ବାଲେଶ୍ୱର : ନିଜ ପେଟରୁ କାଟି ଯେଉଁ ପୁଅକୁ ଦିନେ ବଡ଼ ମଣିଷ କରିଥିଲେ, ଆଜି ସେହି ପୁଅ ବୃଦ୍ଧ ବୟସରେ ବାପା, ମା’ଙ୍କୁ ପଚାରିଲାନି। ଓଲଟା ଘରେ ତାଲା ପକାଇ ଘରୁ କାଢ଼ିଦେଲା। ବର୍ଷା ଆଉ ପ୍ରବଳ ଥଣ୍ଡାରେ ଅସହାୟ ବାପା, ମା’ ଘର ଆଗରେ ରାତି କାଟିଲେ। ପୁଅର ଏଭଳି ବ୍ୟବହାରରେ ବ୍ୟଥିତ ହୋଇ ବୃଦ୍ଧ ଦମ୍ପତି ନିଜ ଭାଗ୍ୟକୁ ଧିକାରିଛନ୍ତି। ରକ୍ତ ସମ୍ପର୍କକୁ ତୁଚ୍ଛ କରି ପୁଅର ଏପ୍ରକାର ଅମାନବୀୟ କାର୍ଯ୍ୟକୁ ଗ୍ରାମବାସୀ ମଧ୍ୟ ସହିନପାରି ଅସନ୍ତୋଷ ଝାଡ଼ିଛନ୍ତି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ବର ସଦର ବ୍ଲକ ଦହପଡ଼ା ପଞ୍ଚାୟତ କଣ୍ଟାବଣିଆ ଗାଁରେ।

Advertisment

ସୂଚନା ଅନୁସାରେ, ସେଖ ଆନିସୁଦ୍ଦିନ୍‌ ଓ ଜମିଲା ବିବିଙ୍କର ତିନି ପୁଅ ଓ ୬ ଝିଅ। ବଡ଼ପୁଅ ସେଖ ନାସିମ୍‌ଉଦ୍ଦିନ୍‌ ଭାରତୀୟ ତଟରକ୍ଷୀ ବାହିନୀ (ଇଣ୍ଡିଆନ୍ କୋଷ୍ଟଗାର୍ଡ)ରେ ଅଧିକାରୀ ଭାବେ କଲିକତାରେ କାର୍ଯ୍ୟରତ। ମଝିଆ ପୁଅ ହମିଉଦ୍ଦିନ୍‌ ଗ୍ୟାରେଜ୍‌ ମେକାନିକ୍‌ ଓ ସାନପୁଅ ଗଉସୁଦ୍ଦିନ୍‌ ବାହାର ରାଜ୍ୟର ଏକ ଘରୋଇ କମ୍ପାନିରେ ଚାକିରି କରୁଛନ୍ତି। ଆନିସୁଦ୍ଦିନଙ୍କର ସମସ୍ତ ଝିଅ ବିବାହିତ। ବଡ଼ପୁଅ ନାସିମ୍‌ଉଦ୍ଦିନ୍‌ ମାନସିଂବଜାର ଅଞ୍ଚଳରେ ଘର କରି ପରିବାର ସହ ରହୁଥିବା ବେଳେ ତାଙ୍କ ସହିତ ଭାଇ ହମିଉଦ୍ଦିନ୍‌ ମଧ୍ୟ ରହୁଛନ୍ତି। ତେବେ ଜମିଜମା ବିବାଦକୁ କେନ୍ଦ୍ର କରି ବାପା, ମା’ଙ୍କ ସହ ନାସିମ୍‌ଉଦ୍ଦିନ୍‌ଙ୍କର ପଡ଼ୁନଥିଲା। ୫ ବର୍ଷ ହେଲା ବାପା, ମା’ଙ୍କ କଥା ନାସିମ୍‌ଉଦ୍ଦିନ ବୁଝୁନାହାନ୍ତି। ଗାଁରେ ଯେଉଁ ଘରେ ବୃଦ୍ଧ ବାପା, ମା’ ରହୁଛନ୍ତି ତାକୁ ମଧ୍ୟ ନାସିମ୍‌ଉଦ୍ଦିନ୍‌ ବିକ୍ରି କରିଦେଇଛନ୍ତି। ବହୁଦିନରୁ ଘର ଖାଲି କରିବାକୁ ନାସିମ୍‌ଉଦ୍ଦିନ୍‌ ବାପା, ମା’ଙ୍କୁ କହି ଆସୁଥିଲେ। ହେଲେ ଘର ଛାଡ଼ି ସେମାନେ କୁଆଡ଼େ ଯିବେନାହିଁ ବୋଲି କହିବାରୁ ଗତକାଲି ରାତିରେ ନାସିମ୍‌ଉଦ୍ଦିନ୍‌ ବାପା, ମା’ଙ୍କୁ ଘରୁ ଘୋଷାରି ବାହାର କରିଦେଇଥିଲେ। ଆଉ ଗେଟ୍‌ରେ ତାଲା ପକାଇ ଚାଲି ଯାଇଥିଲେ। ଗାଁ ଲୋକେ ବିରୋଧ କରିଥିଲେ ବି କାହା କଥା ଶୁଣିନଥିଲେ ନାସିମ୍‌ଉଦ୍ଦିନ୍‌। ରାତିସାରା ବାପା, ମା’ ଶୀତକାକରରେ ଅଖିଆଅପିଆ ରହିଥିବା ବେଳେ ଗ୍ରାମବାସୀ ସେମାନଙ୍କୁ ଖାଇବାକୁ ଦେବା ସହ ଶୀତବସ୍ତ୍ର ଦେଇଥିଲେ। ଏ ନେଇ ସହଦେବଖୁଣ୍ଟା ଥାନାରେ ନାସିମ୍‌ଉଦ୍ଦିନଙ୍କ ମା’ ଜମିଲା ବିବି ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରିଛି।

ତେବେ ନାସିମ୍‌ଉଦ୍ଦିନ୍‌ ଏ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଥିଲେ, ବାପା, ମା’ଙ୍କୁ ନିଜ ପାଖରେ ରଖିବାକୁ ଚାହୁଁଛି। ହେଲେ ସେମାନେ ମୋ ପାଖରେ ରହିବାକୁ ଚାହୁଁନାହାନ୍ତି। ଭଉଣୀ-ଭିଣୋଇଙ୍କ ସହ ବାପା, ମା’ ରହିବାକୁ ଚାହୁଁଥିବା ବେଳେ ଜମିବାଡ଼ି ମଧ୍ୟ ସେମାନଙ୍କ ନାମରେ କରିବାକୁ ଚାହୁଁଛନ୍ତି। ଏହାକୁ ବିରୋଧ କରିବାରୁ ବାପା, ମା’ କିଛି ଶୁଣିନଥିଲେ। ମୋ ନାମରେ ରହିଥିବା ଘରକୁ ମୁଁ ବିକ୍ରି କରିଦେଇଥିଲି। ‌ସଂପୃକ୍ତ ଘର ମାଲିକ ଘର ନେବାକୁ ଚାହିଁବାରୁ ମୁଁ ସେ ଘରକୁ ଖାଲି କରିବାକୁ ବାପା, ମା’ଙ୍କୁ କହିଥିଲି। କିନ୍ତୁ ସେମାନେ ଶୁଣିନଥିଲେ। ମୁଁ ବିକ୍ରି କରିଥିବା ଘରକୁ ବାପା, ମା’ ଭଉଣୀଙ୍କୁ ଦେବାକୁ ଚାହିଁଛନ୍ତି, ଯାହା ସମ୍ଭବ ନୁହେଁ ବୋଲି କହିଛନ୍ତି ନାସିମ୍‌ଉଦ୍ଦିନ୍‌। ସବିଶେଷ ସୂଚନା ଅନୁସାରେ, ଘରେ ପଡ଼ିଥିବା ତାଲାକୁ ଭାଙ୍ଗି ସେଠାରେ ନାସିମ୍‌ଉଦ୍ଦିନ୍‌ଙ୍କ ବାପା, ମା’ ରହିଥିବା ଜଣାପଡ଼ିଛି।