ଶ୍ବଶୁର ଘର ଗାଁରେ ଜ୍ବାଇଁଙ୍କ  ମୃତ୍ୟୁ, ଫୋନରେ କଥା ହୋଇହୋଇ ଛୁଇଁଦେଲେ ବିଦ୍ୟୁତ୍‌ ତାର

ଢେଙ୍କିକୋଟ: ଘଟଗାଁ ବ୍ଲକ ମନୋହରପୁର ଗ୍ରାମର ବାସିନ୍ଦା ତଥା ଟ୍ରକ୍ ମାଲିକ ନିରଞ୍ଜନ ବାରିକ (୪୭) ଶ୍ଵଶୁରଘର ପାଲଲହଡ଼ା ଥାନା ଶ୍ୟାମସୁନ୍ଦରପୁର ଗ୍ରାମକୁ ଯାଇଥିବା ବେଳେ ସେଠାରେ ବିଦ୍ୟୁତ୍‌ ଆଘାତରେ ତାଙ୍କର ମୃତ୍ୟୁ ଘଟିଛି। ନିରଞ୍ଜନ ପତ୍ନୀ ସହ ଶ୍ବଶୁରଘର ଶ୍ୟାମସୁନ୍ଦରପୁର ଯାଇଥିଲେ। ଆଜି ସକାଳୁ ଶଶୁରଘର ଗାଁ ଦାଣ୍ଡରେ ମୋବାଇଲରେ କଥା ହୋଇ ଯାଉଥିବା ସମୟରେ ଅନ୍ୟମନସ୍କ ହୋଇ ଏକ ବିଦ୍ୟୁତ୍ ଖୁଣ୍ଟର ଷ୍ଟେ ତାରକୁ ଧରି ଦେଇଥିଲେ। ସେଥିରେ ବିଦ୍ୟୁତ୍‌ ଚାର୍ଜ ହୋଇଯାଇଥିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଏ ସମ୍ପର୍କରେ ତାଙ୍କ ଶାଳକ ଦେବାର୍ଚନ ପଲେଇ ପାଲଲହଡ଼ା ଥାନାକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଶବ ଉଦ୍ଧାର କରି କେନ୍ଦୁଝରରେ ବ୍ୟବଚ୍ଛେଦ କରାଇବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଆଜି ସନ୍ଧ୍ୟାରେ ମରଶରୀର ମନୋହରପୁରରେ ପହଞ୍ଚିବା ପରେ ଘସିପୁରା ବ୍ଲକ୍‌ର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ର, ଜିଲ୍ଲା ଟ୍ରକ୍ ମାଲିକ ସଂଘ ସଭାପତି ରମାକାନ୍ତ ନାୟକ, ସମ୍ପାଦକ ସୂର୍ଯ୍ୟନାରାୟଣ କର, ଜିଲ୍ଲାପରିଷଦ ସଦସ୍ୟ ରଣଜିତ୍ ନାୟକ, ମନୋହରପୁର ସରପଞ୍ଚ ଦୁଃଶାସନ ନାୟକ, ଢେଙ୍କିକୋଟ ଇବି ସଦସ୍ୟ ବିଜୟ କୁମାର ସାହୁ, ଶରତ କୁମାର ସାହୁ, ଯୁବ ବିଜେଡି ନେତା ଏସକେ ଇମରାନ୍, ସିକନ ପାଢ଼ୀ, ବିକ୍ରମ ଜେନା, ମହେଶ୍ୱର ସାହୁ, ବିଜୟ ପାଲ, ଦିଗାମ୍ୱର ନାୟକ ପ୍ରମୁଖ ତାଙ୍କ ଶେଷଦର୍ଶନ କରି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।

ସମ୍ବନ୍ଧିତ ଖବର