ଭାତ ଦେବାରେ ଡେରି ହେଲା ବୋଲି ମା’କୁ ମାରିଦେଲା ପୁଅ

ସୋର: ଖାଇବାକୁ ଦେବାରେ ସାମାନ୍ୟ ବିଳମ୍ବ ହେବାରୁ ଠେଙ୍ଗାରେ ପିଟିପିଟି ମା’କୁ ହତ୍ୟା କରିଛି ନୃଶଂସ ମଦ୍ୟପ ପୁଅ। ଏଭଳି ନରକୀୟକାଣ୍ତ ଘଟିଛି ସୋର ବ୍ଲକ ଶିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡ଼ିହା ଗ୍ରାମରେ। ଘଟଣା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ଅନୁସାରେ, ଗ୍ରାମର ପୁରୁଷୋତ୍ତମ ବେହେରାଙ୍କ ସାନପୁଅ ରତିକାନ୍ତ ବେହେରା(୨୮) କୌଣସି କାମଧନ୍ଦା ନକରି ବେକାର ବୁଲିଥାଏ। ଅଧିକାଂଶ ସମୟ ନିଶାଶକ୍ତ ଅବସ୍ଥାରେ ଘରକୁ ଫେରି ବାପାମା’ଙ୍କୁ ମାରଧର କରେ। ବାପା ମା’ ମଧ୍ୟ ପୁଅକୁ ଡରିମରି ଖାଇବାକୁ ଦେଉଥିଲେ। ହେଲେ ଶନିବାର ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ରତିକାନ୍ତ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ମା’ ସତ୍ୟଭାମାକୁ ଖାଇବାକୁ ମାଗିଥିଲା। ରୋଷେଇ ସରିନଥିବାରୁ ମା’ ଖାଇବାକୁ ଦେବାରେ ସାମାନ୍ୟ ବିଳମ୍ବ ହୋଇଥିଲା। ଏତିକି କଥାରେ ରତିକାନ୍ତର ମୁଣ୍ଡକୁ ପିତ୍ତ ଚଢ଼ି ଯାଇଥିଲା। ମା’ ଭାତଥାଳି ଧରି ପହଞ୍ଚିବା ମାତ୍ରେ ବାଉଁଶ ଡେଙ୍ଗାରେ ତାଙ୍କୁ ପିଟି ଚାଲିଲା ରତିକାନ୍ତ। ମା’ ପ୍ରାଣବିକଳରେ ଦୌଡ଼ି ପଳାଇ ଯିବାକୁ ଚେଷ୍ଟା କରୁଥିବା ବେଳେ ପୁଅର ଶକ୍ତ ପ୍ରହାରରେ ତଳେ ପଡ଼ି ଯାଇଥିଲେ। କ୍ରୋଧାନ୍ଧ ପୁଅ ଅତି ନୃଶଂସ ଭାବେ ସତ୍ୟଭାମାଙ୍କୁ ୨୦ରୁ ୩୦ ପାହାର ପିଟି ଚାଲିଥିଲା। ସେଠାରେ ହିଁ ସତ୍ୟଭାମାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ପତ୍ନୀଙ୍କୁ ବଞ୍ଚା‌ଇବା ପାଇଁ ଯାଇ ପୁରୁଷୋତ୍ତମ ମଧ୍ୟ ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକଙ୍କଠାରୁ ଖବର ପାଇ ସୋର ପୁଲିସ ଘଟଣାସ୍ଥଳରେ ପହ‌ଞ୍ଚି ରତିକାନ୍ତକୁ କାବୁ କରିବା ସହ ସତ୍ୟଭାମାଙ୍କ ଶବ ଜବତ କରିଥିଲା। ପରେ ବାଲେଶ୍ବରରୁ ସାଇଣ୍ଟିଫିକ୍ ଟିମ୍ ପହ‌ଞ୍ଚି ଘଟଣାର ଅଧିକ ତଦନ୍ତ କରିଛି। ସୋର ପୁଲିସ୍‌ ରତିକାନ୍ତକୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର