ସମାଜ କଲା ବାସନ୍ଦ, ରୋଗଗ୍ରସ୍ତ ପିତାଙ୍କୁ ଜଙ୍ଗଲରେ ଛାଡ଼ିଲା ପୁଅ

ବରଗଡ଼ : କିଛି ଦିନ ତଳେ ରୋଗୀଣା ମା’ଙ୍କୁ ପରିବାରଲୋକେ ଜଂଗଲ ଭିତରେ ଛାଡ଼ି ଦେଇଥିଲେ। ୧୫ ଦିନ ଧରି ଜଂଗଲ ଭିତରେ ମା’ ଏକୁଟିଆ ଜୀବନ ବିତାଇବା ପରେ ସ୍ବେଚ୍ଛାସେବୀଙ୍କ ଦ୍ୱାରା ଉଦ୍ଧାର ହେଲେ। ଏଭଳି ସମ୍ବେଦନଶୀଳ ଘଟଣା ଜିଲ୍ଲାର ଅତାବିରା ବ୍ଲକ୍‌ ଅଂଚଳରେ ଦେଖିବାକୁ ମିଳିଥିଲା। ଏବେ ଏକ ସମାନ ଘଟଣା ସୋହେଲା ବ୍ଲକ ଅନ୍ତର୍ଗତ ପେଟୁପାଲି ଗ୍ରାମରେ ଦେଖିବାକୁ ମିଳିଛି। ରୋଗାଗ୍ରସ୍ତ ବ୍ୟକ୍ତିଙ୍କୁ ସମାଜ ବାସନ୍ଦ କରିବା ପରେ ପୁଅ ତାଙ୍କୁ ଜଂଗଲରେ ଏକାକୀ ଛାଡ଼ି ଦେଇଛି।

ସୂଚନା ମୁତାବକ, ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ପେଟୁପାଲି ଗ୍ରାମର ହରି ବରିହା(୬୦) ଗତ ଜୁଲାଇ ମାସ ୮ତାରିଖରେ ସନ୍ଧ୍ୟାରେ ଶୌଚ ପାଇଁ ପଦାକୁ ବାହାରି ଥିବା ସମୟରେ କୁକୁର କାମୁଡ଼ି ଥିଲା। ସ୍ତ୍ରୀ ବସନ୍ତ ବରିହା ଦୀର୍ଘ ୨୦ ବର୍ଷ ଆଗରୁ କ୍ୟାନ୍‌ସର୍‌ରେ ପ୍ର‌ାଣ ହରାଇଛନ୍ତି। ବର୍ତମାନ ଏକ ମାତ୍ର ପୁଅ ପ୍ରଶାନ୍ତ ବରିହା(୨୪) ବାପାଙ୍କ ଚିକିତ୍ସା କରିବା ପାଇଁ ପ୍ରଥମେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ବୁର୍ଲା ମେଡିକାଲ୍‌କୁ ନେଇଥିଲେ। ସେଠାରେ ୧୦ଦିନ ଚିକିତ୍ସିତ ହେବା ପରେ  ସେ ଘରକୁ ଫେରିଥିଲେ। କିନ୍ତୁ ତାଙ୍କ କ୍ଷତ ସ୍ଥାନରେ ପୋକ ଲାଗି ଯାଇଥିଲା। ଘଟଣା ଜାଣିବା ପରେ ସମାଜ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରିଥିଲେ। ନିରୁପାୟ ପୁଅ ଶେଷରେ ପିତାଙ୍କୁ ନେଇ ଜଙ୍ଗଲରେ ଏକ କୁଡ଼ିଆ ଘର କରି ଛାଡ଼ି ଆସିଥିଲା।

ସମାଜର ମୁରବିଙ୍କ ନିର୍ଦ୍ଦେଶ ଅନୁସାରେ ସେଠାରେ ହରିଙ୍କ ଗୋଟିଏ ଗୋଡ଼କୁ ବାନ୍ଧି ଦିଆଗଲା। ପରେ ସମାଜରେ ମିଶିବା ପାଇଁ ପୁଅ ଧାରଉଧାର କରି ୧୦ ହଜାର ଟଙ୍କା ଯୋଗାଡ଼ କରିଥିଲା। ମେଣ୍ଢା ଓ ୬ଟି କୁକୁଡ଼ାର ଭୋଜିଭାତରେ ସମାଜର ଲୋକଙ୍କୁ ଆପ୍ୟାୟିତ କରିଥିଲେ। ଯେଉଁଥିରେ ତାକୁ ମୋଟ ୨୦ ହଜାର ଟଙ୍କା ଖର୍ଚ୍ଚାନ୍ତ ହେବାକୁ ପଡିଥିଲା। ଏଭଳି ଖବର ପାଇଁ ସଂକଳ୍ପ ପରିବାରର ସ୍ବେଚ୍ଛାସେବୀମାନେ ହରିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛନ୍ତି।

ସମ୍ବନ୍ଧିତ ଖବର