ନୀଳଗିରି: ବ‌ାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଧୀନ ପୁରୁଣାଗାଁରେ ଗ୍ୟାସ୍‌ ଟାଙ୍କି ଫାଟି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ମାଟିରେ ମିସିଲା ଘର ଓ ଗ୍ରୋସରି ଦୋକାନ। ଗୋଟିଏ ମୁହୂର୍ତ୍ତ ପାଇଁ ଭୂମିକମ୍ପ ଅନୁଭବ କଲେ ଆଖପାଖ ଲୋକେ।

Advertisment

ସୂଚନା ମୁତାବକ ଉକ୍ତ ଗ୍ରାମର ହରିହର ବେହେରାଙ୍କ ଘରକୁ ଲାଗି ନିଜର ଏକ ଗ୍ରୋସରି ଦୋକାନ ରହିଛି, ଯେଉଁଥିରେ ସିଏ ବାଣ ବ୍ୟବସାୟ ମଧ୍ୟ କରିଥାଆନ୍ତି। ଯେହେତୁ ଆଗକୁ ଦୁର୍ଗାପୂଜା, ରାବଣ ପୋଡି ଓ ଦୀପାବଳି ରହିଛି, ପୁରୁଣା ବାଣଗୁଡ଼ିକୁ ବାହାରେ ଆଣି ଶୁଖାଇଥିଲେ। ସେହି ସମୟରେ ଘରେ ସ୍ତ୍ରୀ ସୁକାନ୍ତି ବେହେରା ଘରେ ଗ୍ୟାସ ସହାୟତାରେ ରୋଷେଇ କାର୍ଯ୍ୟ କରୁଥିଲେ। ହେଲେ ହଠାତ କୌଣସି କାରଣ ବସତଃ ଗ୍ୟାସ୍‌ ଲିକ କରି ଗ୍ୟାସରେ ନିଆଁ ଲାଗିଥିଲା। ପୁଅ ଭାଗବତ ବେହେରା ମା’ ଡାକ ଛାଡିଥିଲେ ଯେ ପୁଅ କଣ ହେଲା ଦେଖିବୁ ଆସେ ପୁଅ ଆସି ଦେଖିଲା ବେଳକୁ ଘର ସାରା ଗ୍ୟାସ ଖେଳିଯାଇ ପାଖ ଗ୍ରୋସରି ଘରେ ନିଆଁ ଲାଗିଥିଲା। ଫଳରେ ସେଠାରେ ଥିବା ବାଣ ଗୁଡିକ ଫୁଟିବାକୁ ଲାଗିଥିଲା।

publive-image

ପୁଅ ମାଙ୍କୁ ଘର ବାହାରକୁ ପେଲି ଦେଇ ବଞ୍ଚାଇବାକୁ ଚେଷ୍ଟା କରିଥିଲା। ହେଲେ ହଠାତ ଗ୍ୟାସ ଟାଙ୍କିଟି ଫାଟିବା ଫଳରେ ପାଖରେ ଥିବା ନିଜର ଗ୍ରୋସରି ଓ ଘର ୧୦ ଫୁଟ ଉପରକୁ ଉଠି ମାଟିରେ ମିଶିଯାଇଥିଲା। ଫଳରେ ଭାଗବତଙ୍କ ଘରର କାନ୍ଥ ତଳେ ଚାପିହୋଇ ରହିଥିଲେ ତାଙ୍କର ସମ୍ପୂର୍ଣ୍ଣ ଶରୀର ପୋଡିଯିବା ସହିତ ଦୁଇଗୋଡ ଓ ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ମା’ ଓ ବାପା ମଧ୍ୟ ଗୁରୁତର ଆହତ ହୋଇଥିଲେ। ଭୟଙ୍କର ଶବ୍ଦ ଶୁଣି ସ୍ଥାନୀୟ ଲୋକେ ଦୌଡି ଆସି ସମସ୍ତଙ୍କୁ ଉଦ୍ଧାର କରି ୧୦୮ ଯୋଗେ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ହେଲେ ଓଟିକୁ ଯିବା ପୂର୍ବରୁ ପୁଅ ଭାଗବତଙ୍କ ମୃତ୍ୟୁ ହୋଇଥିବା ବେଳେ ବାପା ହରିହର ଓ ମା ସୁକାନ୍ତି ଗୁରୁତର ଅବସ୍ଥାରେ ଏବେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଘରର ଦିସ୍ତା ଉଡ଼ିଯାଇ ଗଛରେ ଲାଗିଥିବା ବେଳେ ଘରର କବାଟ ୨୦ ଫୁଟ ଦୂରରେ ପଡିଛି। ଖବର ପାଇ ରେମୁଣା ଅଗ୍ନିଶମ ବିଭାଗ ପହଁଛି ନିଆଁ କୁ ଆୟତ୍ତ କରିଥିବା ବେଳେ ନୀଳଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲାଗିବାର ମୁଖ୍ୟ କାରଣ କଣ ତଦନ୍ତ କରିଛି ।