ରାଜଧାନୀରେ ଚାଞ୍ଚଲ୍ୟ : ମା’କୁ ପିଟି ମାରିଦେଲେ ୨ ନାବାଳକ ପୁଅ

ଫେରାର ପୂର୍ବରୁ ରେଳ ଷ୍ଟେସନରୁ ଧରାପଡ଼ିଲେ, ଶାବଳ, ମଦ ବୋତଲ ଜବତ

ଭୁବନେଶ୍ୱର : ‘ସବୁ ଦିନ ମଦ ପିଇ ଗାଳି କରୁଥିଲା, ବାଡ଼ାପିଟା କରୁଥିଲା। ରୋଷେଇ କରି ଖାଇବାକୁ ଦେଉନଥିଲା। ବହୁ ସମୟରେ ରାତିରେ ଦୁଇ ଭାଇ ଉପାସ ଶୋଉଥିଲୁ। ମଦ ପିଇବ ବୋଲି ପାଠପଢ଼ା ସମୟରେ ଛାଖଣା ଆଣିବାକୁ ଜୋର୍‌ କରି ବଜାର ପଠାଉଥିଲା। ଗତକାଲି ରାତିରେ ମଦ ପିଇ ନିଶାରେ ଚୁର୍ ହୋଇଥିଲା। ଆମକୁ ପ୍ରବଳ ଭୋକ ଲାଗୁଥିଲା। ଖାଇବାକୁ ମାଗିବାରୁ ସେ ଆମକୁ ପିଟିଲା। ତେଣୁ ଆଉ ସହି ପାରିଲୁନି, ଭୋକ ଓ ରାଗରେ ଆମେ କିଛି ଜାଣି ପାରିଲୁନାହିଁ। ଶାବଳରେ ପିଟି ତାକୁ ମାରିଦେଲୁ।’ ଏମିତି ଥିଲା ନିଜ ମା’କୁ ହତ୍ୟା କରିଥିବା ଦୁଇ ନାବାଳକଙ୍କ ବୟାନ।

ଗତକାଲି ରାତିରେ ଭୁବନେଶ୍ବର ଏୟାର୍‌ଫିଲ୍ଡ ଥାନା ଅନ୍ତର୍ଗତ ପଧାନସାହି ଅର୍ଚିଡ୍ ଆପାର୍ଟମେଣ୍ଟରେ ନିଜ ମା’କୁ ହତ୍ୟା କରି ପୁଲିସ ହାତରେ ଧରା ପଡ଼ିଥିବା ଦୁଇ ନାବାଳକଙ୍କ ଏହି ଲୋମଟାଙ୍କୁରା କାହାଣୀ ଆଜି ରାଜଧାନୀରେ ହଇଚଇ ସୃଷ୍ଟି କରିଛି। ସ୍ବାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳା ନିଜ ଦୁଇ କୋମଳମତି ପିଲାଙ୍କ ପ୍ରତି ଏଭଳି ଅମାନୁଷିକ ବ୍ୟବହାର କରିପାରେ ବୋଲି କେହି ବିଶ୍ବାସ କରିପାରୁନାହାନ୍ତି। ସେହିଭଳି ଏତେ ଛୋଟ ଛୋଟ ପିଲା ନିଜ ହାତରେ ମା’କୁ ଶାବଳରେ ପିଟି ପିଟି ମାରିଦେବା ଭଳି କାଣ୍ଡ ଘଟାଇଥିବା କଥାକୁ ମଧ୍ୟ କେହି ସହଜରେ ଗ୍ରହଣ କରିପାରୁନାହାନ୍ତି। କିନ୍ତୁ ଘଟଣାଟି ସତ ବୋଲି ପୁଲିସ ତଦନ୍ତରୁ ପ୍ରାୟ ସ୍ପଷ୍ଟ ହୋଇଛି। ମୃତ ମହିଳା ବିନୋଦିନୀ ମିଶ୍ର(୩୮)ଙ୍କ ମୃତଦେହକୁ କ୍ୟାପିଟାଲ ହସ୍ପିଟାଲରେ ବ୍ୟବଚ୍ଛେଦ କରାଇଛି ଓ ଅଧିକ ତଦନ୍ତ ଜାରି ରଖିଛି। ପୁଲିସ ଉକ୍ତ ଘରୁ ଶାବଳ, ବିପୁଳ ମଦ ବୋତଲ, ସିଗାରେଟ୍, ଗୁଟଖା ଆଦି ବିଭିନ୍ନ ନିଶା ସାମଗ୍ରୀ ଜବତ କରିଛି। ଆସନ୍ତାକାଲି ଅଭିଯୁକ୍ତ ନାବାଳକଦ୍ବୟଙ୍କୁ ଜୁଭେନାଇଲ୍‌ ଜଷ୍ଟିସ୍‌ ବୋର୍ଡରେ ହାଜର କରାଯିବ ବୋଲି ପୁଲିସ ସୂଚନା ଦେଇଛି।

