ଝାରସୁଗୁଡ଼ା: ବାପାକୁ ହତ୍ୟା କରିଥିବା ଅପରାଧରେ ପୁଅ ପଞ୍ଚି ସୁରେନ୍‌ (୨୨)କୁ ବୁଧବାର ଝାରସୁଗୁଡ଼ା ଅତିରିକ୍ତ ସେସନ୍‌ ଜଜ୍‌ ହରପ୍ରସାଦ ପଟ୍ଟନାୟକ ଦୋଷୀ ସାବ୍ୟସ୍ତ କରିଛନ୍ତି। ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନ‌ାଦାୟରେ ଅଧିକ ୬ ମାସ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି। ୨୦୧୫ ନଭେମ୍ବର ୨୨ ତାରିଖ ସନ୍ଧ୍ୟା ୫ଟା ବେଳେ ଏହି ହତ୍ୟାକାଣ୍ଡ ଘଟିଥିଲା।

Advertisment

ବେଲପାହାଡ଼ ଥାନା ଅନ୍ତର୍ଗତ ମୋହନପୁର ଗ୍ରାମର ଡୁମା ସୁରେନ ତାଙ୍କ ଝିଅ ସୁନିତାଙ୍କୁ ପାଣି ମାଗିଥିଲେ। ପାଣି ଦେବା ପାଇଁ ସୁନିତା ମନା କରିଦେବାରୁ  ଡୁମା ଏକ କୁରାଢ଼ି‌ ଧରି ଝିଅ ସୁନିତାକୁ ମୋହନପୁର ଫୁଟବଲ ପଡ଼ିଆଠାରେ ଗୋଡ଼ାଇଥିଲେ। ସୁନିତା ସହାୟତା ପାଇଁ ଚିତ୍କାର କରିବା ପରେ ସେଠାରେ ଡୁମାଙ୍କ ପୁଅ ପଞ୍ଚି କୁରାଢ଼ି ଛଡ଼ାଇ  ତାର ବାପାକୁ ଆକ୍ରମଣ କରିଥି‌ଲା। କୁରାଢ଼ି ଚୋଟରେ ଡୁମା ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ମାମଲାରେ ବେଲପାହାଡ଼ ପୁଲିସ ପଞ୍ଚିକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି ମାମଲାର ବିଚାର କରି କୋର୍ଟ ୨୦ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ତର୍ଜମା କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲାକୁ ଅତିରିକ୍ତ ସରକାରୀ ଓକିଲ ଗଙ୍ଗାଧର ଗଡ଼ନାୟକ ପରିଚାଳନା କରୁଥିଲେ।