ଆରଡ଼ି: ଭଦ୍ରକ ଜିଲ୍ଲା ଆରଡ଼ି ଅଂଚଳରରେ ଏକ ଅଭାବନୀୟ ଘଟଣା ଘଟିଛି । ବାହାର ରାଜ୍ୟରୁ ଫେରି ପୁଅ କ୍ୱାରେଣ୍ଟାଇନରେ ଥିବା ବେଳେ ଘରେ ବାପାଙ୍କ ମୃତ୍ୟୁ ଘଟିଛି । ଉଦୟ ନାଥ ମଲ୍ଲିକଙ୍କ ହୃଦଘାତରେ ମୃତ୍ୟୁ ଘଟିଛି। ହେଲେ ମୃତକଙ୍କ ବଡ଼ ପୁଅ ରଘୁନାଥ ଏବେ କ୍ୱାରେଣ୍ଟାଇନରେ । ରଘୁନାଥ ଚେନ୍ନାଇରେ କାମ କରୁଥିବା ହେତୁ ଲକଡ଼ାଉନ ପାଇଁ ଘରକୁ ଆସିପାରୁ ନଥିଲେ । ସରକାରଙ୍କ ଦ୍ୱାରା ପ୍ରବାସୀ ଲୋକଙ୍କୁ ନିଜ ରାଜ୍ୟକୁ ଅଣାଯିବାର ବ୍ୟବସ୍ଥା କରାଯିବା ପରେ ସେ ଗତ ୧୯ ତାରିଖରେ ଘରକୁ ଫେରିଥିଲେ। ହେଲେ ପରିବାରରେ ବାପା ପୁଅକୁ ଦେଖିବା ପାଇଁ ବ୍ୟଗ୍ର ହେଉଥିବା ବେଳେ ପୁଅ ସହ ଦେଖାହୋଇ ନଥିଲା।
ରଘୁନାଥ ଆରଡିରେ ପହଁଚିବା ପରେ ସରକାରଙ୍କ ନିର୍ଦେଶ ମୁତାବକ କ୍ୱାରେଣ୍ଟାଇନ ସେଣ୍ଟରରେ ରହିଥିଲେ । ବାପାଙ୍କ ଦେହ ଅସୁସ୍ଥ ଥିବାରୁ ସେ ପୁଅକୁ ଯାଇ ଦେଖା କରିପାରିନଥିଲେ । ବାତ୍ୟା ଦିନ ହଟାତ ଉଦୟନାଥ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରିବାରୁ ତାଙ୍କୁ ପ୍ରଥମେ ଆରଡ଼ି ମେଡିକାଲ ପରେ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ଭଦ୍ରକରେ ଡାକ୍ତର ତାଙ୍କର ହୃଦଘାତ ହୋଇଥିବାର କହିବା ସହ ତାଙ୍କୁ କଟକ ମେଡିକାଲ ରେଫର କରିଥିଲେ ।
ତେବେ କଟକ ପହଁଚିବା ଆଗରୁ ଉଦୟ ମୃତ୍ୟୁ ବରଣ କରିଥିଲେ। ମୃତ ଶରୀର ଆରଡିରେ ପହଂଚିବା ପରେ ରଘୁନାଥ ରହୁଥିବା କ୍ୱାରେଣ୍ଟାଇନ ସେଣ୍ଟର ବାଟ ଦେଇ ମୃତ ଶରୀରକୁ ନିଆଯାଇଥିଲା ଓ ସେ ସେହି ସେଣ୍ଟର ଭିତରେ ରହି ବାପାଙ୍କ ଶେଷ ଦର୍ଶନ କରିଥିଲେ। ଏହି ଖବର ଜଣାପଡିବା ପରେ ଆରଡ଼ି ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଥିଲା। ଉଦୟ ନାଥଙ୍କ ମୃତ୍ୟୁରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସରପଞ୍ଚ ଅରବିନ୍ଦ ପାଢ଼ୀ, ଜିଲ୍ଲା ପରିଷଦ ସଭ୍ୟ ଭଗବାନ ମାଝୀ ସମିତି ସଭ୍ୟ ସବିତା ପାଢ଼ୀ , ଆଶିଷ ପାଢ଼ୀ, ବିଭୁତି ପାଢ଼ୀ, କ୍ଷୀରୋଦ ପାଢ଼ୀ, ବିଭୁଦତ୍ତ ମିଶ୍ର, କଳାକାର ପାଢ଼ୀ, ପ୍ରକାଶ ହୋତା, ନିରଞ୍ଜନ ମଲ୍ଲିକଙ୍କ ସମେତ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।