ଗତକାଲି ରାତି ପ୍ରାୟ ସାଢେ ୧୧ଟାରେ ବିନୋଦିନୀଙ୍କ ବଡ଼ପୁଅ ପଡ଼ୋଶୀ ପରଭେଜ୍ ଆଲମ୍‌ଙ୍କୁ ଫୋନ୍ କରି କହିଥିଲେ ଯେ କେହି ତାଙ୍କ ମା’ଙ୍କୁ ଆକ୍ରମଣ କରିଛି। ମା’ ଗୁରୁତର ହୋଇ ଘରେ ପଡିଛନ୍ତି। ପୁଣି କିଛି ସମୟ ପରେ ଅନ୍ୟ ଏକ ନମ୍ବରରୁ ଆଲାମ୍‌ଙ୍କ ପାଖକୁ କେହି ଫୋନ୍ କରି ସେହି ସମାନ କଥା କହିଥିଲେ। ତେଣୁ ଘଟଣା କ’ଣ ଜାଣିବା ପାଇଁ ଆଲମ୍‌ ଅନ୍ୟ ପଡ଼ୋଶୀଙ୍କ ସହ ଫ୍ଲାଟ୍‌ ୧୦୯(ବିନୋଦିନୀଙ୍କ ଘର)କୁ ଯାଇଥିଲେ। ଭିତରକୁ ପଶିବା ପରେ ସେମାନେ ଆବାକ୍ ହୋଇ ଯାଇଥିଲେ। ଡାଇନିଂ ରୁମ୍‌ରୁ ରକ୍ତ ଧାର ବାଥ୍‌ ରୁମ୍‌ ପର୍ଯ୍ୟନ୍ତ ଲମ୍ବିଥିଲା। କେହି ବିନୋଦିନୀଙ୍କ ମୃତଦେହକୁ ଘୋଷାରି ଘୋଷାରି ବାଥରୁମ୍‌ରେ ଫିଙ୍ଗି ଦେଇଥିଲା। କିନ୍ତୁ ନାବାଳକ ପୁଅ ଦ୍ବୟ ଘରେ ନଥିଲେ। ତେଣୁ ଆଲମ୍‌ ତୁରନ୍ତ ଏୟାର୍‌ଫିଲ୍ଡ ଥାନାକୁ ଖବର ଦେଇଥିଲେ। ଘଟଣା ପ୍ରଘଟ ହେବା ମାତ୍ରେ ସମଗ୍ର କଲୋନି ସ୍ତବ୍ଦ ହୋଇ ଯାଇଥିଲା। ପୁଅମାନେ କୁଆଡ଼େ ଗଲେ ବୋଲି ସମସ୍ତେ ଚିନ୍ତାରେ ପଡ଼ି ଯାଇଥିଲେ। କେହି ଦୁର୍ବୃତ୍ତ ପୁଅମାନଙ୍କୁ ଆଉ ଅପହରଣ କରି ନେଇଛି କି ବୋଲି ସମସ୍ତେ ସନ୍ଦେହ କରିଥିଲେ। ଆଇଆଇସି ଦୀପକ ମିଶ୍ର, ସ୍ପେଶାଲ ସ୍କ୍ବାଡ୍ ଏସିପି ସଞ୍ଜିବ ଶତପଥୀ ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳକୁ ଛୁଟି ଆସିଥିଲେ। ସଙ୍ଗେ ସଙ୍ଗେ ପୁଲିସ ବଡ଼ପୁଅ ଆଲମ୍‌ଙ୍କୁ ଫୋନ୍ କରିଥିବା ନମ୍ବରରେ କଲ୍ କରିଥିଲା। କିନ୍ତୁ ତାହା ସୁଇଚ୍ ଅଫ୍ ଥିଲା। କିନ୍ତୁ ଉକ୍ତ ନମ୍ବରଟି କ୍ୟାପିଟାଲ ହସ୍ପିଟାଲ ସାଇକେଲ୍ ଷ୍ଟାଣ୍ଡର ଜଣେ କର୍ମଚାରୀଙ୍କର ବୋଲି ଜଣାପଡ଼ିଥିଲା। ତେଣୁ ତୁରନ୍ତ ପୁଲିସ ସେଠାରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ପରେ ବଡପୁଅର ଚେହେରା, ପୋଷାକ, ଗାଡ଼ି ଦେଖି ନେଇଥିଲା। ତୁରନ୍ତ ୩ଟି ଟିମ୍ ବରମୁଣ୍ଡା ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ ଓ ଅନ୍ୟାନ୍ୟ ସ୍ଥାନରେ ଖୋଜାଖୋଜି କରିଥିଲେ। ରେଲୱେ ଷ୍ଟେସନ ନିକଟରେ ଏକ ନୀଳ ରଙ୍ଗର ହିରୋ ମାଷ୍ଟେରୋ ଗାଡ଼ି ଧରି ଦୁଇ ଭାଇ ଛିଡ଼ା ହୋଇଥିବା ବେଳେ ପୁଲିସ ସେମାନଙ୍କୁ ଠାବ କରିଥିଲା। ଦୁଇ ଜଣଙ୍କୁ ପଚରାଉଚରା କରିବା ପରେ ସେମାନେ ହତ୍ୟାକାଣ୍ଡ ଘଟାଇଥିବାର କାହାଣୀ କହିଥିଲେ। ପ୍ରବଳ ଭୋକରେ ଦୁଇ ଭାଇ ଆଉଟୁପାଉଟୁ ହେଉଥିବା ବେଳେ ମଦ ନିଶାରେ ବିନୋଦିନୀ ସେମାନଙ୍କୁ ବାଡ଼େଇଥିଲେ। ତେଣୁ ରାଗରେ ସେମାନେ ମଧ୍ୟ ଏକ ଶାବଳରେ ତାଙ୍କ ମୁଣ୍ଡକୁ ପିଟିଦେଲେ।

