ପାଟଣାଗଡ଼/ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍‌ ଚାବିରିପାଲି ଗାଁରେ ବୁଧବାର ଶ୍ବଶୁର ଘର ଲୋକେ ଜ୍ବାଇଁ ରୁଦ୍ରମଣି ମେହେର (୩୨ବର୍ଷ)ଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ପରେ ଏକ ଜରିବସ୍ତାରେ ଶବ ଭର୍ତ୍ତି କରି ଭ୍ୟାନ୍‌ରେ ଫିଙ୍ଗିବାକୁ ନେଉଥିବା ବେଳେ‌ ଧରାପଡ଼ିଛନ୍ତି। ଏହି ମାମଲାରେ ମୃତ ରୁଦ୍ରମଣିଙ୍କ ଶ୍ବଶୁର ଉଦ୍ଧବ ମେହେର, ଶାଶୂ ବନଲତା ମେହେର, ପତ୍ନୀ ସରୋଜିନୀ ମେହେର, ଶଳା ସୁନୀଲ ମେହେର ଜେଲ୍‌ ଯାଇଛନ୍ତି। ଏହି ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

Advertisment

ପୁଲିସର ସୂଚନା ଅନୁସା‌ରେ ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ କଂସର ପଞ୍ଚାୟତ ଗଡ଼ଭାଟି ଗାଁର ରୁଦ୍ରମଣି ୨୦୧୩ରେ ଚାବିରିପାଲି ଗାଁର ଉଦ୍ଧବ ମେହେରଙ୍କ ଝିଅ ସରୋଜିନୀଙ୍କୁ ବାହା ହୋଇଥିଲେ। ଗତ ପ୍ରାୟ ୮ମାସ ହେଲା ରୁଦ୍ରମଣି ପରିବାର ସହ ଚାବିରିପାଲି ଗାଁସ୍ଥିତ ତାଙ୍କ ଶ୍ବଶୁର ଘରେ ରହୁଥିଲେ। ବୁଧବାର ୮ତାରିଖ ଦିନ ଶ୍ବଶୁର ଘର ଲୋକେ ପାଟଣାଗଡ଼କୁ ଏକ ବାହାଘର ଉତ୍ସବରେ ଯୋଗ ଦେବାକୁ ବାହାରିଥିଲେ। ଏହି ସମୟରେ ପରିବାର ମଧ୍ୟରେ ବଚସା ହୋଇଥିଲା। ଏହା କ୍ରମଶଃ ଉଗ୍ର ରୂପ ଧାରଣ କରିଥିଲା। ପରେ ଉତ୍‌କ୍ଷିପ୍ତ ହୋଇ ଶ୍ବଶୁର ଘର ଲୋକେ ରୁଦ୍ରମଣିଙ୍କୁ ବାଡ଼ିରେ ନିର୍ଧୁମ ପିଟିଥିଲେ। ଘଟଣାସ୍ଥଳରେ ରୁଦ୍ରମଣିଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣା ପରେ ମଧ୍ୟ ପରିବାର ଲୋକେ ପାଟଣାଗଡ଼କୁ ବାହାଘର ଉତ୍ସବରେ ଯୋଗ ଦେବା ପାଇଁ ଆସି ରାତିରେ ଫେରିଥିଲେ।

ରାତିରେ ଶ୍ବଶୁର ଘର ଲୋକେ ଏକ ଜରିବସ୍ତାରେ ମୃତଦେହ ଭର୍ତ୍ତି କରି ଏକ ଚାରିଚକିଆ ଗାଡ଼ି (ଓଡି ୦୩ ଏକ୍ସ ୭୦୦୬) ଯୋଗେ ନେଇ ଅନ୍ୟତ୍ର ନେଇ ଫିଙ୍ଗିବା ଉଦ୍ୟମ କରୁଥିଲେ। ମଧ୍ୟରାତ୍ରିରେ ଗ୍ରାମବାସୀ ସେମାନଙ୍କୁ ଅଟକାଇ ପୁଲିସକୁ ଖବର ଦେଇଥିଲେ। ପୁଲିସ ଗାଁରେ ପହଞ୍ଚି ମୃତଦେହ ବୋଝେଇ ଗାଡ଼ିକୁ ଜବତ କରିବା ସହ ସେମାନଙ୍କୁ ଖପ୍ରାଖୋଲ ଥାନାରେ ଅଟକ ରଖି ପଚରାଉଚରା କରିଥିଲା। ଗୁରୁବାର ସକାଳୁ ରୁଦ୍ରଙ୍କ ପରିବାର ଲୋକେ ଖପ୍ରାଖୋଲ ଥାନାରେ ପହଞ୍ଚିଥିଲେ। ରୁଦ୍ରଙ୍କ ବଡ଼ଭାଇ ଖଗେଶ୍ବର ମେହେର ଉକ୍ତ ୪ଜଣଙ୍କ ନାଁରେ ହତ୍ୟା ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ବୋଲି ପାଟଣାଗଡ଼ ଏସ୍‌ଡିପିଓ ଜ୍ୟୋତିର୍ମୟ ଭୁକ୍ତା କହିଛନ୍ତି। ଦ୍ବିପ୍ରହରରେ ରୁଦ୍ରଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।