ମରିନି ମାନବିକତା, ତୁଟିନି ସମ୍ପର୍କ : କୋଭିଡ୍ ଆକ୍ରାନ୍ତ ବୃଦ୍ଧ ପିତାଙ୍କ ସେବାରେ ଅଣକୋଭିଡ୍‌ ପୁଅ

ସମ୍ବଲପୁର : କେଉଁଠି କୋଭିଡ୍ ଭୟରେ ପ୍ରବାସୀ ଶ୍ରମିକଙ୍କୁ ଘରେ ନିଜ ଲୋକ ଘରେ ପୂରାଇ ଦେଉନାହାନ୍ତି ତ ଆଉ କେଉଁଠି କରୋନା ଆକ୍ରାନ୍ତଙ୍କୁ ବାସନ୍ଦ କରି ଦେଉଛନ୍ତି ସମ୍ପର୍କୀୟ। ଓଡ଼ିଶାରେ କୋଭିଡ୍‌ ସଂକ୍ରମଣ ଆରମ୍ଭ ଦିନ ଠାରୁ ପ୍ରତିଦିନ ମାନବିକତାର ମୃତ୍ୟୁ ନେଇ ଏଭଳି ଅନେକ ଖବର ମିଳୁଛି। ମାତ୍ର ଏଭଳି ସମୟରେ ଜଣେ ବ୍ୟକ୍ତି ରୋଗକୁ ନ ଡରି ନିଜ ୭୦ ବର୍ଷୀୟ କୋଭିଡ୍‌ ଆକ୍ରାନ୍ତ ବୃଦ୍ଧ ବାପାଙ୍କ ଦିନରାତି ସେବା କରିବା ଘଟଣା ଏକ ଭିନ୍ନ ଦୃଷ୍ଟାନ୍ତ ସୃଷ୍ଟି କରିଛି। ନିଜେ କୋଭିଡ୍‌ ଆକ୍ରାନ୍ତ ନହୋଇଥିଲେ ମଧ୍ୟ କୋଭିଡ୍‌ ଡାକ୍ତରଖାନାରେ ବାପାଙ୍କ ସହିତ ରହୁଛନ୍ତି।

ସମ୍ବଲପୁର ମହାନଗର ଅଞ୍ଚଳର ଏହି ଯୁବକ ନିଜ ଅଭିଜ୍ଞତା ବର୍ଣ୍ଣନା କରି କହନ୍ତି, ଗତ ଶୁକ୍ରବାର ତାଙ୍କ ବାପାଙ୍କୁ ଜ୍ବର ଏବଂ ବାନ୍ତି ହେଲା। ପ୍ରଥମେ ଘରୋଇ କ୍ଲିନିକର ଜଣେ ଡାକ୍ତରଙ୍କ ଠାରୁ ଫୋନରେ ପରାମର୍ଶ ନେଇ ଚିକିତ୍ସା କରାଇଲେ। ଅବସ୍ଥାରେ ସୁଧାର ହେଲା ନାହିଁ। ୪ ତାରିଖ ଅଇଁଠାପାଲି ସ୍ବାସ୍ଥ୍ୟକେନ୍ଦ୍ରକୁ ଗଲେ। ସେଠାରେ ଆରମ୍ଭରୁ ହିଁ ବାପାଙ୍କ କରୋନା ପରୀକ୍ଷା ପାଇଁ ଅନୁରୋଧ କରିଥିଲେ। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ର ଦାୟିତ୍ବରେ ଥିବା ଡାକ୍ତର ଏହାକୁ ଗ୍ରହଣ କଲେ ନାହିଁ। ଲକ୍ଷଣ ନଥିବାରୁ ତାଙ୍କ ପରୀକ୍ଷାର ଆବଶ୍ୟକତା ନଥିବା କୁହାଗଲା। ଏଣେ ବାପାଙ୍କ ଅବସ୍ଥା ଆହୁରି ଗୁରୁତର ହେବାରୁ କୌଣସି ନର୍ସିଂହୋମରେ ଭର୍ତ୍ତି କରାଇବାକୁ ସେମାନେ ଚାହିଁଥିଲେ। ମାତ୍ର କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବିନା ଭର୍ତ୍ତି କରାଯିବ ନାହିଁ ବୋଲି ସେମାନେ କହିଲେ। ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ପରୀକ୍ଷାର ଆବଶ୍ୟକତା ନଥିବା କୁହାଯାଉଥିବାବେଳେ ବିନା ପରୀକ୍ଷାରେ ନର୍ସିଂହୋମ ଭର୍ତ୍ତି କରୁନଥିଲେ। ଏଥିଯୋଗୁଁ ସେମାନେ ଅସୁବିଧାରେ ପଡ଼ି ଯାଇଥିଲେ। ପୁନର୍ବାର ଅଇଁଠାପାଲି ସ୍ବାସ୍ଥ୍ୟ କେନ୍ଦ୍ରକୁ ଅନୁରୋଧ ପରେ ରେପିଡ୍‌ ଆଣ୍ଟିଜେନ ଟେଷ୍ଟ ପାଇଁ ଅନୁମତି ମିଳିଲା। ଏଥିରେ ବାପାଙ୍କର ପଜିଟିଭ୍‌ ବାହାରିଥିଲା। ଏହାପରେ ତାଙ୍କୁ କୋଭିଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କ ପୁଅ ବି ତାଙ୍କ ସହ ଡାକ୍ତରଖାନାରେ ରହି ତାଙ୍କ ସେବା କରୁଛନ୍ତି।

ଯୁବକଜଣକ କହିଛନ୍ତି, ବାପାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏଭଳି ଯେ ନିଜେ କିଛି କରିପାରନ୍ତି ନାହିଁ। ହସ୍‌ପିଟାଲରେ ଏଭଳି କେହି ଆଟେଣ୍ଡାଣ୍ଟ ମଧ୍ୟ ନାହାନ୍ତି ଯେ ବାପାଙ୍କୁ ଝାଡ଼ା, ପରିଶ୍ରା କରାଇଦେବ ଏବଂ ଠିକ ଭାବେ ଖୁଆଇ ଦେବ। ଏଭଳି ଦୁଃସ୍ଥିତିରେ ନିଜ ଜନ୍ମଦାତାଙ୍କୁ ଛାଡ଼ି ଦେବା ଅମାନବିକତା ଅଟେ। ପୁଅ ଭାବରେ ଏହା ତାଙ୍କର କର୍ତ୍ତବ୍ୟ ମଧ୍ୟ। ଏଥିସହିତ କରୋନା ଏଭଳି କୌଣସି ବଡ଼ ରୋଗ ନୁହେଁ ଯେ ତାଙ୍କର କୌଣସି ଅନିଷ୍ଟ କରିବ। ସେ ସଂକ୍ରମିତ ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ସେ ଆହୁରି ମଧ୍ୟ କହନ୍ତି, ବର୍ତ୍ତମାନ ସ୍ଥିତିରେ କୋଭିଡ ରୋଗୀଙ୍କ ଠାରୁ ଅଣକୋଭିଡ୍ ରୋଗୀଙ୍କ ଦୁର୍ଦ୍ଦଶା ବୃଦ୍ଧି ପାଇବାରେ ଲାଗିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର