ବୃଦ୍ଧା ମା’ଙ୍କୁ ଫୁଟ୍‌ପାଥରେ ଫିଙ୍ଗି ପୁଅ ଛୁ

ହଜିଗଲା ମାନବିକତା

କଟକ: ବହୁ ଦିଅଁ ଦେବତା ପୂଜାକରି ପୁଅ ପାଇଥିଲେ। ଆଶା ଥିଲା ଶେଷ ମୁହୂର୍ତ୍ତରେ ସେ ସାହା ଭରସା ହେବ । ଏଥିପାଇଁ ସବୁବେଳେ ମା’ ଭଗବତୀଙ୍କୁ ଗହାରି କରୁଥିଲେ ସେ । ମାତ୍ର ସବୁ ଆଶା ତାଙ୍କର ପାଣି ଫୋଟକାରେ ମିଳେଇଗଲା । ପୁଅ ପୋଷିବା ତ ଦୂରର କଥା, ବୃଦ୍ଧାବସ୍ଥାରେ ଦୂରଦୂର ମାର୍‌ ମାର୍‌ କଲା । ଆଉ ଶେଷରେ ମୁଣ୍ଡରୁ ବୋଝ ହଟାଇବା ପାଇଁ ଜନ୍ମକଲା ମା’କୁ ରାସ୍ତାରେ ଫିଙ୍ଗି ଚାଲିଗଲା ପୁଅ । ଏପରି ଏକ ଅଭାବନୀୟ ଘଟଣା କଟକର ଜନଗହଳିପୂର୍ଣ୍ଣ ବାଦାମବାଡି ଅଞ୍ଚଳରେ ଘଟିଛି। ବୃଦ୍ଧାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି ।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବାଣପୁର ତଳସାହିର ସୁରୀ ପାତ୍ର(୯୦)ଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ । ପୁଅ ବାଣପୁରରେ ଅଣ୍ଡା ବ୍ୟବସାୟ କରୁଥିବା ବେଳେ ଝିଅ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳର କଟିକଟାରେ ବିବାହ କରିଛନ୍ତି । ପାରିବରିକ ମନୋମାଳିନ୍ୟ ହେତୁ ସୁରୀ ଗତ କିଛି ବର୍ଷ ହେବ ଏକମାତ୍ର ପୁଅଠାରୁ ଅଲଗା ହୋଇ ବାଣପୁର ଭଗବତୀ ସାହିରେ ଅଲଗା ରହୁଥିଲେ । ମାତ୍ର ଗତ ପାଞ୍ଚ ମାସ ତଳେ ତାଙ୍କର ଗୋଡ ଭାଙ୍ଗିଯିବାରୁ ପୁଅ ପାଖକୁ ଚାଲି ଆସିଥିଲେ । ଗତକାଲି ସୁରୀ ଝିଅଘର କଟିକଟାକୁ ବାହାରିବାରୁ ପୁଅ ତାଙ୍କୁ ବସ୍‌ ଯୋଗେ କଟକ ନେଇ ଆସିଥିଲେ । କିନ୍ତୁ ପୁଅ ଆଉ କଟିକଟା ନ ଯାଇ ମାଆଙ୍କୁ ଅନ୍ୟ ଜଣେ ମହିଳାଙ୍କ ସାଙ୍ଗରେ ପଠାଇ ଦେଇଥିଲେ । ଆଜି ସୁରୀଙ୍କୁ ଏକାକିନୀ କଟକର ରାଜାବଗିଚା ଗଡା ନିକଟରେ ଅସହାୟ ଅବସ୍ଥାରେ ଦେଖିବାକୁ ମିଳିଥିଲା । ଦୀର୍ଘ ସମୟ ଧରି ସୁରୀ ଏକୁଟିଆ ବସିରହିଥିବା ବେଳେ ସ୍ଥାନୀୟ ଅଞ୍ଚଳର ଜଣେ ସ୍ୱେଚ୍ଛାସେବୀଙ୍କ ନଜରକୁ ଆସିଥିଲା । ଏ ନେଇ ସେ ତାଙ୍କର ପରିଚୟ ମାଗିବାରୁ ବୃଦ୍ଧାଜଣକ କିଛି କହି ନ ପାରି କେବଳ ବାଣପୁର ତଳସାହିରେ ଘର ବୋଲି କହିଥିଲେ। ଦୈବ ଯୋଗକୁ ସ୍ୱେଚ୍ଛାସେବୀଙ୍କ ନିଜ ଘର ବାଣପୁରରେ। ସେ ବୃଦ୍ଧାଙ୍କ ଫଟୋକୁ ହ୍ଵାଟ୍‌ସଆପରେ ବାଣପୁରର ଜଣେ ଚିହ୍ନାଲୋକଙ୍କ ପାଖକୁ ପଠାଇଥିଲେ । ହ୍ଵାଟସ୍‌ଆପ ଫଟୋକୁ ଦେଖି ସ୍ଥାନୀୟ ଲୋକେ ସୁରୀଙ୍କୁ ଚିହ୍ନଟ କରିବା ସହ ତାଙ୍କର ପୁଅଙ୍କ ମୋବାଇଲ ନମ୍ବର ଦେଇଥିଲେ । ପରେ ସ୍ୱେଚ୍ଛାସେବୀ ଜଣକ ଏ ସମ୍ପର୍କରେ ତାଙ୍କ ପୁଅଙ୍କ ସହ କଥା ହୋଇଥିଲେ । କିନ୍ତୁ ପୁଅ ମା’ଙ୍କୁ କଟିକଟାରେ ଛାଡିଥିବା କହଥିବା ବେଳେ ଏଥିନେଇ ସେ ନିଜ ଭଉଣୀ ଉପରେ ଦୋଷାରୋପ କରିଥିଲେ । ସ୍ଥାନୀୟ ଲୋକଙ୍କ ତାଗିଦ ପରେ ପୁଅ ଦୀର୍ଘ ୧୨ ଘଣ୍ଟା ପରେ କଟକରେ ପହଞ୍ଚିଥିଲେ । ସେ ନିଜକୁ ଦୋଷମୁକ୍ତ ବୋଲି ଦାବି କରିବା ସହ ମାଆଙ୍କୁ ନେବା ପାଇଁ ବାହାରିଥିଲେ । ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୁଲିସକୁ ଜଣାଇଥିଲେ । ପୁଲିସ ଉପସ୍ଥିତିରେ ବୃଦ୍ଧା ଜଣକ ଘରକୁ ଫେରିଥିଲେ । ଏହି ଘଟଣା ସାଧାରଣରେ ଆଲୋଚ୍ୟର ବିଷୟ ହୋଇଛି ।

ସମ୍ବନ୍ଧିତ ଖବର