ରାୟଗଡା: ଦୃଢ଼ ଇଛାଶକ୍ତି ଆଗରେ ହାର ମାନିଛି ଦାରିଦ୍ର୍ୟାତା। ପାଠ ପଢ଼ିବାର ଇଛାକୁ ନେଇ ବହୁ ଘାତ ପ୍ରତିଘାତ ଅତିକ୍ରମ କରି ଶେଷରେ ଚଳିତ ଦଶମ ପରୀକ୍ଷାରେ ରାୟଗଡ଼ା ଜିଲ୍ଲାର ଚାରି ଜଣ ଟପ୍ପରଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ରହି ନିଜ ସ୍କୁଲକୁ ପରିଚୟ ଦେଇଛନ୍ତି ଜଣେ ଦାଦନ ଶ୍ରମିକଙ୍କ ପୁଅ, ଯାହାକୁ ନେଇ ସ୍କୁଲ ନିଜକୁ ଗୌରବାନ୍ବିତ ମନେ କରିବା ସହ ଉକ୍ତ ଛାତ୍ରକୁ ସମ୍ବର୍ଦ୍ଧିତ କରିଛି। ଛାତ୍ର ଜଣକ ହେଉଛନ୍ତି ବାପି ଗୌଡ଼। ସେ ଚଳିତ ଦଶମ ପରୀକ୍ଷାରେ ୬୦୦ ରୁ ୫୪୭ ମାର୍କ ଆଣିବା ସହିତ ନିଜ ସ୍କୁଲ ‘ଗୋବିନ୍ଦ ଚନ୍ଦ୍ର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ’ର ନାମକୁ ଶୀର୍ଷରେ ପହଚାଂଇ ପାରିଛନ୍ତି।

Advertisment

ବାପି ହେଉଛନ୍ତି ଜଣେ ଦାଦନ ଶ୍ରମିକଙ୍କ ପୁଅ। ତାଙ୍କୁ ପଢାଇବା ପାଇଁ ବାପାଙ୍କ ପାଖରେ ଅର୍ଥ ନଥିଲା। ବାପା ଦିନ ମଜୁରିଆ ଭାବେ କାମ କରି ଯାହା ମିଳେ ସେଥିରେ ନିଜ ୪ ପ୍ରାଣୀ କୁଟୁମ୍ବକୁ ପ୍ରତିପୋଷଣ କରିବା କଷ୍ଟକର ହୋଇପଡୁଥିଲା। ପୁଅକୁ ଆଗକୁ ପଢାଇ ପାରିବେ ନାହିଁ ବୋଲି ହାତ ଟେକିଦେଇଥିଲେ। ତେଣୁ ପରିବାର ଲୋକେ ବାପିଙ୍କୁ ନିଜ ମାଉସୀଙ୍କ ଘରେ ଛାଡି ଦାଦନ ଖଟିବା ପାଇଁ ସୁଦୂର ବାଙ୍ଗାଲୁରୁ ଚାଲିଯାଇଥିଲେ। ବହୁ ଘାତ ପ୍ରତିଘାତ ଅତିକ୍ରମ କରି ବାପି ନିଜ ମାଉସୀଙ୍କ ନିକଟରେ ରହି ସବୁ ଦୁଃଖକୁ ଭୁଲି ପାଠ ପଢିବା ଆରମ୍ଭ କଲେ। ବାପି ପାଠ ପଢ଼ିଲା ବେଳେ ତାଙ୍କ ନିକଟରେ ଚପଲ ଖଣ୍ଡିଏ ମଧ୍ୟ ନଥିଲା। ଖାଲି ପାଦରେ ଚାଲିଲି ପାଠ ପଢ଼ି ସେ ଏହି ସଫଳତା ପାଇପାରିଛନ୍ତି। ଏପରିକି ଦୁଇ ବେଳା ଭଲ ଭାବେ ଅନ୍ୟ ପିଲାଙ୍କ ଭଳି ଖାଦ୍ୟ ଖାଇ ପାଠ ପଢିପାରୁନଥିଲେ, ଯାହା ମିଳିଲା ସେତିକିରେ ସେ ଚଳିଯାଉଥିଲେ।

publive-image

ବହୁ ବର୍ଷ ପରେ ଏହି ସରକାରୀ ସ୍କୁଲକୁ ସଫଳତା ମିଳିଥିବାରୁ ସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷୟତ୍ରୀ, ଶିକ୍ଷକ ଓ କମିଟି ପକ୍ଷରୁ ବାପିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଯାହାକୁ ନେଇ ବିଦ୍ୟାଳୟରେ ଆନନ୍ଦର ଲହରି ଖେଳିଯାଇଛି। ହେଲେ ଆଗକୁ ଜେଇ ଏଟାଂରନ୍ସ ଦେଇ ଜଣେ ଭଲ ଆଇଆଇଟିଆନ୍‌ ହେବାର ଲକ୍ଷ୍ୟ ରଖିଥିବା ବାପି ପ୍ରକାଶ କରିଥିବା ବେଳେ ସରକାରୀ ସାହାଯ୍ୟ ପାଇଁ ଅନୁରୋଧ କରିଛନ୍ତି।

