ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ରାଞ୍ଚି-ବିଜୟୱାର୍ଡା ରାସ୍ତା ବାଘବର ପତ୍ରଫଡ଼ି ଠାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ କୋଇଲା ବୋଝେଇ ଟ୍ରକ୍ ଏକ ବାଇକ୍ ଉପରେ ଚାପି ଦେଇଛି। ଦୁର୍ଘଟଣାରେ ବାଇକରେ ବସିଥିବା ବିଏସି ନର୍ସିଂ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବାପା ଆହାତ ହୋଇଛନ୍ତି। ଏହି ଦୁର୍ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। କ୍ଷତି ପୂରଣ ଦାବିରେ ସ୍ଥାନୀୟ ଉତ୍ତ୍ୟକ୍ତ ଜନସାଧାରଣ ରାସ୍ତାରୋକ କରିଛନ୍ତି।

Advertisment

ସୂଚନା ଅନୁସାରେ ବାଇକ ଚାଳକ ବାଘବର ପଞ୍ଚାୟତ ଅନ୍ତର୍ଗତ ଆମ୍ବଖୋଳ ଗ୍ରାମର ଭାଗ୍ୟରଥି ପ୍ରଧାନ (୫୦) ପୁଅ ମୁକେଶ ପ୍ରଧାନ (୧୯) ନିଜ ବାଇକ୍ (ଗାଡ଼ି ନଂ -ଓଡି-୧୯ଏଫ-୭୪୯୬) ଯୋଗେ ବାଘବର ମାର୍କେଟକୁ କିଣାକିଣି ପାଇଁ ଯାଇଥିଲେ। ସକାଳ ୧୦ଟା ୩୦ରେ ଘରକୁ ଫେରିବା ବେଳେ ଦେବଗଡ଼ ପଟୁ କରଲଗା ଆଡ଼କୁ ଯାଉଥିବା ଏକ କୋଇଲା ବୋଝେଇ ଟ୍ରକ୍ ଚାପି ଦେଇଥିଲା। ଭାଗ୍ୟରଥି ଛିଟିକି ପଡ଼ି ସାମାନ୍ୟ ଆହତ ହୋଇଥିବା ବେଳେ ମୁକେଶ ଚକ ତଳେ ଚାପି ହୋଇଥିଲା। ସଙ୍ଗେସଙ୍ଗେ ସ୍ଥାନୀୟ ଜନସାଧାରଣ ଏକ ଉଭୟଙ୍କୁ ଉଦ୍ଧାର କରି ଏକ କାର୍ ଯୋଗେ ଛେଣ୍ଡିପଦା ମେଡିକାଲକୁ ନେଇଥିଲେ। ଡାକ୍ତର ମୁକେଶଙ୍କୁ ମୃତ ଘୋଷଣା କରିଥିବା ବେଳେ ପିତା ଭାଗ୍ୟରଥି ଚିକିତ୍ସିତ ହେଉଛନ୍ତି।

ମୁକେଶ ଅନୁଗୁଳରେ ନର୍ସିଂ ପାଠ ପଢୁଥିଲେ। ଖରା ଛୁଟିରେ ଘରକୁ ଆସିଥିଲେ। ଉକ୍ତ ଅଞ୍ଚଳରେ ସ୍ଥାନୀୟ ଜନସାଧାରଣ ଉତ୍ୟକ୍ତ ହୋଇ କ୍ଷତିପୂରଣ ପାଇଁ ରାସ୍ତାରୋକ କରିଛନ୍ତି। ଦୁର୍ଘଟଣା ଘଟାଇ ଟ୍ରକ୍ ଚାଳକ ନିକଟରେ ଥିବା ଖଇରପାଲି ଫାଣ୍ଡିରେ ଗାଡ଼ିକୁ ରଖି ନିଜକୁ ସମର୍ପଣ କରିଛି। ଖବର ପାଇ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।