ବାପାକୁ ଟାଙ୍ଗିଆରେ ହାଣି ହତ୍ୟାକଲା ପୁଅ

ଶବ ବାହକ ଗାଡ଼ି ଚାଳକ ନଥିବାରୁ ଗା’ ଦାଣ୍ଡରେ ପଡ଼ି ରହିଲା ଶବ

ରେଢ଼ାଖୋଲ : ବାପାକୁ ବୀଭତ୍ସ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି ପୁଅ। ଗାଁ ଦାଣ୍ଡରେ ପଡ଼ିରହିଛି ଶବ। ଏପରି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ବୁଡାର୍ ପଞ୍ଚାୟତର ଆମ୍ବଝରୀ ଗ୍ରାମରେ। ମୃତକ ହେଲେ ଶୁକ୍ରୁ ମିର୍ଦ୍ଧା (୫୫)। ଏହି ଘଟଣାରେ ପୁଲିସ ଅଭିଯୁକ୍ତ ପୁଅ ଟଙ୍କଧର ମିର୍ଦ୍ଧା (୧୯)କୁ ଗିରଫ କରିଛି। ଶନିବାର ଅପରାହ୍ଣ ପ୍ରାୟ ୧ଟା ୩୦ରେ ଏହି ଘଟଣା ଘଟିଥିଲେ ହେଁ ଶବକୁ ବ୍ୟବଚ୍ଛେଦ ପାଇଁ ନିଆଯାଇ ପାରିନାହିଁ। ପୁଲିସ ଶବ ଜଗି ରହିଥିବା ଜଣାପଡ଼ିଛି। ଶବବାହକ ଗାଡ଼ିର ଚାଳକ ଛୁଟିରେ ଥିବାରୁ ଶବ ନେବାକୁ କେହି ଆସି ନଥିଲେ। ଫଳରେ ଗାଁ ଦାଣ୍ଡରେ ଶବ ପଡ଼ିରହିଥିଲା।

ପୁଲିସ ସୂଚନା ଅନୁଯାୟୀ, ଶନିବାର କୌଣସି କାରଣକୁ ନେଇ ଶୁକ୍ରୁ ଓ  ପୁଅ ଟଙ୍କଧର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଟଙ୍କଧର ଏକ ଟାଙ୍ଗିଆରେ ବାପା ଶୁକ୍ରୁକୁ ଚୋଟ ପକାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ରେଢ଼ାଖୋଲ ପୁଲିସ ପହଞ୍ଚି ଟଙ୍କଧରକୁ ଗିରଫ କରିବା ସହିତ ହତ୍ୟାରେ ବ୍ୟବହାର ହୋଇଥିବା ଟାଙ୍ଗିଆକୁ ଜବତ କରିଛି। ଉଲ୍ଲେଖନୀୟ ଯେ ରେଢ଼‌ାଖୋଲ ଉପଖଣ୍ତ ଚିକିତ୍ସାଳୟ ଓ ଏନ୍‌ଏସି ଉଭୟ ବିଭାଗରେ ରହିଛି ଶବବାହକ ଗାଡ଼ି। ହେଲେ ଉଭୟ ଗାଡ଼ିର ଡ୍ରାଇଭର୍‌ ଛୁଟିରେ ଅଛନ୍ତି। ଫଳରେ ଶବକୁ ରେଢ଼ାଖୋଲ ଡାକ୍ତରଖାନା ପର୍ଯ୍ୟନ୍ତ ଆଣିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି।

ସେପଟେ ମୃତ ଶୁକ୍ରୁଙ୍କ ସ୍ତ୍ରୀର ପୂର୍ବରୁ ମୃତ୍ୟୁ ହୋଇଯାଇଛି। ତାଙ୍କର ଆଉ ଦୁଇ ପୁଅ ଅଛନ୍ତି। ବଡ଼ପୁଅ ଝାରସୁଗୁଡ଼ାରେ କାମ କରନ୍ତି। ରବିବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ଜଣାପଡ଼ିଛି। ଘଟଣାକୁ ନେଇ ମୃତ ଶୁକ୍ରୁଙ୍କ ପୁତୁରା ଗୌତମ ମିର୍ଦ୍ଧା ଥାନାରେ ଲଖିତ ଅଭିଯୋଗ କରିଛନ୍ତି। ପୁଲିସ କେସ୍‌ ନମ୍ବର ୧୬୪ରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର