ଖୁଡ଼ୀଙ୍କୁ ମାରିଦେଲା ପୁତୁରା

ଖିଚିଂ : ଡାହାଣୀ ସନ୍ଦେହରେ ଜଣେ ଯୁବକ ନିଜ ଖୁଡ଼ୀଙ୍କ ମୁଣ୍ଡକୁ ହାଣି ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅନ୍ତର୍ଗତ ଟିଲୁସାହି ଗାଁରେ ଘଟିଛି ଏହି ନୃଶଂସ ହତ୍ୟାକାଣ୍ଡ।

ସୂଚନା ଅନୁସାରେ ଟିଲୁସାହିରେ ମଧୁ ପୂର୍ତ୍ତି (୩୦) ଓ ତାଙ୍କ ପରିବାର ରୁହନ୍ତି। ବିଭିନ୍ନ ସମୟରେ ତାଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟଙ୍କର ଦେହ ଅସୁସ୍ଥ ହେଉଥିଲା। ରୋଗ ବା ତଦ୍‌ଜନିତ କାରଣରୁ ‌ଦେହପା’ ଖରାପ ହେଉଛି, ସେ କଥା ନଭାବି ଗାଁରେ ରହୁଥିବା ନିଜ ଖୁଡ଼ୀ ବାସନ୍ତୀ ପୂର୍ତ୍ତି (୪୮) ଗୁଣିଗାରେଡ଼ି କରୁଥିବାରୁ ପରିବାର ସଦସ୍ୟଙ୍କ ଦେହ ଅସୁସ୍ଥ ହେଉଥିବାର ସନ୍ଦେହ କରିଥିଲେ ମଧୁ। ଏଥିପାଇଁ ବାସନ୍ତୀଙ୍କୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନି‌ଷ୍ପତ୍ତି ନେଇଥିଲେ। ଗତକାଲି ରାତିରେ ବାସନ୍ତୀ ଘର ବାରଣ୍ଡାରେ ଶୋଇଥିବାବେଳେ ରାତି ପ୍ରାୟ ୧୨ଟା ପାଖାପାଖି ମଧୁ ଏକ କଟୁରି ଧରି ବାସନ୍ତୀଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କ ମୁଣ୍ଡକୁ ହାଣି ଦେଇଥିଲେ। ଚିତ୍କାର ଶୁଣି ପରିବାର ସଦସ୍ୟମାନେ ଉଠି ପଡ଼ିଥିଲେ। ତେବେ କେହି କିଛି ବୁଝିବା ଆଗରୁ ବାସନ୍ତୀଙ୍କର ପ୍ରାଣବାୟୁ ଉଡ଼ିଯାଇଥିଲା। ଏ ନେଇ ଥାନା କେସ୍ ନଂ ୧୦୬/୨୧ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ହତ୍ୟାକାରୀ ମଧୁକୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର