୧୪ ବର୍ଷ ପରେ ହଜିଲା ପୁଅର ଘରବାହୁଡ଼ା, ୫ ବର୍ଷ ତଳେ ସରିଥିଲା ଶୁଦ୍ଧିକ୍ରିୟା

ହିଞ୍ଜିଳିକାଟୁ: ବର୍ଷେ କି ଦୁଇବର୍ଷ ନୁହଁ, ଦୀର୍ଘ ୧୪ ବର୍ଷ ତଳେ ପୁଅ ନିଖୋଜ ହୋଇ ଯାଇଥିଲା। ୫ ବର୍ଷ ତଳେ ଖବର ମିଳିଲା, ଦୁର୍ଘଟଣାରେ ପୁଅର ମୃତ୍ୟୁ ହୋଇଛି। ଏହା ଜାଣିବା ପରେ ମର୍ମାହତ ପରିବାର ଲୋକେ ପୁରୀରେ ଶୁଦ୍ଧିକ୍ରିୟା ସଂପନ୍ନ କରିଥିଲେ। ତେ‌ବେ ବିଧିର ବିଧାନ ଭିନ୍ନ ଥିଲା। ସେହି ହଜିଲା ପୁଅ ଗତକାଲି ରାତିରେ ଘରକୁ ଫେରି ସଭିଙ୍କୁ ଚକିତ କରି ପକାଇଲା। ଆଉ ଦୀର୍ଘ ୧୪ ବର୍ଷ ପରେ ପୁଅକୁ ପାଇ ମା’ର ଖୁସି କହିଲେ ନସରେ। ଆଖି‌ରେ ଖୁସିର ଲୁହ, ଆଉ ଓଠରେ ହସ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସହର‌ରେ ଏଭଳି ଏକ ଘଟଣା ଆଜି ଚର୍ଚ୍ଚାର ବିଷୟ ପାଲଟିଛି। ଦୀର୍ଘ ୧୪ ବର୍ଷ ଧରି ନିଖୋଜ ଥିବା ଏବଂ ପରିବାର ‌ଲୋକଙ୍କ ପାଇଁ ମୃତ ପାଲଟି ଯାଇଥିବା ୧ ନମ୍ବର ୱାର୍ଡର ରାଉଳ ସାହିର ଅନିଲ ମୁନି (୨୯) ଗତକାଲି ରାତିରେ ଘରକୁ ଫେରିଛନ୍ତି। ଅନିଲଙ୍କୁ ପାଖରେ ପାଇ ପରିବାରରେ ଖୁସିର ଲହରି ଖେଳିଯାଇଛି। ପୁଅକୁ ଫେରି ପାଇବା ପରେ ମା ଉର୍ମିଳାଙ୍କ ଛାତି କୁଣ୍ଢେମୋଟ ହୋଇଛି।

ସୂଚନାନୁସାରେ, ପ୍ରାୟ ୧୪ ବର୍ଷ ତଳେ ଅର୍ଥାତ୍ ୨୦୦୫ ମସିହାରେ ସ୍ବର୍ଗତ ଲକ୍ଷ୍ମଣ ମୁନିଙ୍କ ମଝିଆ ପୁଅ ଅନିଲ ଘରୁ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ତାଙ୍କୁ ବହୁ ଖୋଜାଖୋଜି କରି ବି ଠାବ କରି ପାରି ନଥିଲେ। ଏହା ମଧ୍ୟରେ ୫ ବର୍ଷ ତଳେ ଦୁଇଜଣ ବ୍ୟକ୍ତି ହଠାତ୍ ଘରକୁ ଆସି ଏକ ଟ୍ରେନ ଦୁର୍ଘଟଣାରେ ଅନିଲଙ୍କ ମୃତ୍ୟୁ ହୋଇଥିବା ଖବର ଦେଇଥିଲେ। ଅନିଲଙ୍କ ଶବ ନ ଦେଖି ପରିବାର ଲୋକେ ପୁରୀରେ ତାଙ୍କ ଶୁଦ୍ଧିକ୍ରିୟା ସାରିଥିଲେ। ଗତକାଲି ରାତି ୧୦ଟାରେ ହଠାତ୍ ଅନିଲ ଘରେ ପହଞ୍ଚିଯାଇଥି‌ଲେ। ମା’ ଉର୍ମିଳା ପ୍ରଥମ ଦେଖାରେ ହିଁ ପୁଅକୁ ଚିହ୍ନିବା ସହ ଖୁସିରେ କୁଣ୍ଢାଇ ଧରି କାନ୍ଦି ପକାଇଥିଲେ। ଅନିଲଙ୍କ ଆଖି ବି ଲୁହରେ ଭିଜି ଯାଇଥିଲା। ଅନିଲ ଦିଲ୍ଲୀରେ ରହି ଏକ ଘରୋଇ କମ୍ପାନିରେ କାମ କରୁଥିଲେ। ଜଣେ ଟିଟିଙ୍କ ସହାୟତାରେ ସେ ବ୍ରହ୍ମପୁର ଯାଏ ଟ୍ରେନରେ ଆସିବା ପରେ ଘରକୁ ଫେରିଥିବା ଜଣାପଡ଼ିଛି। ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର