ରାଇରଙ୍ଗପୁର/ଜାମଦା(୨) : ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ ଧଳପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଆଜି ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଜଣେ ନିଷ୍ଠୁର ପୁଅର ମାଡ଼ରେ ମାଆଙ୍କର ପ୍ରାଣହାନି ଘଟିଛି। ତେବେ ମାତୃହନ୍ତା ପୁଅକୁ ଜାମଦା ଥାନା ପୁଲିସ୍‌ ଗିରଫ କରିଛି।

Advertisment

ଗତ ୬ ତାରିଖ ଧଳପୁର ଗ୍ରାମ ବଡ଼ସାହିର ସ୍ବର୍ଗତ କାଳିଆ ଆଲଦାଙ୍କ ପୁଅ ଜେରେଇ ଆଲଦା ଓରଫ ଜନ୍ତୁ(୨୦) ବଳଦ କିଣିବା ପାଇଁ ମାଆ କୁନ୍ତି ଆଲଦା(୫୫)ଙ୍କୁ ଟଙ୍କା ମାଗିଥିଲେ। କିନ୍ତୁ ମାଆ ଟଙ୍କା ଦେବାକୁ ଅରାଜି ହୋଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜନ୍ତୁ ତାଙ୍କୁ ଜୋର୍‌ରେ ଧକ୍କା ମାରିଥିଲା। ଏଥିରେ କୁନ୍ତି କାନ୍ଥରେ ବାଡ଼େଇ ହୋଇ ଗୁରୁତର ଅବସ୍ଥାରେ ଘରେ ପଡ଼ି ରହିଥିଲେ। ନିଷ୍ଠୁର ପୁଅ ଜନ୍ତୁ ମାଆଙ୍କୁ ଡାକ୍ତରଖାନା ନେବା ପରିବର୍ତ୍ତେ ନିଜେ ମଦ ପିଇ ମାତାଲ ହୋଇ ଘୂରିଥିଲା। କୁନ୍ତି ଘରେ ପଡ଼ି ରହିଥିଲେ। ତେବେ ତାଙ୍କ ଛାତିରେ ଗୁରୁତର ଆଘାତ ଲାଗିଥିବାରୁ ଗତକାଲି ଦ୍ବିପ୍ରହରରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଅ ଘଟଣାକୁ ଚପାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଏନେଇ ଆଜି ଜାମଦା ପୁଲିସକୁ ସୂଚନା ମିଳିଥିଲା। ଜାମଦା ଥାନାରେ ଦଫା ୩୦୨ ମୂଳେ ନଂ. ୧୮/୧୯ରେ ଏକ ହତ୍ୟା ମାମଲା ରୁଜୁ ହୋଇଛି।