କଲ୍ୟାଣସିଂହପୁର : ଶ୍ବଶୁରଙ୍କ ସନ୍ଧାନ ପାଇଁ ଗାଁ ଛାଡ଼ିଛନ୍ତି ଦିବ୍ୟାଙ୍ଗ ଜ୍ବାଇଁ। ଚାଲିବା ପାଇଁ ଅକ୍ଷମ ହୋଇଥିଲେ ବି ଆଣ୍ଠୁରେ ଅତିକ୍ରମ କରିସାରିଲେଣି ୪୦କିମି। ତାଙ୍କ ଯାତ୍ରାର ଅନ୍ତ କେଉଁଠି ସେ ନିଜେ ବି ଜାଣିନାହାନ୍ତି। ତଥାପି ବିଶ୍ବାସ ରହିଛି ଶ୍ବଶୁରଙ୍କୁ ନେଇ ନିଶ୍ଚିତ ଗାଁକୁ ଫେରିବେ।

Advertisment

ଏହି ବ୍ୟକ୍ତି ଜଣକ ହେଲେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍‌ ସେରିଗୁମା ପଞ୍ଚାୟତ ଅନ୍ତର୍ଗତ ପିଡିଶିକା କୋଲାଙ୍ଗ ଗଁାର ନୀଳ କୁଲସିକା। ନୀଳଙ୍କ ଶ୍ବଶୁର ହେଉଛନ୍ତି ଗୋପୀ ପିଡ଼ିଶିକା। ଗୋପୀଙ୍କ ନାବାଳକ ପୁଅ ଅଜଣା ଜାଗାରେ କାମ କରିବାକୁ ଆଗଭର ହୋଇ ସୁଦୂର ଉତ୍ତରପ୍ରଦେଶର ବନାରସ ଚାଲିଯାଇଥିଲା। କିନ୍ତୁ, ସେଠାରେ ପହଞ୍ଚି କାମ କରିବାର କିଛିଦିନ ପରେ ଦିନେ ସ୍ଥାନୀୟ ପୁଲିସ ଚଢ଼ଉ କରିଥିଲା। ନାବାଳକ ହୋଇଥିବାରୁ ପୁଲିସ ଉଦ୍ଧାର କରି ନିଜ ପାଖରେ ରଖିଥିଲା। ଏହି ଖବର ଆସି ଗାଁରେ ପହଞ୍ଚିବାରୁ ‌ପୁଅର ଅବସ୍ଥା କଥା ଭାବି ଗୋପୀ ବିବ୍ରତ ହୋଇଯାଇଥିଲେ। ଗାଁ ବାହାରକୁ କେବେ ମଧ୍ୟ ଯାଇନଥିବା ଗୋପୀ ଏତେ ଦୂର କେମିତି ଯିବେ, ପୁଅକୁ କେମିତି ଫେରାଇ ଆଣିବେ ସେହି ଚିନ୍ତାରେ ଛଟପଟ ହେଲେ। ଶେଷରେ ଯେଉଁ ଦଲାଲ ପୁଅକୁ ନେଇ ଯାଇଥିଲା, ତା’ ସହିତ ଯୋଗାଯୋଗ କଲେ। ନିଜ ଅବସ୍ଥା କଥା ଜଣାଇବାରୁ ଦଲାଲ ମଧ୍ୟ ବନାରସ ନେଇ ଯିବାକୁ ରାଜି ହୋଇଥିଲା। ଟ୍ରେନ୍‌ ଟିକେଟ୍‌ କରି ଜାନୁଆରି ମାସ ୨୮ତାରିଖରେ ଗାଁ ଛାଡ଼ିଥିଲେ ଗୋପୀ। କିନ୍ତୁ, ନିର୍ଦ୍ଧାରିତ ତାରିଖରେ ବନାରସ ପହଞ୍ଚିନଥିଲେ। ରାସ୍ତାରେ କୌଣସି ଷ୍ଟେସନରେ ନିଖୋଜ ହୋଇଯାଇଥିବା ପରିବାର ଲୋକଙ୍କୁ ଖବର ମିଳିଲା।

ସପ୍ତାହ ପର୍ଯ୍ୟନ୍ତ କୌଣସି ଖବର ନମିଳିବାରୁ ଗତ ୫ ତାରିଖଦିନ ଜ୍ବାଇଁ ନୀଳ ଖୋଜିବାକୁ ବାହାରି ଯାଇଛନ୍ତି। ଚାଲିବାକୁ ସଂପୂର୍ଣ୍ଣ ଅକ୍ଷମ। ତଥାପି, ଦୁଇ ଆଣ୍ଠୁରେ ଟାୟାର ବାନ୍ଧି ଧୀରେ ଧୀରେ ଚାଲିବାକୁ ଚେଷ୍ଟା କରିଥିଲେ। ଏଥିପାଇଁ ଶରୀର ଆଦୌ ସାଥ୍‌ ଦେଉନଥିଲେ ସୁଦ୍ଧା ୨୧ଦିନ ଧରି ଶ୍ବଶୁରଙ୍କ ସନ୍ଧାନ ଜାରି ରଖିଛନ୍ତି। ନୀଳ କୁଲସିକାଙ୍କ ଏଭଳି ସଂଘର୍ଷ ପଛରେ ରହିଛି ସମ୍ମାନ ଓ ଦାୟିତ୍ବବୋଧ।

ଏ ନେଇ କଲ୍ୟାଣସିଂହପୁର ଥାନା ଅଧିକାରୀ ମୁକୁନ୍ଦଦେବ ନାୟକଙ୍କୁ ପଚାରିବାରୁ ନିଖୋଜ ସଂପର୍କିତ କୌଣସି ଅଭିଯୋଗ ହୋଇନଥିବା ପ୍ରକାଶ କରିଛନ୍ତି। ତଥାପି ପୁଲିସ ଏଭଳି ସ୍ଥିତିରେ ନୀଳଙ୍କୁ ସହାୟତା କରି ଗୋପୀଙ୍କୁ ଖୋଜିବା ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।