ସଂପତ୍ତି ପାଇଁ ତୁଚ୍ଛ ହୋଇଗଲା ସଂପର୍କ : ବଞ୍ଚି ଥାଉ ଥାଉ ବାପାଙ୍କ ଶେଷକୃତ୍ୟ କଲା ପୁଅ

ଜଳେଶ୍ୱର : ସଂପତ୍ତି ଆଗରେ ତୁଚ୍ଛ ହୋଇଗଲା ବାପ-ପୁଅ ସଂପର୍କ। ବଞ୍ଚି ଥାଉ ଥାଉ ପୁଅ ଶ୍ମଶାନରେ ବାପାର ଶେଷକୃତ୍ୟ କରିଛି। ଏମିତିକି ମୋବାଇଲ୍‌ରେ ଦାହକର୍ମର ଭିଡିଓ ରେକର୍ଡିଂ କରି ଅନ୍ୟମାନଙ୍କୁ ଦେଖାଉଛି। ଜମିଜମା ବିବାଦକୁ ନେଇ ବାଲେଶ୍ବର ଜିଲ୍ଲା କମର୍ଦ୍ଦା ଥାନା ନାଚିନ୍ଦା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଲକ୍କାଜନକ ଘଟଣା।

କମର୍ଦ୍ଦା ଥାନା ନାଚିନ୍ଦା ଅଞ୍ଚଳରେ ବିବେକାନନ୍ଦ (ଛଦ୍ମନାମ)ଙ୍କ ଘର। ବଡ଼ପୁଅ ଅରବିନ୍ଦ (ଛଦ୍ମନାମ) ସହ ମନୋମାଳିନ୍ୟ ଯୋଗୁଁ ଗଲା କିଛି ବର୍ଷ ଧରି ସେ ସାନପୁଅ ଶ୍ରୀନାଥ (ଛଦ୍ମନାମ) ସହ ରହୁଛନ୍ତି। ବିବେକାନନ୍ଦ ଜମି ବିକ୍ରି କରି ସାନପୁଅକୁ ସବୁ ଟଙ୍କା ଦେଉଛନ୍ତି ବୋଲି ବଡ଼ପୁଅ ଅଭିଯୋଗ କରିଆସୁଥିଲେ। ଗତ ସପ୍ତାହରେ ବିବେକାନନ୍ଦ ପୁଣି ଏକ ମୂଲ୍ୟବାନ ଜମିକୁ ବିକିଦେବାରୁ ଅରବିନ୍ଦ ପ୍ରତିକ୍ରିୟାଶୀଳ ହୋଇ ପଡ଼ିଥିଲେ। ଏହାକୁ ନେଇ ଦୁଇଦିନ ତଳେ ବାପପୁଅଙ୍କ ମଧ୍ୟରେ ପ୍ରବଳ ବାକ୍‌ବିତଣ୍ଡା ହୋଇଥିଲା। ଏହି ଘଟଣାରେ ଉତ୍‌କ୍ଷିପ୍ତ ହୋଇ ବାପାଙ୍କୁ ଜିଅନ୍ତା ଶ୍ରାଦ୍ଧ ହୋଇଥିଲେ ଅରବିନ୍ଦ। ଗାଁ ପାଖ ଶ୍ମଶାନରେ ବାପାଙ୍କ କୁଶପୁତ୍ତଳିକା ତିଆରି କରି ଜୁଇରେ ଜାଳିବା ସହ ମୋବାଇଲ୍‌ରେ ଦାହକର୍ମର ଭିଡିଓ ରେକର୍ଡିଂ ମଧ୍ୟ କରିଥିଲେ। ପରେ ଭିଡିଓ ରେକର୍ଡିଂକୁ ଅରବିନ୍ଦ ବୁଲିବୁଲି ଅଞ୍ଚଳବାସୀଙ୍କୁ ଦେଖାଉଛନ୍ତି। ଯେଉଁ ବାପ ଦିନେ ପୁଅ ଜନ୍ମ କରି ଖୁସି ହେଉଥିଲା, ବୁଢ଼ା ବୟସରେ ସାହାରା ହେବ ବୋଲି ଭାବୁଥିଲା, ସେଇ ପୁଅ ବଞ୍ଚି ଥାଉ ଥାଉ ବାପକୁ ମାରିଦେଇଛି। ତେବେ ଏହି ଘଟଣାରେ ଅରବିନ୍ଦଙ୍କ କାର୍ଯ୍ୟକଳାପକୁ ସ୍ଥାନୀୟ ଅଞ୍ଚଳବାସୀ ନାପସନ୍ଦ କରିବା ସହ ‘ପୁଅ’ ଭଳି ଅନାବିଳ ଶବ୍ଦରେ କଳଙ୍କ ଲଗାଇଛି ବୋଲି ମତ ଦେଇଛନ୍ତି।

ସମ୍ବନ୍ଧିତ ଖବର