ରାୟଗଡା ଜିଲ୍ଲା ବିଷମକଟକ ବ୍ଳକ ପାଇକ ଡାକୁଲଗୁଡା ଗ୍ରାମରେ ବାସ କରନ୍ତି ବଳରାମ ଗୌଡ। ପରିବାର କହିଲେ ସ୍ତ୍ରୀ, ପୁଅ ଓ ଝିଅ। ସେ ଜଣେ ଦିନ ମଜୁରିଆ ହୋଇଥିବାରୁ ନିଜ ପରିବାର ପ୍ରତିପୋଷଣ କରିବା କଷ୍ଟକର ହୋଇପଡେ। ପୁଅକୁ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ନିଜ ଗାଁରେ ଥିବା ସରକାରୀ ସ୍କୁଲରେ ପଢ଼ାଇଲେ। ଏହାପରେ ପରିବାର ଚଳାଇବା ପାଇଁ ପୁଅର ପାଠ ପଢା ବନ୍ଦ କରି ଦାଦନ ଖଟିବା ପାଇଁ ନିଷ୍ପତ୍ତି ନେଇ ରାୟଗଡାରେ ରହିୁଥିବା ମାଉସୀଙ୍କ ନିକଟରେ ପୁଅ ବାପିକୁ ଛାଡି ଦାଦନ ଖଟିବା ପାଇଁ ବାଙ୍ଗାଲୁରୁ ଚାଲିଯାଇଥିଲେ। ବାପିର ପାଠ ପଡିବାର ଇଛାକୁ ଦେଖି ବାପିକୁ ନେଇ ସରସ୍ବତୀ ଶିଶୁ ମନ୍ଦିରରେ ନାମ ଲେଖାଇଥିଲେ ମାଉସୀ। ତୃତୀୟରୁ ପଚଂମ ପର୍ଯ୍ୟନ୍ତ ପାଠ ପଢ଼ିବା ପରେ ଆଗକୁ ଆହୁରି ଅଧିକ ଅର୍ଥ ଦେଇ ପାଠ ପାଢ଼ାଇବାରେ ଅସମର୍ଥ ଥିଲେ ବାପିଙ୍କ ମାଉସୀ। ତେଣୁ ଆଗକୁ ଆଉ ପାଠ ପଡିବା ପାଇଁ ମନା କରିଦେଲେ ମାଉସୀ।

ଆଗକୁ ପାଠ ପଢ଼ିବାର ଜିଦ୍ ଆଗରେ ଶେଷରେ ମାଉସୀ ବାପିକୁ ନେଇ ସରକାରୀ ସ୍କୁଲ ଗୋବିନ୍ଦ ଚନ୍ଦ୍ର ଦେବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ନାମ ଲେଖାଇଥିଲେ। ସେଠାରେ ସରକାରଙ୍କ ପକ୍ଷରୁ ମିଳୁଥିବା ମାଗଣା ୟୁନିଫର୍ମ ଓ ବହି ପାଇ ପାଠ ପଢିଚାଲିଲେ। ସମସ୍ତ ଦୁଃଖ କଷ୍ଟକୁ ଭୂଲି ଆଗକୁ ବଢିଚାଲିଲେ ବାପି। ଦିନକୁ ୬ ରୁ ୭ ଘଣ୍ଟା ପରିଶ୍ରମ କରି ସେ ଶେଷରେ ଚଳିତ ଦଶମ ପରିକ୍ଷାରେ ଜିଲ୍ଲାର ଟପର ତାଲିକାରେ ଚତୁର୍ଥ ସ୍ଥାନରେ ରହି ନିଜ ବିଦ୍ୟାଲୟର ଟେକ ରଖିପାରିଛନ୍ତି। ଆଗକୁ ଜଣେ ଭଲ ଆଇଆଇଟି ହବା ପାଇଁ ଲକ୍ଷ୍ୟ ରଖିଥିବା ବାପି ସରକାରୀ ସାହାଯ୍ୟ ପାଇଁ ନିବେଦନ କରିଥିବା ବେଳେ, ବାପିଙ୍କ ପାଠ ପଢିବାର ଇଛାକୁ ଦେଖି ରାୟଗଡା ସେଚୁଂରିୟନ ସ୍କୁଲ ଓ ଗାନ୍ଧି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ (ଜିଆଇଟିଏମ୍‌)ର ନିର୍ଦ୍ଦେଶକ ରାଜେଶ କୁମାର ପାଢୀ ମାଗଣାରେ ଯୁକ୍ତ୨ରେ ଦୁଇ ବର୍ଷ ବାପିଙ୍କୁ ପଢାଇବା ସହ ଆଇଆଇଟି କୋଚିଂ ମଧ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଏବେ ସମସ୍ତେ କହୁଛନ୍ତି ପରିଶ୍ରମ ଆଗରେ ଦାରିଦ୍ରତା ହାର ମାନିଛି।