୧୨ ଘଣ୍ଟା ପଡ଼ି ରହିଲା ଶବ, ଭୟରେ ଗଲେନି ସାହିପଡ଼ିଶା
ପ୍ରଶାସନ ଓ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଅନ୍ତିମ ସଂସ୍କାର
ଖୁଣ୍ଟା : ମୟୂରଭଞ୍ଜ ଜିଲ୍ଲାର ଖୁଣ୍ଟା ବ୍ଲକ୍ ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। କରୋନାରେ ବାପାଙ୍କ ମୃତ୍ୟୁର ଠିକ୍ ଦୁଇଦିନ ପରେ ପୁଅର ମୃତ୍ୟୁ ଘଟିଛି। ତେବେ ପୁଅ କରୋନା ମରିଥିବା ସନ୍ଦେହରେ ସାହିପଡ଼ିଶା ପାଖ ନମାଡ଼ିବାରୁ ମୃତ୍ୟୁର ୧୨ ଘଣ୍ଟା ଯାଏ ସଂସ୍କାର ନହୋଇ ଘରେ ପଡ଼ିରହିଲା ମୃତଦେହ। ଶେଷରେ ବ୍ଲକ୍ ପ୍ରଶାସନ ଓ କିଛି ସ୍ବେଚ୍ଛାସେବୀଙ୍କ ସହଯୋଗରେ ମୃତକଙ୍କ ଭାଇ ଓ ପୁତୁରାମାନେ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଛନ୍ତି।
ଖୁଣ୍ଟା ବ୍ଲକ୍ ଭୋଳାଗଡ଼ିଆ ଗାଁ ପାତ୍ର ସାହିର ପଦ୍ମଲୋଚନ ପାତ୍ର(୭୦) ସପ୍ତାହେ ତଳେ ଅସୁସ୍ଥ ଅନୁଭବ କରିବାରୁ ଖୁଣ୍ଟା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥିଲେ। ସେଠାରେ ତାଙ୍କ ସ୍ବାବ୍ ସଂଗ୍ରହ କରାଯାଇଥିବାବେଳେ ସେ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ କୋଭିଡ ହସ୍ପିଟାଲ ଯିବାକୁ ଡାକ୍ତରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ତେବେ ପଦ୍ମଲୋଚନ ଏଥିରେ ଅରାଜି ହେବାରୁ ପ୍ରଶାସନ ପୁଲିସର ସହାୟତା ଲୋଡ଼ିଥିଲା ଏବଂ ଗତ ଶୁକୁବାର ଦିନ ତାଙ୍କୁ ବାଙ୍କିଶୋଳ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ପରଦିନ ତାଙ୍କର ମୃତ୍ୟୁ ଘଟିଥିଲା। ପ୍ରଶାସନ ପକ୍ଷରୁ ସେଠାରେ ତାଙ୍କର ଶେଷକୃତ୍ୟ କରାଯାଇଥିଲା। ପଦ୍ମଲୋଚନଙ୍କ ମୃତ୍ୟୁର ୨ଦିନ ପରେ ଗତ ମଙ୍ଗଳବାର ମଧ୍ୟରାତ୍ରିରେ ଘରେ ଥିବା ସାନପୁଅ ଅନ୍ତର୍ଯ୍ୟାମୀ ଓରଫ ବୁଲୁ(୨୮)ଙ୍କ ମୃତ୍ୟୁ ଘଟିଥିଲା। ଏହା ଜଣାପଡ଼ିବା ପରେ ସାହିପଡ଼ିଶା ଓ ସମ୍ପର୍କୀୟ କେହି ତାଙ୍କ ଦୁଆର ମାଡ଼ିନଥିଲେ କି ଅନ୍ତିମ ସଂସ୍କାର ପାଇଁ ଆଗଭର ହୋଇନଥିଲେ। ଫଳରେ ଦୀର୍ଘ ୧୨ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ଶବ ପଡିରହିଥିଲା।
ଗ୍ରାମବାସୀଙ୍କ କହିବା ମୁତାବକ ବୁଲୁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥିବା ବେଳେ କିଛି ଦିନ ପୂର୍ବେ ଘରକୁ ଫେରିଥିଲେ। ଫେରିବା ପରଠାରୁ ଅସୁସ୍ଥ ଥିଲେ। ଏହାପରେ ତାଙ୍କ ବାପା କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବାରୁ ଗ୍ରାମବାସୀ ଭୟଭୀତ ହୋଇପଡିଥିଲେ। ଶବ ସଂସ୍କାର ହୋଇ ନପାରିବାରୁ ସେମାନେ ବ୍ଲକ୍ ପ୍ରଶାସନକୁ ଅବଗତ କରିଥିଲେ।
ପ୍ରଶାସନର ନିର୍ଦ୍ଦେଶକ୍ରମେ ସରପଞ୍ଚ ସାବୀତ୍ର ହେମ୍ବ୍ରମ ଓ ସ୍ବେଚ୍ଛାସେବୀ ସର୍ଦ୍ଦାର ହେମ୍ବ୍ରମ ବୁଲୁଙ୍କ ପରିବାରକୁ ପିପିଇ କିଟ୍ ଯୋଗାଇ ଦେଇଥିଲେ। ପରେ ବୁଲୁଙ୍କ ଭାଇ ଓ ପୁତୁରାମାନେ ପିପିଇ କିଟ୍ ପିନ୍ଧି ଶବକୁ ମଶାଣି ନେଇ ପୋତା ଦେଇଥିଲେ। ଏହି ଘଟଣା ପରେ ଡୁକୁରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ମୃତକଙ୍କ ଘରେ ପହଞ୍ଚି ଘରର ଅନ୍ୟ ସଦସ୍ୟଙ୍କ ସ୍ବାବ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି।
ସୂଚନାଯୋଗ୍ୟ; କରୋନାର ଦ୍ବିତୀୟ ଲହରରେ ଖୁଣ୍ଟା ବ୍ଲକ୍ରୁ ୧୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କର ମୃତ୍ୟୁ ଘଟିଛି।