ଜୟପୁର: ପରକୀୟା ପ୍ରୀତି ପାଇଁ ଅନ୍ଧ ହେଲା ମାଆ। ଜନ୍ମ କଲା ପୁଅକୁ ପ୍ରେମିକ ହାତକୁ ଟେକିଦେଇ ଅପହରଣର ନାଟକ ରଚିଛି। ଅଭିଯୋଗ ପରେ ଅପହରଣ ନାଟକର ପର୍ଦାଫାସ କରିଛି ପୁଲିସ୍‌। ଜନ୍ମ କଲା ମାଆ ହିଁ ଏହି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ପୁଲିସ୍‌ କହିଛି। ସୁକାନ୍ତି ଦାସଙ୍କୁ ତଦନ୍ତ ପରସରଭୁକ୍ତ କରିବା ପରେ ସତ୍ୟ ପଦାକୁ ଆସିଛି। ମାମଲାରେ ପୁଲିସ୍‌ ସୁକାନ୍ତିଙ୍କ ପ୍ରେମିକ ସନ୍ତୋଷ ତ୍ରିପାଠୀକୁ ଅଟକ ରଖିଛି। ଭୁବନେଶ୍ବରରୁ ସନ୍ତୋଷଙ୍କ ସମ୍ପର୍କୀୟ ଘରୁ ଉଦ୍ଧାର ହୋଇଛି ୩ ମାସର ଶିଶୁ। ସ୍ତ୍ରୀଙ୍କ ଏପରି କାର୍ଯ୍ୟକୁ ସ୍ବାମୀ ପରମେଶ୍ବର ଖେମୁଣ୍ଡୁ ନିନ୍ଦା କରିବା ସହ ଭବିଷ୍ୟତରେ ଆଉ ଘରେ ନ ପୂରାଇବାକୁ ଚେତାବନୀ ଦେଇଛନ୍ତି।

Advertisment

ମା’ ରଚିଥିଲା ଅପହରଣ ନାଟକ
ଭୁବନେଶ୍ବରରୁ ଉଦ୍ଧାର ହେଲା ଅପହୃତ ୩ ମାସର ଶିଶୁ
ପ୍ରେମିକ ଅଟକ, ସ୍ତ୍ରୀକୁ ଆଉ ଗ୍ରହଣ କରିବାକୁ ମନାକଲେ ସ୍ବାମୀ

ଜୟପୁର ସହର ମାଦଳା ସାହି ଭାରତ ଗ୍ୟାସ୍‌ ନିକଟରେ ଘରଭଡ଼ା ନେଇ ରହୁଛନ୍ତି ପରମେଶ୍ବର ଖେମୁଣ୍ଡୁ। ଏକ ଘରୋଇ ବ୍ୟାଙ୍କରେ ପରମେଶ୍ବର କାମ କରୁଥିବା ବେଳେ ତାଲିମ ପାଇଁ ବଲାଙ୍ଗୀର ଯାଇଥିଲେ। ସ୍ତ୍ରୀ ସୁକାନ୍ତି ଦୁଇ ପୁଅଙ୍କ ସହ ଘରେ ଥିଲେ। ୩ତାରିଖ ରାତି ସାଢ଼େ ୧୦ଟାରେ ଭିଡିଓ କଲ୍‌ ମାଧ୍ୟମରେ ପରମେଶ୍ବର ସୁକାନ୍ତିଙ୍କ ସହ କଥା ହୋଇଥିଲେ। ଦୁଇ ପୁଅଙ୍କୁ ମଧ୍ୟ ଦେଖିଥିଲେ। କିନ୍ତୁ ୪ତାରିଖ ସକାଳେ ସୁକାନ୍ତି ୩ମାସର ଛୁଆକୁ କେହି ଅପହରଣ କରି ନେଇଥିବା ନେଇ ପରମେଶ୍ବରଙ୍କୁ ଫୋନ୍‌ ଯୋଗେ ଜଣାଇଥିଲେ। ଖବର ପାଇବା ପରେ ବଲାଙ୍ଗୀରରୁ ବାହାରି ସନ୍ଧ୍ୟାରେ ଜୟପୁରରେ ପହଞ୍ଚିଥିଲେ ପରମେଶ୍ବର। ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ସୁକାନ୍ତିଙ୍କ ଉପରେ ସନ୍ଦେହ କରି ଖୋଳତାଡ଼ କରିବା ପରେ ପୁଲିସ ପ୍ରେମିକ ସନ୍ତୋଷ ତ୍ରିପାଠୀକୁ ଭୁବନେଶ୍ବରରୁ କାବୁ କରିଥିଲା। ଏହା ପରେ ସନ୍ତୋଷଙ୍କ ସମ୍ପର୍କୀୟଙ୍କ ଘରୁ ୩ମାସର ଶିଶୁ ଉଦ୍ଧାର ହୋଇଥିଲା। ଶିଶୁପୁତ୍ର ସହ ସନ୍ତୋଷଙ୍କୁ ପୁଲିସ ଜୟପୁର ଆଣିବା ପରେ ଘଟଣା ପଛରେ ପରକୀୟା ପ୍ରୀତି ଥିବା ସ୍ପଷ୍ଟ ହୋଇଛି। 

