ମା’କୁ ହତ୍ୟାକଲା ପୁଅ:ବାପା, ପତ୍ନୀ ଓ ସାନଭାଇ ଗୁରୁତର

ପୁରୀ: ଋଣ ଭାର ସହି ନପାରି ପୁଅ ଭିଆଇଛି ବୀଭତ୍ସ ହତ୍ୟାକାଣ୍ଡ। କଟୁରିରେ ମା’ର ମୁହଁକୁ ଚୋଟ ପକାଇ ଅତି ନିର୍ମମ ଭାବେ ହତ୍ୟା କରିଛି ନିଷ୍ଠୁର ପୁଅ। ପେଣ୍ଠକଟା ମେରାଇନ୍‌ ଥାନା ଅଧୀନ ବାଲିଘାଟ ଅଞ୍ଚଳ ସୁଭଦ୍ରାନଗରସ୍ଥିତ ନାୟକ ସାହିରେ ଘଟିଛି ଏହି ହୃଦୟ ବିଦାରକ ଘଟଣା। ମା’ଙ୍କ ସମେତ ପକ୍ଷାଘାତ ଆକ୍ରାନ୍ତ ବାପା, ପତ୍ନୀ ଓ ଭାଇକୁ ମଧ୍ୟ କଟୁରିରେ ହାଣି ହତ୍ୟା ଉଦ୍ୟମ କରିଛି ଅଭିଯୁକ୍ତ ପୁଅ ବିଷ୍ଣୁପ୍ରସାଦ ଦୀକ୍ଷିତ ଓରଫ୍‌ କାଳୁ (୩୨)। ‌ଏହି ଅଭାବନୀୟ ଘଟଣା ଘଟାଇବା ପରେ ନିଜେ ନିଜ ମୁଣ୍ଡକୁ କାନ୍ଥରେ ପିଟି ଅଚେତ ହୋଇ ମେଡିକାଲ୍‌ ଆଇସିୟୁରେ ଭର୍ତ୍ତି ହୋଇଛି କାଳୁ।

ଆକ୍ରମଣରେ ମା’ ଗୁନିଲତା ଦୀକ୍ଷିତ(୫୮)ଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ‌େବ‌ଳେ ବାପା କୃଷ୍ଣଚନ୍ଦ୍ର ଦୀକ୍ଷିତ(୬୨), ପତ୍ନୀ ମମତା ପଣ୍ଡା(୨୮) ଓ ସାନଭାଇ ସୁବ୍ରତ କୁମାର ଦୀକ୍ଷିତ(୨୩) ଗୁରୁତର ଅବସ୍ଥାରେ ପୁରୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଘଟଣାସ୍ଥଳରେ ପେଣ୍ଠକଟା ମେରାଇନ୍‌ ଥାନା ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟ୍‌ଫିକ୍‌ ଟିମ୍‌ ହତ୍ୟାକାଣ୍ଡ ସ୍ଥଳରେ ଯାଞ୍ଚ ଆରମ୍ଭ କରିଛି।

ମିଳିଥିବା ସୂଚନା ମୁତାବକ, ଆଜି ଭୋର ପ୍ରାୟ ୫ଟାରେ ପକ୍ଷାଘାତରେ ପଡ଼ିଥିବା କୃଷ୍ଣଚନ୍ଦ୍ର ପୁଅ କାଳୁକୁ ପାଖକୁ ଡାକି ପରିସ୍ରା ନେଇଯିବା ପାଇଁ କହିଥିଲେ। ବାପାଙ୍କୁ ପରିସ୍ରା କରାଇ ଆଣି ଶୁଆଇଦେବା ପରେ ପକ୍ଷାଘାତ ରୋଗର ଚିକିତ୍ସା ପାଇଁ ଝାମ୍ପୁଲାକୁଦା ଯିବାକୁ କାଳୁ ବାପାଙ୍କ ସହ ଆଲୋଚନା କରିଥିଲା। ପରେ ଯାଇ ନିଜ ବେଡ୍‌‌ରେ ଶୋଇ ପଡ଼ିଥିଲା। କିନ୍ତୁ ହଠାତ୍‌ ସେ ଘରେ ଥିବା ଧାରୁଆ କଟୁରି ଧରି ଛାତ ଉପରକୁ ଯାଇଥିଲା। ସେଠାରେ ମା’ ଧାନ ଶୁଖାଉଥିବା ‌େବ‌ଳେ ଅଚାନକ ତାଙ୍କ ମୁହଁକୁ କଟୁରିରେ ଚୋଟ ପକାଇଥିଲା। କିଛି ବୁଝିବା ଆଗରୁ ସେଇ ଧାନ ଉପରେ ମୁହଁ ମାଡ଼ି ଟଳିପଡ଼ିଥିଲେ ଗୁନିଲତା।

କାଳୁ ଏତେ ହିଂସ୍ର ହୋଇଉଠିଥିଲା ଯେ ପକ୍ଷାଘାତରେ ଶଯ୍ୟାଶାୟୀ ଥିବା ବାପାଙ୍କ ତଣ୍ଟିକୁ ଚୋଟ ପକାଇବାରୁ କୃଷ୍ଣଚନ୍ଦ୍ର ଚିତ୍କାର କରିଥିଲେ। ଚିତ୍କାର ଶୁଣି କାଳୁର ପତ୍ନୀ ମମତା ଦୌଡ଼ି ଆସିବାରୁ ତାଙ୍କୁ ମଧ୍ୟ କଟୁରିରେ ଆକ୍ରମଣ କରିଥିଲା। ସାନଭାଇ ସୁବ୍ରତ ମଧ୍ୟ ଆକ୍ରମଣରୁ ବାଦ ପଡ଼ିନଥିଲେ। ସୁବ୍ରତ ଭାଇକୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କର ବେକ ଓ ମୁଣ୍ଡକୁ କଟୁରିରେ ହାଣି ଦେଇଥିଲା କାଳୁ।

ସାନଭାଇ ସୁବ୍ରତଙ୍କ ଅଭିଯୋଗ ମୁତାବକ, ତାଙ୍କ ଭାଇ ୪୦ରୁ ୫୦ ଲକ୍ଷ ଟଙ୍କା ଋଣ କରିଥିଲେ। ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ କମ୍ପାନି ସମେତ ହାତ ଉଧାରି ଋଣ ଆଣି ଏକ ଗାଡ଼ି ସ୍ପେୟାର ପାର୍ଟସ ସୋ’ରୁମ୍‌ ଓ ହାଇଟେକ୍‌ ୱାର୍କସପ୍‌ ଖୋଲିଥିଲେ। ବାଲିଘାଟରେ ୫ଲକ୍ଷ ଟଙ୍କାରେ ଏକ ଜାଗା ଲିଜ୍‌ ନେବା ସହ ୱାର୍କସପ୍‌ରେ ଉନ୍ନତ ବୈଷୟିକ ଯନ୍ତ୍ରପାତି ଖଞ୍ଜିଥିଲେ। ଜାଗର ଦିନ ଆଡ଼ମ୍ବର ସହକାରେ ଏହାକୁ ଉଦଘାଟନ କରିଥିଲେ। ତେଣୁ ଋଣଭାରର ବୋଝ ଯୋଗୁଁ ସେ ମାନସିକ ଭାରସାମ୍ୟ ହରାଇ ଏଭଳି ହତ୍ୟାକାଣ୍ଡ ଘଟାଇ ଥାଇପାରନ୍ତି ବୋଲି ସୁବ୍ରତ ଏତଲାରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର