ବରପାଲି: ବରଗଡ଼ ଜିଲ୍ଲା ବରପାଲି ନିକଟସ୍ଥ ପିପିଲିପାଲି ଗ୍ରାମରେ ଜମି ବିବାଦରୁ ପୁଅର ଟାଙ୍ଗିଆ ମାଡ଼ରେ ବାପା ମୃତ ଘଟଣାରେ ଶନିବାର ପୁଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଦ୍ବୟ ହେଲେ ହରିଶ ପଧାନ (୩୨) ଓ ଅନିଲ ସାହୁ (୨୭)। ଅନ୍ୟପକ୍ଷରେ ବଲାଙ୍ଗୀରରୁ ସାଇଣ୍ଟିଫିକ୍ ଦଳ ଆଜି ଘଟଣାସ୍ଥଳରେ ପହଞ୍ଚି ନମୁନା ସଂଗ୍ରହ କରିଛନ୍ତି।
ଏହି ଦଳ ବରପାଲିରେ ପହଂଚିବା ପରେ ଥାନା ଆଇଆଇସି ରୋଜାଲିନ ପଟେଲଙ୍କ ସହ ଆଲୋଚନା କରିଥିଲେ। ପରେ କୁମ୍ଭାରୀ ନିକଟସ୍ଥ ପିପିଲିପାଲି ଶ୍ମଶାନକୁ ଯାଇ ପାଉଁଶ ଓ ହାଡ଼ ସଂଗ୍ରହ କରିଥିଲେ। ତଦନ୍ତ ପରେ ଅର୍ଦ୍ଧଦଗ୍ଧ ଶବକୁ ବ୍ୟବଚ୍ଛେଦ ପାଇଁ ବରଗଡ଼କୁ ପଠାଇଥିଲେ।
ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ଜମି ବିବାଦ ତଥା ଘରୋଇ କଳହ କେନ୍ଦ୍ରକରି ନାମ ପ୍ରଧାନ (୬୨)ଙ୍କୁ ପୁଅ ହରିଶ (୩୨) ଓ ତାଙ୍କ ଶଳା ପଦ୍ମପୁର ଚଣ୍ଡିପାଲି ଗ୍ରାମର ଅନିଲ ସାହୁ (୨୭) ଟାଙ୍ଗିଆରେ ପିଟି ହତ୍ୟା କରିଥିଲେ। ମୃତ ନାମ ପ୍ରଧାନଙ୍କ ସ୍ତ୍ରୀ ରମ୍ଭା ପ୍ରଧାନଙ୍କ ଅଭିଯୋଗ କ୍ରମେ ବରପାଲି ପୁଲିସ ଏକ ମକଦ୍ଦମା ରୁଜୁ କରିଥିଲା। କେସ୍ ନମ୍ବର ୨୧୬/୨୦୨୨ ଦଫା ୩୪୧, ୩୦୨, ୩୫୪, ୩୨୩, ୨୦୧, ୫୦୬, ୩୪ ଆଇପିସି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରି ଅଧିକ ତଦନ୍ତ ଜାରି ରଖିଛନ୍ତି।