟାକାଣ୍ଡର ପ୍ରକୃତ କାରଣ ସ୍ପଷ୍ଟ ହୋଇନି। ତେବେ ଗତକାଲି ସନ୍ଧ୍ୟାରେ ଖଇନି ଖାଇବାକୁ ବାଇଧର ୧୦ ଟଙ୍କା ଦେଇନଥିଲେ ବୋଲି ଶମ୍ଭୁ ରାଗରେ ଏମିତି କରିଥିବା ଶୁଣିବାକୁ ମିଳୁଛି। ସେହିପରି ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ଶମ୍ଭୁ ଏଭଳି କାଣ୍ଡ ଭିଆଇଥିବା ନେଇ ବି ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/05/irT64Qt7AhjnD8KOuLeZ.jpg)