ଟଙ୍କା ପାଇଁ ମା’କୁ ହତ୍ୟା : ମଦ ନିଶାରେ ହାଣିଲା ପୁଅ, ଘଟଣାସ୍ଥଳରେ ମୃତ୍ୟୁ, ପୁଅ ଗିରଫ

ଖଇରା : ମଦ ନେଇଗଲା ଜଣେ ମା’ର ଜୀବନ। ଛେଳି ବିକି ରଖିଥିବା ଟଙ୍କା ନଦେବାରୁ ନିଶାସକ୍ତ ପୁଅ ମା’କୁ କଟୁରୀରେ ହାଣି ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁରୁଣ୍ଟା ପଞ୍ଚାୟତ ମିରିପୁରଖଇରା ଗ୍ରାମରେ। ଉକ୍ତ ଗ୍ରାମର ରଘୁନାଥ ଶିଅଳଙ୍କ ପୁଅ ଜଗବନ୍ଧୁ ଶିଅଳ ଓରଫ ବାଘା ଗତକାଲି ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ମା’ ମଣି ଶିଅଳ(୪୫)ଙ୍କୁ ଏକ କଟୁରୀରେ ହାଣି ହତ୍ୟା କରିଥିବା ଜଣାପଡ଼ିଛି।

ଘଟଣାରୁ ପ୍ରକାଶଯେ, କିଛିଦିନ ତଳେ ରଘୁନାଥଙ୍କ ସ୍ତ୍ରୀ ମଣି ଛେଳି ବିକ୍ରି କରିଥିଲେ। ଛେଳି ବିକ୍ରି ଟଙ୍କା ପୁଅ ଜଗବନ୍ଧୁ ତାଙ୍କୁ ମାଗିଥିଲା। ହେଲେ ପୁଅ ସବୁବେଳେ ନିଶାରେ ରହୁଥିବାରୁ ମା’ ପୁଅକୁ ଟଙ୍କା ଦେଇନଥିଲେ। ଫଳରେ ବାରମ୍ବାର ଜଗବନ୍ଧୁ ନିଶାସକ୍ତ ଅବସ୍ଥାରେ ବାପା, ଭଉଣୀ ଓ ମା’ଙ୍କ ସହ ଝଗଡ଼ା କରିବା ସହ ମାଡ଼ ମାରୁଥିଲା। ଗତକାଲି ଅପରାହ୍ନରେ ଜଗବନ୍ଧୁ ପୁଣି ମାଙ୍କୁ ଛେଳି ବିକ୍ରି ଟଙ୍କା ମାଗିଥିଲା। ମା ଟଙ୍କା ନ ଦେବାରୁ ବାପା, ଭଉଣୀ ଓ ମା ସହିତ ଜଗବନ୍ଧୁ ପୁଣି ଝଗଡ଼ା କରି ମାଡ଼ ମାରିଥିଲା। ଫଳରେ ବାପା ଓ ଭଉଣୀ ପ୍ରାଣ ଭୟରେ ଘର ଛାଡ଼ି ଗ୍ରାମର ଅନ୍ୟ ଜଣଙ୍କ ଘରକୁ ଯାଇ ସେଠାରେ ରାତିରେ ରହିଥିଲେ। ହେଲେ ପାଷାଣ୍ଡ ପୁଅ ବିଳମ୍ବିତ ରାତିରେ ପୁଣି ମଦପିଇ ଘରକୁ ଆସି ମାଗିଥିଲା ଟଙ୍କା। ମା’ ମନା କରିବାରୁ ହିତାହିତ ଜ୍ଞାନ ଭୁଲି ଏକ କଟୁରୀରେ ତାଙ୍କୁ ହାଣିବା ସହିତ ଆଗଡ଼ରେ ପିଠିକୁ ଭୁସି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ମଣିଙ୍କର ମୃତ୍ୟୁ ହୋଇଥିଲା। ଏଭଳି କାଣ୍ଡ ଭିଆଇ ଜଗବନ୍ଧୁ କେଉଁଆଡେ ଚାଲିଯାଇଥିବାବେଳେ ଆଜି ସକାଳେ ବାପା ଓ ଭଉଣୀ ଘରକୁ ଫେରିବା ପରେ ରକ୍ତାକ୍ତ ଅବସ୍ଥାରେ ମଣିଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ଜଗବନ୍ଧୁ ଘରକୁ ଫେରିବା ମାତ୍ରେ ଗ୍ରାମବାସୀ ତାକୁ ଅଟକ ରଖି ଖଇରା ଥାନାକୁ ଖବର ଦେଇଥିଲେ। ଖବର ପାଇ ଖଇରା ଥାନାର ଆଇଆଇସି ସୁବ୍ରତ କୁମାର ବେହେରା, ଏସଆଇ ସୁଜାତା ମଲ୍ଲିକ ଘଟଣାସ୍ଥଳରେ ପହ‌ଞ୍ଚି ଅଭିଯୁକ୍ତ ଜଗବନ୍ଧୁକୁ ଗିରଫ କରିଥିଲେ।

ସମ୍ବନ୍ଧିତ ଖବର