ଯୁଯୁମୁରା : ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତର ଶୀତଲେନପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ବାପା ଭାସ୍କର ଓରାମ (୫୫ ବର୍ଷ)ଙ୍କୁ ଟାଙ୍ଗିଆରେ ହାଣି ଦେଇଛି ପୁଅ ବିକାଶ ଓରାମ (୨୮ବର୍ଷ)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଛି। ଶନିବାର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ କରିବ ବୋଲି ସୂଚନା ମିଳିଛି। ଘଟଣାସ୍ଥଳରୁ ହତ୍ୟାରେ ବ୍ୟବହୃତ ରକ୍ତଲଗା ଟାଙ୍ଗିଆ ଜବତ କରାଯାଇଛି। ଏ ନେଇ ଏକ ହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ କରୁଛି। ଅଭିଯୁକ୍ତ ବିକାଶ ଫେରାର୍ ଥିବା ଜଣାଯାଇଛି।

Advertisment

ସ୍ଥାନୀୟ ଲୋକଙ୍କ ସୂଚନା ଅନୁସାରେ, ବିକାଶ ସବୁବେଳେ ନିଶାସକ୍ତ ରହୁଥିବାରୁ ପରିବାରରେ ଅଶାନ୍ତି ଲାଗି ରହୁଥିଲା। ଶୁକ୍ରବାର ଅପରାହ୍‌ଣ ୪ଟାରୁ ବାପ-ପୁଅ ମଧ୍ୟରେ ଏହି ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା। ସନ୍ଧ୍ୟାରେ ପୁଣି ପାଟିତୁଣ୍ଡ ହୋଇଥିଲା। ବିକାଶ ଟାଙ୍ଗିଆରେ ବାପାର ବେକରେ ଚୋଟ ପରେ ଚୋଟ ପକାଇଥିଲା। ପ୍ରବଳ ରକ୍ତସ୍ରାବ ଯୋଗୁ ଘଟଣାସ୍ଥଳରେ ହିଁ ଭାସ୍କରଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା।