ଯାତ୍ରା ଦେଖିବାକୁ ଆସି ବ୍ରହ୍ମପୁରରେ ଫସିଥିବା କରନର ଆକୁଳ ନିବେଦନ : ‘ବାପା ତମେ ଫେରି ଆସ’

ବ୍ରହ୍ମପୁର(ଜ୍ଞାନଚାନ୍ଦ ଜଗନ୍ନାଥ): ‘ମୀନାବଜାର ଦେଖିବି ବୋଲି ବାପାଙ୍କ ସାଥିରେ ଟିଟିଲାଗଡ଼ରୁ ବ୍ରହ୍ମପୁର ଆସିଥିଲି। କାରଣ ବାପା ଏଥିରେ କାମ କରନ୍ତି। ମେଳା ପ୍ରସ୍ତୁତି ସାରି ବାପା ମୋତେ ଏଠି ଛାଡ଼ି ଟିଟିଲାଗଡ଼ ଗଲେ। ହେଲେ ଆଉ ଫେରିନାହାନ୍ତି। ପ୍ରବଳ ଖରାରେ ତମ୍ବୁ ଭିତରେ ରହୁଛି। ବାପାଙ୍କ ସାଙ୍ଗମାନେ ଯାହା ଦେଉଛନ୍ତି ସେତିକି ଖାଇ ରହୁଛି। ବାପାଙ୍କ ବିନା ସବୁ ଫିକା ଲାଗୁଛି। ମନଟା ଭଲ ଲାଗୁନି। ଏବେ ବାପାଙ୍କ ବାଟକୁ ଚାହିଁ ବସିଛି। ବାପା ତମେ ଫେରି ଆସ। ଏଭଳି କୋହଭରା ନିବେଦନ ହେଉଛି, ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ୍ କୁମୁଡ଼ା ଗ୍ରାମର ୧୨ ବର୍ଷର ନାବାଳକ କରନ ପଟେଲ୍‌ର। ବାପାଙ୍କ ସହ ମୀନାବଜାର ଦେଖିବ ବୋଲି ଆସି ଦୀର୍ଘ ୨୫ ଦିନ ହେଲା ସେ ଏମିତି ଫସି ରହିଛି। ଗତ ମାସ ପ୍ରଥମ ସପ୍ତାହରେ ଏକ ଗ୍ରୁପ୍ ମୀନାବଜାର ପକାଇବାକୁ ବ୍ରହ୍ମପୁର ରାମଲିଙ୍ଗେଶ୍ବର ମନ୍ଦିର ନିକଟରେ ଥିବା ଏସ୍‌ଏସ୍‌ଭିଟି ପଡ଼ିଆକୁ ଆସିଥିଲେ। ଏଥିରେ ଓଡ଼ିଶା ସମେତ ବିହାର ଓ ଅନ୍ୟ ରାଜ୍ୟର କିଛି ସଦସ୍ୟ ରହିଛନ୍ତି। କୁମୁଡ଼ା ଗ୍ରାମର କରନ୍ ମଧ୍ୟ ତାର ବାପା ଶଙ୍କର ପଟେଲ୍‌ଙ୍କ ସହ ଆସିଥିଲା। ଶଙ୍କର ଏହି ସଂସ୍ଥାରେ ଜଣେ ସଦସ୍ୟ ଭାବେ କାମ କରୁଛନ୍ତି। ସେଥିରୁ ମିଳୁଥିବା ଟଙ୍କାରେ ତାଙ୍କର ୬ ସନ୍ତାନଙ୍କ ଭରଣପୋଷଣ କରୁଛନ୍ତି। ପତ୍ନୀ ଆରପାରିରେ, ତେଣୁ ସେ ହିଁ ବାପା, ସେ ହିଁ ମା’।

clip art

ଗତମାସରେ ଟିଟିଲାଗଡ଼ଠାରେ ମୀନାବଜାର ଚାଲିଥିବା ବେ‌ଳେ ଚଳିତମାସ ବ୍ରହ୍ମପୁରଠାରେ ଏହା ମେଳା ଚାଲୁ ହେବାର ଥିଲା। ଏଥିପାଇଁ ମାର୍ଚ୍ଚ ମାସ ପ୍ରଥମ ସପ୍ତାହରୁ ଶଙ୍କର ବ୍ରହ୍ମପୁରକୁ ଆସିଥିଲେ। ବ୍ରହ୍ମପୁରଠାରେ ମେଳା ଦେଖିବା ପାଇଁ କରନ ଜିଦ୍ କରି ବାପାଙ୍କ ସହିତ ବ୍ରହ୍ମପୁର ଆସିଥିଲା। ଶଙ୍କର ତାଙ୍କ ସହଯୋଗୀଙ୍କ ସହ ମିଶି ରାମଦୋଳି, ବ୍ରେକ ‌ଡ୍ୟାନ୍ସ, ଡ୍ରାଗନ୍ ଓ ଅକ୍ଟୋପସ୍ ଭଳି ବିଭିନ୍ନ ଖେଳର ସାମଗ୍ରୀକୁ ସଜାଡ଼ି ଥିଲେ। ପଡ଼ିଆରେ ପାଲରେ ତିଆରୁ ତମ୍ବୁ ଘରେ ରହୁଥିଲେ। ତେବ‌େ ହଠାତ୍ ଗତମାସ ୧୪ ତାରିଖରେ ଶଙ୍କର କୌଣସି କାମରେ ତାଙ୍କ ଗାଁକୁ ବାହାରିଯାଇଥିଲେ। ପୁଅ କରନକୁ ସହଯୋଗୀଙ୍କ ପାଖରେ ରଖି ପଳାଇଥିଲେ। କାମ ସାରି ଫେରିବେ ବୋଲି ଶଙ୍କର କହିଥିଲେ। କିନ୍ତୁ ହଠାତ୍ କରୋନା କଟକଣା ଯୋଗୁଁ ମୀନାବଜାର ବନ୍ଦ ହୋଇଯିବା ସହ ପରେ ଜନତା କର୍ଫ୍ୟୁ ଓ ଲକ୍‌ଡାଉନ୍ ଲାଗୁ ହୋଇଯାଇଥିଲା। ଯାତ୍ରୀବାହୀ ଗାଡ଼ି ଓ ଟ୍ରେନ୍ ଚଳାଚଳ ବନ୍ଦ ହୋଇଯାଇଥିବାରୁ ଶଙ୍କର ଆଉ ବ୍ରହ୍ମପୁରକୁ ଆସିପାରୁନାହାନ୍ତି। ଆଉ କରନ ବ୍ରହ୍ମପୁରରରେ ଏକୁଟିଆ ସହଯୋଗୀଙ୍କ ପାଖରେ ରହୁଛି। ବେପାର ହେଉ ନଥିବା ବେଳେ ସେମାନେ କଷ୍ଟରେ ଯାହା ରୋଷେଇ କରୁଛନ୍ତି ସେଥିରୁ କରନ ଖାଉଛି। କିନ୍ତୁ ବାପାଙ୍କ ଫେରିବା ବାଟକୁ ସେ ଚାହିଁ ବସିଛି ବୋଲି ଲୁହ ଛଳଛଳ ଆଖିରେ କରନ କହିଛି।

ସମ୍ବନ୍ଧିତ ଖବର