ରାୟଗଡ଼ା: ରାୟଗଡ଼ାର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ତଥା ବରିଷ୍ଠ କଂଗ୍ରେସ ନେତା ବିଜୟ ଗମାଙ୍ଗଙ୍କ ପୁଅ ଆଶୁତୋଷ ଗମାଙ୍ଗ (୪୦) ନିଖୋଜ ନେଇ ରାୟଗଡ଼ା ଥାନାରେ ଏତଲା ହୋଇଛି। ରାୟଗଡ଼ା ପୁରୁଣା ଏଲଆଇସି କଲୋନିରେ ଆଶୁତୋଷ ସପରିବାର ରହୁଥିଲେ। ଗତ ୮ ତାରିଖ ଭୋର୍ ୫ଟା ପରଠାରୁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ। ପରିବାର ଲୋକଙ୍କ ସମେତ ସଂପର୍କୀୟ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ପତ୍ତା ନ ମିଳିବାରୁ ଆଶୁତୋଷଙ୍କ ପତ୍ନୀ ଭାସାଇ ଶବର ରାୟଗଡ଼ା ଥାନାରେ ଲିଖିତ ଭାବେ ଏତଲା ଦେଇଛନ୍ତି। ଆଶୁତୋଷ କଳାହାଣ୍ଡି ଜିଲ୍ଲା ଓଡ଼ିଶା ରାଜ୍ୟ ପଣ୍ୟଗାର ନିଗମ ସଂସ୍ଥାର କେସିଙ୍ଗା ସ୍ଥିତ ଗୋଦାମରେ ଡିଇଓ ଭାବେ କାର୍ଯ୍ୟରତ ଥିଲେ। ପ୍ରାତଃ ଭ୍ରମଣରେ ଆଶୁତୋଷ ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ।
ଆଶୁତୋଷ ତାଙ୍କ ମୋବାଇଲ ଘରେ ଛାଡି ଦେଇ ଚାଲି ଯାଇଥିବାରୁ ପରିବାର ଲୋକ ଯୋଗାଯୋଗ ମଧ୍ୟ କରିପାରୁନାହାନ୍ତି। ଘଟଣା ପୂର୍ବ ଦିନ ରାତିରେ ଆଶୁତୋଷ ଭବାନିପାଟଣା ମୁଖ୍ୟ କାର୍ଯ୍ୟାଳୟରୁ କାରଣ ଦର୍ଶାଅ ନୋଟିସ୍ ପାଇଥିବାରୁ ତାକୁ ନେଇ ମାନସିକ ଦୁଶ୍ଚିନ୍ତାରେ ଥିଲେ ବୋଲି ପତ୍ନୀ ଭାସାଇ ଶବର ଏତଲାରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଭବାନୀପାଟଣା ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ଆଶୁତୋଷଙ୍କ କେସିଙ୍ଗା ଗୋଦାମକୁ ବଦଳି ପରେ ମାନସିକ ଦୁଶ୍ଚିନ୍ତା ବଢ଼ିଥିବା ପତ୍ନୀ କହିଛନ୍ତି। ସ୍ୱାସ୍ଥ୍ୟବସ୍ଥା ଭଲ ନ ଥିବା ସତ୍ତ୍ବେ ବିଭାଗୀୟ ଅଧିକାରୀ ତାଙ୍କୁ କେସିଙ୍ଗାକୁ ବଦଳି କରିଥିଲେ। ତେଣୁ ମାନସିକ ଭାରସାମ୍ୟ ହରାଇ ଆଶୁତୋଷ କେଉଁ ଆଡେ ଚାଲିଯାଇଥିବା ପତ୍ନୀ କହିଛନ୍ତି। ପୁଲିସ୍ ନିଖୋଜ ଆଶୁତୋଷଙ୍କ ତୁରନ୍ତ ଉଦ୍ଧାର କରିବା ପାଇଁ ପତ୍ନୀଙ୍କ ସମେତ ବାପା ବିଜୟ ଗମାଙ୍ଗ ଦାବି କରିଛନ୍ତି।