ଦେବଗଡ଼ : ଚଳିତ ମାସ ପହିଲାରେ ରିଆମାଳ ବ୍ଲକ୍ର କଣ୍ଟାବାହାଳ ଗ୍ରାମରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୃତ୍ୟୁ ଘଟିଥିଲା। ଏହି ଘଟଣା ଜିଲ୍ଲାବାସୀଙ୍କ ମନରୁ ଲିଭି ନଥିବାବେଳେ ଆଜି ମଦ୍ୟପ ପୁଅର ଠେଙ୍ଗା ମାଡ଼ରେ ବାପାର ମୃତ୍ୟୁ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ଦେବଗଡ଼ ଥାନା ଅନ୍ତର୍ଗତ ରଙ୍ଗିଆଟିକ୍ରା ଗ୍ରାମରେ। ମୃତକ ହେଲେ ଗ୍ରାମର ଗୋବିନ୍ଦ ମୁଣ୍ଡା (୬୦)। ପୁଲିସ ଏହି ଘଟଣାରେ ଅଭିଯୁକ୍ତ ପୁଅ ଅମୂଲ୍ୟ (୩୫)କୁ ଗିରଫ କରିଛି।
ମିଳିଥିବା ସୂଚନା ଅନୁଯାୟୀ, ଶନିବାର ରାତି ପ୍ରାୟ ୧୦ ଟାରେ କୁକୁଡ଼ା ମାଂସ ତରକାରୀ ଖାଇବାକୁ ନେଇ ଗୋବିନ୍ଦ ଓ ପୁଅ ଅମୂଲ୍ୟ(୩୫) ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ନିଶାସକ୍ତ ଅବସ୍ଥାରେ ଥିବା ପୁଅ ଅମୂଲ୍ୟ ବାପାକୁ ଠେଙ୍ଗାରେ ନିସ୍ତୁକ ମାଡ଼ ମାରିଥିଲା। ଏହା ଦେଖି ଗୋବିନ୍ଦଙ୍କ ସାନପୁଅ ଗଣ ମୁଣ୍ଡା ବାପାଙ୍କୁ ଉଦ୍ଧାର କରି ଗାଁ ମୁଣ୍ଡରେ ଥିବା ଲକ୍ଷ୍ମୀ ପୂଜା ମଣ୍ଡପକୁ ନେଇଯାଇ ସେଠାରେ ଆଶ୍ରୟ ଦେଇଥିଲେ। ତେବେ ଆଜି ସକାଳେ ଉକ୍ତ ମଣ୍ଡପରେ ଗୋବିନ୍ଦଙ୍କର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ଏନେଇ ଗ୍ରାମବାସୀ ଓ ତାଙ୍କ ସାନପୁଅ ଅମୂଲ୍ୟକୁ ଅଟକ ରଖି ପୁଲିସକୁ ଖବର ଦେଇଥିଲେ। ଦେବଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ହତ୍ୟାରେ ବ୍ୟବହୃତ ଠେଙ୍ଗା ଜବତ କରିବା ସହ ଅମୂଲ୍ୟକୁ ଗିରଫ କରି ଦେବଗଡ଼ ଥାନାକୁ ଆଣିଛି। ଦେବଗଡ଼ ଥାନା ପୁଲିସ କେସ୍ ନମ୍ବର ୨୦୬ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ବୋଲି ଦେବଗଡ଼ ଥାନାରେ ଆଜି ସଂଧ୍ୟାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଏସ୍ପି ମନୋଜ ମହନ୍ତ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଥାନା ଆଇଆଇସି ପ୍ରଶାନ୍ତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/deo.jpg)