କିଡ୍‌ନି ରୋଗରେ ପୀଡ଼ିତ ପୁଅର ମୃତ୍ୟୁ ଦେଖି ହୃଦଘାତରେ ପ୍ରାଣ ହରାଇଲେ ୭୦ ବର୍ଷୀୟା ମାଆ

ନୀଳଗିରି: ବାଲେଶ୍ବର ଜିଲ୍ଲାରେ ବରହମପୁର ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ମିଳିଥିବା ସୂଚନା ଅନୁଯାୟୀ, ବରହମପୁର ଥାନା ଅଞ୍ଚଳର ବାଲିଚୁଆ ଗାଁରେ ମାଆା ଓ ପୁଅଙ୍କର ମୃତ୍ୟୁ ଘଟିଛି।


ବାଲିଚୁଆ ଗାଁର ୰ ଶ୍ୟାମସୁନ୍ଦର ସିଂହଙ୍କ ପୁଅ ରବୀନ୍ଦ୍ର ସିଂହ (୩୫) କିଡ୍‌ନି ରୋଗରେ ପୀଡ଼ିତ ଥିଲେ। ସେ ଦୀର୍ଘ ଦିନ ଧରି ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଏହାପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ରେଫର୍ କରିଥିଲେ। କିନ୍ତୁ ଆର୍ଥିକ ଅବସ୍ଥା ଭଲ ନ ଥିବାରୁ ଏବଂ ଲକଡାଉନ୍ ଚାଲିଥିବା ହେତୁ ରବୀନ୍ଦ୍ର ସିଂହଙ୍କୁ ମାଆ ବେଲମଣି ସିଂହ(୭୦) ଗତ ୨୪ ତାରଖରେ ଘରକୁ ନେଇ ଆସିଥିଲେ।


ଗତକାଲି ରାତି ପ୍ରାୟ ୮ଟା ସମୟରେରେ ଘରେ ରବୀନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁରେ ମ୍ରିୟମାଣ ହୋଇ ଘଟଣାସ୍ଥଳରେ ହିଁ ମାଆର ମୃତ୍ୟୁ ଘଟିଥିଲା। ମାଆ ବେଲମଣି ସିଂହ ହୃଦଘାତରେ ପ୍ରାଣ ହରାଇଥିବା ଜଣାଯାଇଛି। ଆଜି ଉଭୟଙ୍କର ଶେଷକୃତ୍ୟ ହେଉଛି। ଏହି ଘଟଣା ସେହି ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ମୃତକ ରବୀନ୍ଦ୍ର ସିଂହ ବିବାହିତ ଏବଂ ତାଙ୍କର ତିନିଟି ଝିଅ ଓ ଗୋଟିଏ ପୁଅ ଥିବା ଜଣାଯାଇଛି।

ସମ୍ବନ୍ଧିତ ଖବର