ନାତିକୁ ପଢ଼ୁଆଁ କରିବାକୁ ଆସିଥିଲେ ଶ୍ବଶୁର, ଦାଆରେ ବେକ କାଟିଦେଲେ ଜ୍ବାଇଁ ଓ ତାଙ୍କ ବଡ଼ଭାଇ

ବେତନଟୀ/ବୈଶିଙ୍ଗା/ହାତୀଝୁରି: ସୋମବାର ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଘଟିଛି ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ। ପ୍ରଥମାଷ୍ଟମୀ ପାଇଁ ନାତିକୁ ପଢ଼ୁଆଁ କରିବାକୁ ନୂଆ ପୋଷାକ ନେଇ ଜ୍ବାଇଁ ଘରକୁ ଆସିଥିଲେ ଶ୍ବଶୁର। ହେଲେ ନରହନ୍ତା ସାଜିଲା ନୃଶଂସ ଜ୍ବାଇଁ। ବଡ଼ଭାଇ ସହ ମିଶି ଶ୍ବଶୁରଙ୍କ ଦୁଇ ହାତକୁ ପଛରୁ ବାନ୍ଧି ପକାଇ ଜ୍ବାଇଁ ଏକ ଧାରୁଆ ଦାଆରେ ଗଳାକାଟି ହତ୍ୟା କଲା। ହତ୍ୟାକାଣ୍ଡ ପରେ ଦୁଇ ଭାଇ ଫେରାର ହୋଇ ଯାଇଥିଲେ। ‌

ବୈଶିଙ୍ଗା ଥାନା ଆଇଆଇସି ଲକ୍ଷ୍ମୀଧର ସ୍ବାଇଁ, ଏସ୍‌ଆଇ ଅନନ୍ତ ନାୟକ, ଏଏସ୍‌ଆଇ ସୁଶାନ୍ତ କୁମାର ମହାକୁଡ଼ଙ୍କ ନେତୃତ୍ବରେ ପୁଲିସର ୩ଟି ଟିମ୍‌ ପୃଥକ ସ୍ଥାନରେ ଚଢ଼ଉ କରି ଜାମୁନିଆ ଛକ ନିକଟରେ ହତ୍ୟାକାରୀ ଜ୍ବାଇଁ ରାଜୁ ସିଂକୁ ଧରିଥିଲେ। ତେବେ ଏହି ଘଟଣାର ଅନ୍ୟତମ ଅଭିଯୁକ୍ତ ବଡ଼ଭାଇ ଲବ ସିଂ ଫେରାର୍‌ ହୋଇଯାଇଛି।
ରଘୁପୁର ପଞ୍ଚାୟତ ଖୁଣ୍ଟାପୁର ଗ୍ରାମର ବଣ ସିଂଙ୍କ ପୁଅ ରାଜୁ ସିଂ (୩୬) ନିକଟସ୍ଥ କ୍ଷୀରପଦା ଗ୍ରାମର ରମେଶ ସିଂ (୫୫)ଙ୍କ ଝିଅ ସବିତା (୩୦)ଙ୍କୁ ବିବାହ କରିଥିଲେ। ଉଭୟଙ୍କର ୬ ଓ ୪ ବର୍ଷର ଦୁଇଟି ପୁଅ ଅଛନ୍ତି। ତେବେ କୌଣସି କାରଣରୁ ସ୍ବାମୀ, ସ୍ତ୍ରୀଙ୍କ ମଧ୍ୟରେ ମନାନ୍ତର ହେବାରୁ ସବିତା ବାପଘରକୁ ଆସି ରହୁଥିଲେ। ଏଥିସହ ଦୁଇ ସନ୍ତାନ ମଧ୍ୟରୁ ବଡ଼ପୁଅ ରାଜୁଙ୍କ ପାଖରେ ଓ ସାନପୁଅ ସବିତାଙ୍କ ସହିତ ଅଜା ଘରେ ରହୁଥିଲା। ଆସନ୍ତାକାଲି ପ୍ରଥମାଷ୍ଟମୀ ଥିବାରୁ ବଡ଼ନାତିକୁ ପଢ଼ୁଆଁ କରିବାକୁ ଆଜି ଅପରାହ୍ନରେ ଜ୍ବାଇଁ ଘରକୁ ଯାଇଥିଲେ ରମେଶ। ନାତିକୁ ଦେଖିବେ ଓ ଜ୍ବାଇଁକୁ ବୁଝାଶୁଝା କରିବେ ବୋଲି ଭାବିଥିଲେ। ହେଲେ ସେଠାରେ ପହଞ୍ଚିବା ପରେ କୌଣସି କଥାକୁ ଝଗଡ଼ା ହୋଇଥିଲା। ଏଥିରେ ଜ୍ବାଇଁ ରାଜୁ ହିତାହିତ ଜ୍ଞାନ ହରାଇ ବଡ଼ଭାଇ ଲବ ସିଂ (୪୦) ସହ ମିଶି ଶ୍ବଶୁର ରମେଶଙ୍କ ବେକ କାଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।
ପରେ ରମେଶଙ୍କ ଅନ୍ୟ ଜଣେ ଜ୍ବାଇଁ କଟ ସିଂ, ସ୍ଥାନୀୟ ଅଞ୍ଚଳର ବାପୁନୁ ବେହେରା, ଚନ୍ଦ୍ରହାସ୍ୟ ପାଣିଗ୍ରାହୀ, ବ୍ରଜ କୁମାର ଦାସ ପ୍ରମୁଖ ସେଠାରେ ପହଞ୍ଚି ପୁଲିସକୁ ଖବର ଦେଇଥିଲେ। ଅଭିଯୁକ୍ତ ରାଜୁକୁ ପୁଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଦାଆକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏ ନେଇ ବୈଶିଙ୍ଗା ଥାନାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର