ଖୁଣ୍ଟୁଣୀ : ଜମି ପଟ୍ଟା ନଦେବାରୁ ବାପାଙ୍କୁ ହତ୍ୟା କଲା ପୁଅ

ଖୁଣ୍ଟୁଣୀ : କଟକ ଜିଲ୍ଲା ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ରାଧାକୃଷ୍ଣପୁର ଜନଜାତି ବସ୍ତିରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହ ଓ ଜମିପଟ୍ଟାକୁ ନେଇ ବଡ଼ପୁଅର ଛୁରାମାଡ଼ରେ ବାପାଙ୍କର ମୃତ୍ୟୁ ଘଟିଛି। ବାପାଙ୍କୁ ରକ୍ଷା କରିବାକୁ ଯାଇ ବଡ଼ଭାଇ ଆକ୍ରମଣରେ ସାନଭାଇ ଗୁରୁତର ଆହତ ହୋଇ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଅଭିଯୁକ୍ତ ବଡ଼ପୁଅ ମନୋଜ ପୂର୍ତ୍ତି(୩୫)କୁ ପୁଲିସ ଗିରଫ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିଛି।

ସୂଚନା ମୁତାବକ, ମୁଷୂଳିଆ ଗ୍ରାମର ନାଥ ପୂର୍ତ୍ତି(୬୫)ଙ୍କର ମନୋଜ, ଘନଶ୍ୟାମ ଓ ଯୋଗେନ୍ଦ୍ର ନାମରେ ତିନି ପୁଅ ଅଛନ୍ତି। ସମସ୍ତେ ବିବାହିତ ଓ ମୂଲ ଲାଗି ନିଜ ନିଜ ପରିବାର ପ୍ରତିପୋଷଣ କରନ୍ତି। ବଡ଼ପୁଅ ମନୋଜ ଅନେକ ସମୟରେ ଘରେ ଗଣ୍ଡଗୋଳ କରୁଥିବାରୁ ବାପା ନାଥ ପୂର୍ତ୍ତି ଅଲଗା ହୋଇ ଅନ୍ୟ ଦୁଇପୁଅ ଓ ପତ୍ନୀଙ୍କ ସହ ରହୁଥିଲେ। ସ୍କୁଲରେ ନିଜ ପୁଅର ନାମ ଲେଖାଇବା ନିମନ୍ତେ ଜାତିଗତ ପ୍ରମାଣପତ୍ର ଆବଶ୍ୟକ ହେଉଥିବାରୁ ବଡ଼ପୁଅ ମନୋଜ ବାପାଙ୍କୁ ଜମିପଟ୍ଟା ମାଗିଥିଲା। ନାଥ ଜମିପଟ୍ଟା ଦେବାକୁ ଅରାଜି ହେବାରୁ କଳିଝଗଡ଼ା ହୋଇଥିଲା। ଏହାକୁ ନେଇ ଗତକାଲି ରାତି ପ୍ରାୟ ସାଢ଼େ୮ଟା ବେଳେ ମନୋଜ ନିଶାସକ୍ତ ହୋଇ ବାପା ଓ ଭାଇମାନଙ୍କ ସହ ପ୍ରବଳ ପାଟିତୁଣ୍ଡ କରିଥିଲା। କଳହ ସମ୍ପର୍କରେ ନାଥ ଓ ତାଙ୍କ ସାନପୁଅ ଯୋଗେନ୍ଦ୍ର ଗ୍ରାମ ମୁରବିଙ୍କ ନିକଟକୁ ଯାଇ ଅବଗତ କରାଇଥିଲେ। ରାତି ପ୍ରାୟ ୧୦ଟା ବେଳେ ବାପ-ପୁଅ ସେଠାରୁ ଘରକୁ ଫେରୁଥିବା ବେଳେ ଘର ସମ୍ମୁଖ ରାସ୍ତାରେ ବଡ଼ପୁଅ ମନୋଜ ସେ ଦୁହିଁଙ୍କୁ ଆକ୍ରମଣ କରିଥିଲା। ଏକ ଧାରୁଆ ଛୁରୀରେ ସେ ବାପା ନାଥ ପୂର୍ତ୍ତିଙ୍କ ପେଟକୁ ବାରମ୍ବାର ଭୁସିବାରୁ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ସାନଭାଇ ଯୋଗେନ୍ଦ୍ର ବାପାଙ୍କୁ ବଞ୍ଚାଇବାକୁ ଯିବାବେଳେ ମନୋଜ ଯୋଗେନ୍ଦ୍ରଙ୍କ ପେଟରେ ମଧ୍ୟ ଛୁରି ଭୁସି ଦେଇଥିଲା। ଯୋଗେନ୍ଦ୍ରଙ୍କୁ ମୁମୂର୍ଷୁ ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ମନୋଜକୁ ପୁଲିସ ତା’ଘରୁ ଗିରଫ କରିଛି।

ଆଜି ସକାଳେ ଚୌଦ୍ୱାର ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ପ୍ରଶାନ୍ତ କୁମାର ମଲ୍ଲ, ଖୁଣ୍ଟୁଣୀ ଥାନା ଆଇଆଇସି ସୁଚିତ୍ରବିର୍ଯ୍ୟ ଦାସ କଟକ ସାଇଣ୍ଟିଫିକ୍‌ ଟିମ୍‌ ସହିତ ହତ୍ୟାକାଣ୍ଡସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଆଠଗଡ଼ ମେଡିକାଲକୁ ପଠାଇଥିଲେ। ଏ ସଂକ୍ରାନ୍ତରେ ଖୁଣ୍ଟୁଣୀ ଥାନାରେ ଏକ ମାମଲା (ନ-୯୨/୨୦) ରୁଜୁ ହୋଇଥିବା ତଦନ୍ତ ଅଧିକାରୀ ଆଇଆଇସି ଶ୍ରୀଦାସ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର