ବାପାଙ୍କ ଶୁଦ୍ଧକ୍ରିୟା ଦିନ ଆଖି ବୁଜିଲେ ପୁଅ

ହରଭଙ୍ଗା : ବାପାଙ୍କ ମୃତ୍ୟୁର ମାତ୍ର ୨ ଦିନ ପରେ ଆଖି ବୁଜିଲେ ମୁଖାଗ୍ନି ଦେଇଥିବା ପୁଅ। ଏଭଳି ଏକ ଦୁଃଖଦ ଘଟଣା ଘଟିଥିଲା ଗୁରୁବାର ଡୁଙ୍ଗୁରିପାଲି ବ୍ଲକ୍‌ ଏସ୍. ରାମପୁରରେ। ତେବେ ଘଟଣାର ଚର୍ଚ୍ଚା ନ ଥମୁଣୁ ପୁଣି ଅନୁରୂପ ଏକ ଘଟଣା ସାମ୍‌ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍‌ରୁ। ବ୍ଲକ୍‌ରେ ଶିକ୍ଷକ ଭାବେ କାର୍ଯ୍ୟରତ ପ୍ରମୋଦ ସାହୁ (୫୨)ଙ୍କ ଆକସ୍ମିକ ମୃତ୍ୟୁ ତାହା ବି ତାଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ଦିନ ବ୍ଲକ୍‌ର ଶିକ୍ଷକ ମହଲରେ ଶୋକର ଛାୟା ଖେଳାଇ ଦେଇଛି। ପ୍ରାପ୍ତ ସୂଚନାନୁସାରେ ପ୍ରମୋଦ ତାଙ୍କ ବାପାଙ୍କ ଦେହାନ୍ତ ଖବର ପାଇ ନୟାଗଡ଼ ଜିଲ୍ଲା ଦଶପଲ୍ଲା ସ୍ଥିତ ନିଜ ଘରକୁ ଯାଇଥିଲେ। ତେବେ ଶୁକ୍ରବାର ବାପାଙ୍କ ଶୁଦ୍ଧିକ୍ରିୟା ଚାଲିଥିବା ବେଳେ ପ୍ରମୋଦ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଦଶପଲ୍ଲା ଡାକ୍ତରଖାନାକୁ ନେଇଥିଲେ ହେଁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସୂଚନାଯୋଗ୍ୟ ପ୍ରମୋଦ ୨୫ ବର୍ଷ ଧରି ହରଭଙ୍ଗା ବ୍ଲକ୍‌ର ବିଭିନ୍ନ ସ୍କୁଲ୍‌ରେ ଶିକ୍ଷକତା କରି ଆସିଥିଲେ। ପରଲୋକ ବେଳକୁ ସେ କରଞ୍ଜକଟା ପ୍ରାଥମିକ ସ୍କୁଲ୍‌ରେ କାର୍ଯ୍ୟରତ ଥିଲେ। ଘଟଣାଟି ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି। ତାଙ୍କ ପତ୍ନୀଙ୍କ ସମେତ ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

ସମ୍ବନ୍ଧିତ ଖବର