ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଉପ ନିବନ୍ଧକ କାର୍ଯ୍ୟାଳୟ ପରିସରରେ ସୋମବାର ମଧ୍ୟାହ୍ନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ପୈତୃକ ସମ୍ପତ୍ତି ଭାଗକୁ ନେଇ ରକ୍ତରଞ୍ଜିତ ପାଲଟିଲା ଅଫିସ କାର୍ଯ୍ୟାଳୟ। ସେ ପୁଣି ଉପ ନିବନ୍ଧକ କାର୍ଯ୍ୟାଳୟ ଅଧିକାରୀଙ୍କ ସାମ୍ନାରେ। ଗୁରୁତରମାନେ ହେଲେ ପାଟପୁର ଥାନା ପୋଡାମାରୀ ବଡ଼ବଜାର ସାହିର ପୂର୍ବତନ ସରପଞ୍ଚ ବି . ନାରାୟଣ ରାଓ (୬୪) , ସାନଖେମୁଣ୍ଡି ପୂର୍ବତନ ଉପାଧ୍ୟକ୍ଷା ବି . ଜ୍ୟୋତି (୫୮) , ଏମ୍ . ସାରଦା (୬୫) ବୋଲି ପ୍ରାଥମିକ ତଦନ୍ତରୁ ଖବର ମିଳିପାରିଛି ।
ଖବର ଅନୁଯାୟୀ, ସାନଖେମୁଣ୍ଡି ବ୍ଲକ ପୋଡାମାରୀ ଗ୍ରାମର ସ୍ବର୍ଗୀୟ ଜି . ମାର୍କଣ୍ଡଙ୍କ ଦୁଇ ଝିଅ ସାରଦା ଓ ଜ୍ୟୋତି ରହିଥିବା ବେଳେ ନାରାୟଣ ହେଉଛନ୍ତି ଜ୍ୟୋତିଙ୍କ ସ୍ବାମୀ ଏବଂ ଘରର ଜ୍ବାଇଁ । ଯେହେତୁ ସ୍ବର୍ଗତ ମାର୍କଣ୍ଡଙ୍କ ପିତାଙ୍କ ୭ ଭରଣ ଜମି ରହିଥିବା ବେଳେ ମାର୍କଣ୍ଡଙ୍କ ସାନଭାଇ ଜି . ଲଚ୍ଛମନ ରାଓଙ୍କ ଦୁଇପୁଅ ଜି . ଶଙ୍କର ରାଓ ଓ ଜି . ମୋହନ ରାଓ ଉକ୍ତ ସମ୍ପତ୍ତି ପାଇବା ପାଇଁ ପୂର୍ବରୁ ଦୁଇ ଭଉଣୀ ସହ ପାଟିତୁଣ୍ଡ କରିଥିଲେ । ଯାହାଫଳରେ ସେମାନେ ଜମି ରେଜିଷ୍ଟ୍ରେସନ ପରେ କଥା ହେବା ପାଇଁ ସାରଦା କହିଥିଲେ । ଏନେଇ ସୋମବାର ଦିନ ମାର୍କଣ୍ଡଙ୍କ ଦୁଇଝିଅ ଏବଂ ଜ୍ବାଇଁ ଜମି କିଣାବିକା ପାଇଁ ଦିଗପହଣ୍ଡି ସବ ରେଜିଷ୍ଟ୍ରାର ଅଫିସ କାର୍ଯ୍ୟାଳୟକୁ ଆସିଥିଲେ ।
ତେବେ କାର୍ଯ୍ୟାଳୟ ଅଧିକାରୀଙ୍କ ଉପସ୍ଥିତିରେ ଜମି ରେଜିଷ୍ଟ୍ରେସନ ଚାଲିଥିବା ବେଳେ ହଠାତ ମଧ୍ୟାହ୍ନ ୧୨ ଘଣ୍ଟା ସମୟରେ ସାରଦଙ୍କ ଦାଦାପୁଅ ଦୁଇଭାଇ ଶଙ୍କର ଓ ମୋହନ ଅଫିସ କାର୍ଯ୍ୟାଳୟ ଭିତରେ ଧଶେଇ ପଶି ଧାରୁଆ ଅସ୍ତ୍ର ସାହାଯ୍ୟରେ ଜ୍ବାଇଁ ନାରାୟଣ ସମେତ ସ୍ତ୍ରୀ ଜ୍ୟୋତି ଏବଂ ଦେଢ଼ଶାଶୁ ସାରଦାଙ୍କୁ ସମସ୍ତଙ୍କ ସମ୍ମୁଖରେ ମାରଣାତ୍ମକ ଆକ୍ରମଣ କରିବା ପରେ ଏକ ବାଇକ ଯୋଗେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହାପରେ କିଛି ଲୋକଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସ ଯୋଗେ ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଇଥିଲେ।
ଘଟଣାସ୍ଥଳରେ ଦିଗପହଣ୍ଡି ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସମସ୍ତଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡ଼ିଛି । ତେବେ କିଛି ସମୟ ପାଇଁ ଅଫିସ କାର୍ଯ୍ୟାଳୟ କର୍ମଚାରୀମାନେ ସ୍ତବ୍ଧ ପାଲଟି ଯାଇଥିଲେ ଏବଂ ଏଭଳି ଘଟଣାପରେ ମନରେ ଭୟ ଜାତ ହୋଇଥିବା କହିଛନ୍ତି ।
ପୈତୃକ ସମ୍ପତ୍ତିକୁ ନେଇ ରକ୍ତରଞ୍ଜିତ ହେଲା ଦିଗପହଣ୍ଡି ଉପନିବନ୍ଧକଙ୍କ କାର୍ଯ୍ୟଳୟ : ଜ୍ବାଇଁଙ୍କ ସମେତ ଦୁଇ ଭଉଣୀ ଗୁରୁତର
/sambad/media/post_attachments/wp-content/uploads/2021/04/hqdefault.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)