ପୁଅର ଶେଷ ଦର୍ଶନ କରିପାରିଲେନି ବାପାମାଆ, ଏକମାତ୍ର ଝିଅ ବି ସଂକ୍ରମିତ

ବୁଗୁଡ଼ା : ଏକମାତ୍ର ଜନ୍ମ କଲା ଭେଣ୍ଡିଆ ପୁଅକୁ ଛଡ଼ାଇ ନେଲା କରୋନା ମହାମାରୀ। ଆଉ ମୃତ୍ୟୁ ପରେ ବି ପୁଅର ଶେଷ ଦର୍ଶନ ପାଇ ପାରିଲେନି ବାପାମାଆ। କେବଳ ଫଟୋକୁ ଛାତିରେ ଧରି ବାହୁନି ବାହୁନି କାନ୍ଦିବା ଛଡ଼ା ଆଉ କିଛି ଉପାୟ ନଥିଲା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ୍ ଅଧୀନ ଗୋଲିଆ ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। ଏକମାତ୍ର ପୁଅକୁ ହରାଇ ସଂପୂର୍ଣ୍ଣ ଭାବେ ଦୁଃଖରେ ଭାଙ୍ଗିପଡ଼ିଛନ୍ତି ଗୋଲିଆ ଗ୍ରାମର ବୃଦ୍ଧ ଦମ୍ପତି ପ୍ରକାଶ ଚନ୍ଦ୍ର ପଣ୍ଡା ଓ ବାଳାମଣି ପଣ୍ଡା।

ପ୍ରକାଶ ଓ ବାଳାମଣି ସରକାରୀ ଚାକିରିରୁ ଅବସର ନେଇ ଗ୍ରାମରେ ରହୁଥିଲେ। ଏକମାତ୍ର ଝିଅ ବାହା ହୋଇ ଝାଡ଼ଖଣ୍ଡରେ ରହୁଥିବା ବେଳେ ପୁଅ ଚିନ୍ମୟ (୩୧) ଭୁବନେଶ୍ବରର ଏକ ଘରୋଇ ସଂସ୍କାରେ ଚାକିରି କରୁଥିଲେ। ଗତବର୍ଷ କରୋନା ମହାମାରୀର ପ୍ରାଦୁର୍ଭାବ ଯୋଗୁଁ ଚିନ୍ମୟ ଘରକୁ ଆସିଥିଲେ। ଆଉ ପୁଣି ଉଚ୍ଚଶିକ୍ଷା ପାଇଁ ୫ ମାସ ତଳେ ଭୁବନେଶ୍ବର ପଳାଇଥିଲେ। ସେଠାରେ ‌ସେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଗତ ୨୬ ତାରିଖରେ ସ୍ବାବ୍ ନମୁନା ପରୀକ୍ଷା କରିଥିଲେ। ପଜିଟିଭ୍ ଚିହ୍ନଟ ହେବା ପରେ ୨୭ ତାରିଖରେ ଏମ୍ସ୍ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖି ଚିକିତ୍ସା ଜାରି ରହିଥିଲା। ଗତକାଲ ବିଳମ୍ବିତ ରାତିରେ ଚିନ୍ମୟଙ୍କ ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁ ଖବର ଶୁଣି ପ୍ରକାଶ ଓ ବାଳାମଣି ପୂରାପୂରି ଭାଙ୍ଗି ପଡ଼ିଥିଲେ। କିନ୍ତୁ ପୁଅର ଶେଷ ଦର୍ଶନ ବି କରିପାରି ନଥିଲେ। ତା’ର ଫଟୋକୁ ଦେଖି ଝୁରି ଝୁରି କାନ୍ଦୁଥିବାର ଦୃଶ୍ୟ ଅତ୍ୟନ୍ତ ହୃଦୟବିଦାରକ ଥିଲା। ସେପଟେ ଝାଡ଼ଖଣ୍ଡରେ ଥିବା ଏକମାତ୍ର ଝିଅ ବି କରୋନାରେ ସଂକ୍ରମିତ ହୋଇଛି। ଭୁବନେଶ୍ବରରେ ରହୁଥିବା ଦାଦା ଓ ମାମୁ ଚିନ୍ମୟଙ୍କ ଶବ ସଂସ୍କାର କରିଥିଲେ।

ସମ୍ବନ୍ଧିତ ଖବର