ସୁକାନ୍ତି ପୂର୍ବରୁ ସନ୍ତୋଷଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଉଭୟଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇରେ। ବିବାହ ପରେ ସୁକାନ୍ତି ଜୟପୁରରେ ରହୁଥିବା ବେଳେ ପ୍ରେମିକ ସନ୍ତୋଷ ବଲାଙ୍ଗୀରରେ ଆଇଆର୍‌ବି ଯବାନ ଭାବେ କାର୍ଯ୍ୟରତ ଅଛନ୍ତି। ସ୍ବାମୀ ପରମେଶ୍ବର ମାସର ଅଧା ଦିନ ଜିଲ୍ଲା ବାହାରେ ରହୁଥିବାରୁ ଏହାର ସୁଯୋଗ ନେଇ ସନ୍ତୋଷ ଓ ସୁକାନ୍ତି ମିଳାମିଶା କରୁଥିଲେ। ୩ ମାସ ତଳେ ପରମେଶ୍ବର ସନ୍ଦେହ ପ୍ରକଟ କରି ସୁକାନ୍ତିଙ୍କୁ ତାଗିଦ କରିବା ସହ ସନ୍ତୋଷଙ୍କୁ ଏପରି କାର୍ଯ୍ୟରୁ ନିବୃତ ରହିବାକୁ କହିଥିଲେ। କିନ୍ତୁ ସନ୍ତୋଷ ଏଥିରେ ଉତ୍‌କ୍ଷିପ୍ତ ହୋଇ ପରମେଶ୍ବରଙ୍କୁ ହତ୍ୟା ଧମକ ଦେଇଥିଲେ। ଏପରିକି ବିଭିନ୍ନ ମୋବାଇଲରୁ ଫୋନ୍‌ କରି ବିଭିନ୍ନ ସମୟରେ ଧମକ ଚମକ ଦେଉଥିବା ପରମେଶ୍ବର ପୁଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ପରେ ସୁକାନ୍ତିଙ୍କୁ ଆଉ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ପରମେଶ୍ବର। ୫ବର୍ଷର ବଡ଼ ପୁଅକୁ ନିଜ ପାଖରେ ରଖିବା ପାଇଁ ପୁଲିସକୁ କହିଛନ୍ତି। କିନ୍ତୁ ସୁକାନ୍ତି ପରମେଶ୍ବରଙ୍କ ପାଖରେ ହିଁ ରହିବେ ବୋଲି ଜିଦ୍ ଧରିଛନ୍ତି। ୩ମାସର ଶିଶୁକୁ ପ୍ରେମିକ ସନ୍ତୋଷକୁ ହସ୍ତାନ୍ତର କରିବେ ବୋଲି କହିଛନ୍ତି। ତେବେ ଏହି ଘଟଣା ଆଗକୁ କେଉଁ ମୋଡ ନେଉଛି ତାହା ଉପରେ ଏବେ ସଭିଁଙ୍କ ନଜର।