ଭଞ୍ଜନଗର: କାର୍ ଦୁର୍ଘଟଣାରେ ଗୁରୁତର ହେବା ପରେ ଦୀର୍ଘ ଅଢ଼େଇ ବର୍ଷ ଧରି ଜୀବନଯୁଦ୍ଧରେ ଲଢ଼ି ହାରିଯାଇଛନ୍ତି ଭଞ୍ଜନଗର ଭେଜିପୁଟର ବାସିନ୍ଦା ତଥା କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସଂସଦ ସଭାପତି ଅମିତ୍ କୁମାର ନାୟକ (୩୩)। ଗତ ୧୫ ତାରିଖରେ ମାଆ କସ୍ତୁରୀ ନାୟକଙ୍କ ମୃତ୍ୟୁର ଠିକ୍ ୬ ଦିନ ପରେ ଅମିତ୍ ଗତକାଲି ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଏହି ଘଟଣା ଭଞ୍ଜନଗର ସହରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
୨୦୨୧ ମସିହା ଫେବ୍ରୁଆରି ୨୮ ତାରିଖରେ ଅମିତ୍ ତାଙ୍କ ବନ୍ଧୁ ଭୋଳାନାଥଙ୍କ ସହ କାର୍ରେ ଫେରୁଥିବା ସମୟରେ ବନ ବିହାର ସମ୍ମୁଖରେ ଏକ ଟ୍ରଲର୍ ଧକ୍କା ଦେବାରୁ ଉଭୟ ଗୁରୁତର ହୋଇଥିଲେ। କିଛିଦିନ ପରେ ଭୋଳାନାଥ ସୁସ୍ଥ ହୋଇଥିବା ବେଳେ କଟକ ବଡ଼ଡାକ୍ତରଖାନାରେ ଅମିତ୍ଙ୍କ ଚିକିତ୍ସା ଜାରି ରହିଥିଲା। କିନ୍ତୁ ସେ କୋମାକୁ ପଳାଇଥିଲେ। ଅମିତଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ବନ୍ଧୁ ଓ ଶୁଭେଚ୍ଛୁମାନେ ପ୍ରାର୍ଥନା କରିଆସୁଥିଲେ। ଏହାସହ ଅନେକ ବ୍ୟକ୍ତି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସ୍ବାସ୍ଥ୍ୟ ଅବସ୍ଥାରେ ଉନ୍ନତି ନଆସିବାରୁ ଅମିତ୍ଙ୍କୁ ଘରକୁ ଆଣି ଚିକିତ୍ସା ଜାରି ରହିଥିଲା।
ତେବେ ଏହି ଘଡ଼ିସନ୍ଧି ସମୟରେ ବଡ଼ପୁଅର ଏଭଳି ଅବସ୍ଥା ଦେଖି ମାଆ କସ୍ତୁରୀ ଚିନ୍ତିତ ହୋଇପଡ଼ିଥିଲେ। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ବିଗିଡ଼ିବାରେ ଲାଗିଥିଲା। ଗତ ୧୫ ତାରିଖରେ କସ୍ତୁରୀ ପରଲୋକ ଗମନ କରିଥିଲେ। ଆଉ ଏହାର ୬ ଦିନ ପରେ ତଥା ଗତକାଲି ସନ୍ଧ୍ୟାରେ ଅମିତ୍ ଆଖି ବୁଜିଦେଇଥିଲେ। ଏହି ଖବର ପ୍ରଚାର ହେବା କ୍ଷଣି ଶୋକର ଛାୟା ଖେଳିଯାଇଥିଲା। ଅମିତ୍ଙ୍କୁ ଶେଷ ଦର୍ଶନ କରିବାକୁ ଡାକ୍ତରଖାନାରେ ପ୍ରବଳ ଭିଡ଼ ଜମିଥିବା ବେଳେ ଶତାଧିକ ବ୍ୟକ୍ତି ଶବାଧାରରେ ସାମିଲ ହୋଇଥିଲେ।
କିନ୍ତୁ ଅମିତ୍ଙ୍କ ମୃତ୍ୟୁ ପରେ ତାଙ୍କ ସାନଭାଇ ଓ ବାପାଙ୍କ ଉପରେ ଯେମିତି ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। କାରଣ ବଡ଼ପୁଅ ଭାବେ ଅମିତ୍ଙ୍କ ମୁଣ୍ଡରେ ଅନେକ ଗୁରୁ ଦାୟିତ୍ବ ରହିଥିଲା। ଦୁର୍ଘଟଣା ପୂର୍ବରୁ ସେ ବନ ବିଭାଗର ଓଏଫ୍ଡିସିରେ ଜଗନ୍ନାଥପ୍ରସାଦ ରେଞ୍ଜରେ କାର୍ଯ୍ୟରତ ଥିଲେ। ସେହିପରି ୨୦୧୦-୧୧ରେ ଭଞ୍ଜନଗର କବିସମ୍ରାଟ ଉପେନ୍ଦ୍ରଭଞ୍ଜ ମହାବିଦ୍ୟାଳୟରେ ଛାତ୍ର ସଂସଦ ଭାବେ ଦାୟିତ୍ବ ତୁଲାଇଥିଲେ। ବାଣିଜ୍ୟ ପାଠ୍ୟକ୍ରମରେ ଭଲ ଛାତ୍ର ଥିଲେ। କିନ୍ତୁ ହଠାତ୍ ଏକ କାର୍ ଦୁର୍ଘଟଣା ତାଙ୍କ ଜୀବନରେ ଏକ ଦୁଃଖଦ ପରିବର୍ତ୍ତନ ଆଣିଦେଲା। ଅଢ଼େଇବର୍ଷ କାଳ ଜୀବନଯୁଦ୍ଧରେ ଲଢ଼ିବା ପରେ ଅମିତ୍ ସବୁଦିନ ପାଇଁ ଆଖି ବୁଜିଦେଲେ।