ପୁଲିସ ସୂଚନା ଅନୁସାରେ ବିନୋଦୀଙ୍କ ସ୍ବାମୀ ନିହାର ରଞ୍ଜନ ପ୍ରଧାନ ରାଉରକେଲାରେ ଏକ ଘରୋଇ କମ୍ପାନିରେ ଚାକିରି କରନ୍ତି। ଦୁଇ ମାସ ହେଲା ବିନୋଦିନୀ ଦୁଇ ପୁଅଙ୍କ ସହ ଅର୍ଚିଡ୍ ଆପାର୍ଟମେଣ୍ଟର ୧୦୯ ନମ୍ବର ଫ୍ଲାଟକୁ ଭଡ଼ାରେ ନେଇଥିଲେ। ଦୁଇ ପୁଅଙ୍କ ବୟସ ଯଥାକ୍ରମେ ୧୫ ଏବଂ ୧୨ ବର୍ଷ। ସେମାନେ ପୁରୁଣା ଭୁବନେଶ୍ବରରେ ଏକ ହାଇସ୍କୁଲରେ ଦଶମ ଓ ସପ୍ତମ ‌‌ଶ୍ରେଣୀରେ ପାଠ ପଢୁଛନ୍ତି। ବିନୋଦିନୀ ସବୁବେଳେ ମଦ୍ୟପାନ କରନ୍ତି। ଏମିତିକି ଦୁଇ ପୁଅଙ୍କ ସାମ୍ନାରେ ପିଇବାକୁ ସଂକୋଚ କରନ୍ତି ନାହିଁ। ଖାଲି ମଦ ନୁହେଁ ସିଗାରେଟ୍ ମଧ୍ୟ ଟାଣନ୍ତି ଓ ଗୁଟ୍‌ଖା ଖାଆନ୍ତି। ଘରର ସବୁ କାମ ପୁଅଦ୍ବୟଙ୍କ ଦ୍ବାରା କରାନ୍ତି। ସେହିଭଳି ଜଣେ ପଡ଼ୋଶୀଙ୍କ ସୂଚନା ଅନୁସାରେ, ବିନୋଦିନୀ ବହୁ ସମୟରେ ବାହାରକୁ ଯାଆନ୍ତି ଓ ବିଳମ୍ବିତ ରାତିରେ ଫେରିବାବେଳେ ନିଶାରେ ଚୁର୍ ହୋଇଥାଆନ୍ତି। ଜଣେ ନିଶାସକ୍ତ ଯୁବକ ତାଙ୍କୁ ନିୟମିତ ଛାଡ଼ିବାକୁ ଆସେ।

ସମ୍ବନ୍ଧିତ ଖବର