ଖୋର୍ଦ୍ଧା: ହାତୀ ଆକ୍ରମଣରେ ଖୋର୍ଦ୍ଧା ସଦର ବ୍ଲକ୍ ମହତ୍ପଲ୍ଲା ଗାଁରେ ଆଜି ଜଣେ ଦିବ୍ୟାଙ୍ଗଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମୃତକ ହେଉଛନ୍ତି ଗାଁର ସୁରେନ୍ଦ୍ର ମାର୍ଥାଙ୍କ ଦିବ୍ୟାଙ୍ଗ ପୁତ୍ର ସତ୍ୟରଞ୍ଜନ ମାର୍ଥା (୧୯)। ଅନ୍ୟପକ୍ଷରେ ପୁଅକୁ ବଞ୍ଚାଇବାକୁ ଯାଇ ମାଆ ସୁଲୋଚନା ମାର୍ଥା ସଂକଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି।
ସୋମବାର ଭୋର୍ ସମୟରେ ସୁଲୋଚନା ଏବଂ ତାଙ୍କ ଦିବ୍ୟାଙ୍ଗ ପୁଅ ସତ୍ୟରଞ୍ଜନ ବାରିପଟକୁ ଶୌଚ ହେବାକୁ ଯାଇଥିବା ବେଳେ ସେଠାରେ ଏକ ଦନ୍ତା ମୁହଁରେ ପଡ଼ିଥିଲେ। ସତ୍ୟରଞ୍ଜନଙ୍କୁ ଦନ୍ତା ଶୁଣ୍ଢରେ ଟେକି କଚାଡ଼ି ଦେଇଥିଲା। ପୁଅକୁ ହାତୀ ମୁହଁରୁ ବଞ୍ଚାଇବାକୁ ଯାଇ ମା’ ସୁଲୋଚନା ମଧ୍ୟ ହାତୀ ଆକ୍ରମଣରେ ଗୁରୁତର ହୋଇଥିଲେ। ଉଭୟ ମା’ପୁଅଙ୍କୁ ଗାଁ ଲୋକେ ଉଦ୍ଧାର କରି ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ପୁଅ ସତ୍ୟରଞ୍ଜନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମା’ ସୁଲୋଚନାଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ପ୍ରକାଶଥାଉକି, ସ୍ଥାନୀୟ ଅଣ୍ଡା ବାଜପୁର ଅଞ୍ଚଳରେ ୨୧ଟି ହାତୀ ଘୂରି ବୁଲୁଛନ୍ତି। ହାତୀପଲ ଗତକାଲି ରାତିରେ ଧଉଳିମୁହଁ, ବାଘଟାଙ୍ଗୀ ହୋଇ ମହତ୍ପଲ୍ଲା ଗାଁ ଆଡ଼କୁ ଆସିଥିଲେ। ହାତୀପଲଙ୍କ ଉପସ୍ଥିତି ସମ୍ପର୍କରେ ବନ ବିଭାଗ ଗ୍ରାମବାସୀଙ୍କୁ ସଚେତନ କରିନଥିବା ଅଭିଯୋଗ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/01/21/L7YTtBIlIQwABkieXQRV.jpg)