କେନ୍ଦୁଝର : ମା’କୁ ହତ୍ୟା ଉଦ୍ୟମ କରି ଲହୁଲୁହାଣ କରିଥିବା ପୁଅକୁ ୭ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ମୁଖ୍ୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ରଞ୍ଜୁଲତା ଲେଙ୍କା ଏହି ମାମଲାର ବିଚାର କରି ଦୋଷୀକୁ ଏହି ଦଣ୍ଡାଦେଶ ଦେଇଛନ୍ତି। ଏଥିସହ ଦୋଷୀକୁ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନାଦାୟ ଆଉ ଅଧିକ ବର୍ଷେ ଜେଲ‌୍‌।

Advertisment

୨୦୨୨ ଏପ୍ରିଲ ୨୨ ତାରିଖ ସନ୍ଧ୍ୟାରେ ପାଟଣା ଥାନା ଶଙ୍ଖେଶ୍ବର ଗ୍ରାମର ପୁରନ୍ଦର ତନ୍ତୀ ତାଙ୍କ ମା’ କନକଲତା ତନ୍ତୀ (୬୦)ଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ବଚସା ହୋଇଥିଲା। ପୁରନ୍ଦର ଉତ୍ତ୍ୟକ୍ତ ହୋଇ ମା’ଙ୍କୁ ଏକ ଲୁହାପାଇପ୍‌ରେ ଆକ୍ରମଣ କରିବା ସହ ମାଡ଼ ମାରିଥିଲା। ଫଳରେ ମା’ କନକଲତାଙ୍କ ହାତ, ଅଣ୍ଟା ଓ ଗୋଡ଼ରେ ଶକ୍ତ ଆଘାତ ଲାଗିଥିଲା। ଖବର ପାଇ କନକଙ୍କ ସାନଭାଇ ବୁଦ୍ଧୁରାମ ବେହେରା ପହଞ୍ଚି ତାଙ୍କୁ ଉଦ୍ଧାର କରି କରଞ୍ଜିଆ ଡାକ୍ତରଖାନା ନେଇଥିଲେ। ଏନେଇ ସେ ପାଟଣା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ପୁରନ୍ଦରଙ୍କୁ ଏପ୍ରିଲ ୨୩ ତାରିଖରେ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ୭ଜଣ ସାକ୍ଷୀ ଓ ପୁଲିସର ତଦନ୍ତ ରିପୋର୍ଟକୁ ଆଧାର କୋର୍ଟ ପୁରନ୍ଦରଙ୍କୁ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରୀ ଓକିଲ ଅଶୋକ ଦାସ ମାମଲା ପରିଚାଳନା କରୁଥିଲେ।