ବୌଦ୍ଧ : ଶାଶୂଙ୍କୁ ପଥରରେ ଛେଚି ହତ୍ୟା କଲା ଜ୍ୱାଇଁ

ବୌଦ୍ଧ/ବାଉଁଶୁଣି : ସ୍ବାମୀ- ସ୍ତ୍ରୀ ଝଗଡ଼ାରେ ଉତ୍ତ୍ୟକ୍ତ ହୋଇ ବୃଦ୍ଧା ଶାଶୂଙ୍କୁ ପଥରରେ ଛେଚି ହତ୍ୟା କରିଛି ଜ୍ବାଇଁ। ଏଭଳି ଅଭାବନୀୟ ହତ୍ୟା ଘଟଣା ସୋମବାର ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ଅନ୍ତର୍ଗତ ଗଜରାଜପୁର ଗାଁରେ ଘଟିଛି। ବାଉଁଶୁଣି ପୁଲିସ୍‌ର ସୂଚନା ଅନୁସାରେ, ସୋମବାର ଅପରାହ୍ନ ୪ଟାରେ ତେନ୍ତେୁଲିପାଲି ଗାଁର ସାନୁଜ ଖଟୁଆ ନାମକ ବ୍ୟକ୍ତି ତାର ସ୍ତ୍ରୀ ସୂର୍ଯ୍ୟକାନ୍ତି ଖଟୁଆଙ୍କୁ ଆଣିବା ପାଇଁ ଶାଶୂଘର ଗଜରାଜପୁରକୁ ଯାଇଥିଲା। ସେଠାରେ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ପୁରୁଣା କଥାକୁ ନେଇ କଳହ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସାନୁଜ ସୂର୍ଯ୍ୟକାନ୍ତିଙ୍କୁ ମାରପିଟ କରିବା ସହ ଶାଶୂ ବେଟିଖାଇ ଖଟୁଆ(୬୩ ବର୍ଷ)ଙ୍କୁ ପଥରରେ ଛେଚି ହତ୍ୟା କରିଛି। ଏ ସଂକ୍ରାନ୍ତରେ ସୂର୍ଯ୍ୟକାନ୍ତି ବାଉଁଶୁଣି ଥାନାରେ ଏତଲା ଦେବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରିଛି। ଅଭିଯୁକ୍ତ ସାନୁଜକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚାଲିଛି ବୋଲି ଥାନାଅଧିକାରୀ ରାମ ସୁବ୍ରମଣ୍ୟମ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର