ବୁଗୁଡ଼ା : ମାତ୍ର ୬ ମାସ ତଳେ ବାହାଘର ସରିଥିଲା। ହେଲେ ଘର ଜ୍ବାଇଁ ହେବାକୁ ନହେଲେ, ନିଜ ଘରୁ ଜନ୍ମକଲା ମାଆକୁ ତଡ଼ି ଝିଅକୁ ନେବା ଲାଗି ଶ୍ବଶୁର ବାରମ୍ବାର ଚାପ ପକାଉଥିଲେ। ଫଳରେ ଧର୍ମସଙ୍କଟ ମଧ୍ୟରେ ରହି ମାନସିକସ୍ତରରେ ଭାଙ୍ଗିପଡ଼ି ଜ୍ବାଇଁ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଲେ। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ସହର ବୁଦ୍ଧଖୋଲ ରୋଡ଼୍‌ରେ ଏଭଳି ଏକ ଘଟଣା ଶୋକାକୁଳ ପରିବେଶ ସୃଷ୍ଟି କରିଛି। ମୃତକଜଣକ ହେଲେ, ବୁଗୁଡ଼ା ବ୍ଲକ୍ ଛକରେ ମୋବାଇଲ୍ ମରାମତି ଦୋକାନ କରିଥିବା ପୂର୍ଣ୍ଣଚନ୍ଦ୍ର ହୋତାଙ୍କ ବଡ଼ପୁଅ ଦେବୀପ୍ରସାଦ ହୋତା (୨୮)। ଆଜି ସକା‌ଳେ ଦେବୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି।

Advertisment

ସୂଚନାନୁସ‌ାରେ, ଗତ ଜୁନ୍ ୨୬ ତାରିଖରେ ଦେବୀପ୍ରସାଦ ବୁଗୁଡ଼ା ସନ୍ତୋଷୀମନ୍ଦିର ସାହିର ଦିଲ୍ଲୀପ କୁମାର ଦେବତାଙ୍କ ଏକମାତ୍ର ଝିଅ ଫାଲ୍‌ଗୁନିଙ୍କୁ ବିବାହ କରିଥିଲେ। ତେବେ ବାହାଘର ପରଠୁ ଘର ଜ୍ବାଇଁ ହୋଇ ରହିବାକୁ ଦେବୀଙ୍କ ଉପରେ ଶ୍ବଶୁର ଦିଲ୍ଲୀପ ବାରମ୍ବାର ଚାପ ପକାଉଥିଲେ। ଦେବୀ ତାଙ୍କ କଥା ନଶୁଣିବାରୁ ଗତମାସ ଦୁଇ ତାରିଖରେ ଝିଅକୁ ନିଜ ଘରକୁ ନେଇଯାଇଥିଲେ। ବାରମ୍ବାର କହିବା ସତ୍ତ୍ବେ ଝିଅକୁ ଛାଡ଼ୁ ନଥିଲେ। ଏଥିପାଇଁ ମୃତ ଦେବୀଙ୍କ ବାପା ପୂର୍ଣ୍ଣଚନ୍ଦ୍ର ବହୁବାର ଦିଲ୍ଲୀପଙ୍କୁ ନିବେଦନ କରିଥିଲେ। ତଥାପି ଦିଲ୍ଲୀପ ଜିଦ୍‌ରେ ଅଟଳ ରହୁଥିଲେ। ଆଉ ପତ୍ନୀ ତଥା ଦେବୀଙ୍କ ମାଆକୁ ଘରୁ ତଡ଼ିଲେ ହିଁ ଝିଅକୁ ଛାଡ଼ିବେ ବୋଲି ଦିଲ୍ଲୀପ ସର୍ତ୍ତ ରଖିଥିଲେ।
ଫଳରେ ଏଭଳି ପରିସ୍ଥିତିରେ ଦେବୀ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ। ଗତକାଲି ରାତିରେ ଦେବୀ ବାପା ପୂର୍ଣ୍ଣଚନ୍ଦ୍ରକୁ ମନଖୁସିରେ ଡାକି ଏକାଠି ଖାଇବା ବୋଲି କହିଥିଲେ। ଖାଇସାରିବା ପରେ ଦେବୀ ଉପର ମହଲାରେ ଶୋଇବାକୁ ଯାଇଥିଲେ। ତେବ‌େ ଆଜି ସକାଳ ୧୦ଟା ପର୍ଯ୍ୟନ୍ତ ସେ କବାଟ ନଖୋଲିବାରୁ ପୂର୍ଣ୍ଣଚନ୍ଦ୍ର ବ୍ୟସ୍ତବିବ୍ରତ ହୋଇ ଉଠିଥିଲେ। କବାଟ ପିଟିଲେ ବି କିଛି ଉତ୍ତର ମିଳି ନଥିଲା। ଏହାସହ ଦେବୀଙ୍କ ମୋବାଇଲ୍ ମଧ୍ୟ ସ୍ବିଚ୍ ଅଫ୍ ହୋଇଯାଇଥିଲା। ଶେଷରେ କବାଟ ଭାଙ୍ଗିବା ପରେ ପଙ୍ଖାରୁ ଦେବୀଙ୍କ ଝୁଲନ୍ତା ଶବ ମିଳିଥିଲା। ବୁଗୁଡ଼ା ଥାନା ଏସ୍‌ଆଇ ଶର୍ମିଷ୍ଠା ପ୍ରଧାନ ଓ ସମୀର ସେଠୀ ଟିମ୍ ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ଶବକୁ ଜବତ କରାଯିବା ସହ କେସ୍ ନମ୍ବର ୩୧/୨୨ ଅନୁସାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ପୁଅର ମୃତ୍ୟୁ ପାଇଁ ଶ୍ବଶୁର ଦିଲ୍ଲୀପ ହିଁ ଦାୟୀ ବୋଲି ପୂର୍ଣ୍ଣଚନ୍ଦ୍ର ଅଭିଯୋଗ ଆଣିଛନ୍ତି। କଡ଼ା କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।