ଆଶ୍ରୟସ୍ଥଳୀରେ ଜମିଦାରଙ୍କ ପୁଅ! ୫୫ ଏକର ଜମି ଥିଲା, କିନ୍ତୁ ଆଜି କିଛି ନାହିଁ

ପୁରୀ : ସେ ଥିଲେ ଜମିଦାର ଘରର ଏକମାତ୍ର ସନ୍ତାନ। ବହୁ ଦିଅଁଦେବତା ପୂଜା କରି ତାଙ୍କୁ ଜନ୍ମ ଦେଇଥିବାରୁ ବାପା ମା’ଙ୍କର ସେ ଥିଲେ ଭାରି ଗେହ୍ଲା। ତେବେ ଏକଦା ବାଇଶିଟି ପଲ୍ଲୀର ଲୋକଙ୍କ ଭଲ ମନ୍ଦ ବୁଝୁଥିବା ଜମିଦାରଙ୍କ ଏହି ଗେହ୍ଲା ପୁଅର ଆଶ୍ରା ଏବେ ପାଲଟିଛି ଆଶ୍ରୟସ୍ଥଳୀ। ଦିନେ ତାଙ୍କ ପରିବାରର ୫୫ ଏକର ଜମି ଥିଲା। କିନ୍ତୁ ଆଜି କିଛି ନାହିଁ। ଧନ, ‌ଯୌବନ ଚିରସ୍ଥାୟୀ ନୁହେଁ। ତାହା ଜମିଦାର ପୁଅ ଗୋକୁଳାନନ୍ଦ ଗଡ଼ନାୟକଙ୍କ ଅସହାୟ ସ୍ଥିତି ଦେ‌ଖିଲେ ସ୍ପଷ୍ଟ ହୋଇପଡ଼େ।

ଗୋକୁଳାନନ୍ଦଙ୍କ ଘର ବାଲେଶ୍ବର ଜିଲ୍ଲା ସୋରସ୍ଥିତ ଜଗନ୍ନାଥପୁର ଅଞ୍ଚଳରେ। ଜମିଦାରୀ ବ୍ୟବସ୍ଥା ପ୍ରଚଳିତ ଥିବା ବେଳେ ଗୋକୁଳାନନ୍ଦଙ୍କ ବାପା ସନାତନ ଗଡ଼ନାୟକ ଥିଲେ ଜଗନ୍ନାଥପୁର ଅଞ୍ଚଳର ଜମିଦାର। ତେବେ ଜମିଦାରୀ ପ୍ରଥା ଉଚ୍ଛେଦ ପରେ ସବୁ ପ୍ରଜାମାନଙ୍କ ହାତକୁ ଚାଲିଗଲା। ଏହାସତ୍ତ୍ବେ ଗୋକୁଳାନନ୍ଦ ବ୍ୟବସାୟ କରି ଭଲ ଆୟ କରୁଥିଲେ। ଗଞ୍ଜେଇ ଓ ଅଫିମ ଦୋକାନ ଦେଇ ସେଥିରୁ ମାସକୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଥିଲେ। ପୁଅକୁ ୧୦ ବର୍ଷ ଓ ଝିଅକୁ ୮ ବର୍ଷ ହୋଇଥିବା ବେଳେ ଗୋକୁଳାନନ୍ଦଙ୍କ ପତ୍ନୀ ଆରପାରିକୁ ଚାଲିଗଲେ। ଏଭଳି ଘଡ଼ିସନ୍ଧି ସମୟରେ ବି ଗୋକୁଳାନନ୍ଦ ଭାଙ୍ଗିନପଡ଼ି ପୁଅ ଓ ଝିଅଙ୍କୁ ଇଂଜିନିୟରିଂ ପଢ଼ାଇ ଉଚ୍ଚ ଶିକ୍ଷିତ କଲେ। ପୁଅ ଇଂଜିନିୟରିଂରେ ଉତ୍ତୀର୍ଣ୍ଣ ହେବା ପରେ ଏବେ କେରଳରେ ଚାକିରି କରିଛି। ଭଲ ରୋଜଗାର ବି କରୁଛନ୍ତି। ମାତ୍ର ବାପା କେମିତି ଅଛନ୍ତି, ଦେଖିବାକୁ କେବେ ତାଙ୍କ ମନ ବଳିନାହିଁ। ନିଜର ଭଲ ରୋଜଗାର ଥିବାବେଳେ ଗୋକୁଳାନନ୍ଦ ଜଣେ ଗରିବ ଝିଅକୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ବାହା କରାଇଥିଲେ। ଜଣେ ରୋଗିଣୀ ବୃଦ୍ଧାଙ୍କ ଦାୟିତ୍ବ ନେଇ ତାଙ୍କର ସେବା ଶୁଶ୍ରୂଷାରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଏହି ଭଳି ସେବା ଭାବନା ପାଇଁ ସେ ସ୍ଥାନୀୟ ଲୋକଙ୍କ ଦ୍ବାରା ପ୍ରଶଂସିତ ହୋଇଥିଲେ। ମାତ୍ର ଏପରି ଖର୍ଚ୍ଚ କରି ଚାଲିବାରୁ ଧୀରେଧୀରେ ତାଙ୍କ ବ୍ୟବସାୟ କମିଆସିଲା। ଏପରି ସ୍ଥିତି ହେଲା ଯେ ଟଙ୍କା ଅଭାବରୁ ତାଙ୍କ ଦୋକାନ ବନ୍ଦ ହୋଇଗଲା।

୫୫ ଏକର ଜମି, ମାସିକ ଲକ୍ଷାଧିକ ଆୟ ଚାଲିଗଲା
ପୁଅ, ଝିଅ ଆରାମରେ ଅଛନ୍ତି, ପଚାରନ୍ତି ନାହିଁ

ଏପରିକି ନିଜର ୮ ବଖରା ଘରକୁ ବି ସେ ସଜାଡ଼ି ପାରିଲେ ନାହିଁ। ଶେଷରେ ତାଙ୍କୁ ଏକ ଚାଳ ଘରେ ମୁଣ୍ଡ ଗୁଞ୍ଜିବାକୁ ପଡ଼ିଲା। ଦିନେ ପାଖରେ ଥିବା ୨ ହଜାର ଟଙ୍କା ଧରି ସେ ଶ୍ରୀକ୍ଷେତ୍ର ଚାଲି ଆସିଥିଲେ। ପୁରୀରେ ମହାପ୍ରଭୁଙ୍କ ଦର୍ଶନ ପରେ ଏଣେତେଣେ ବୁଲୁଥିବା ବେଳେ କିଛି ଦିନ ତଳେ ତାଙ୍କୁ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଉଦ୍ଧାର କରାଯାଇ ଚନ୍ଦନପୁରସ୍ଥିତ ଆଶ୍ରୟସ୍ଥଳୀରେ ରଖାଯାଇଛି। ତେବେ ଗୋକୁଳାନନ୍ଦ ଏ ଦୁର୍ଦ୍ଦଶା ପାଇଁ ବେ‌ଳେବେଳେ ନିଜ ଭାଗ୍ୟକୁ ନିନ୍ଦୁଛନ୍ତି। ଏ ସବୁ ପୂର୍ବ କର୍ମର ଫଳ ବୋଲି କହୁଛନ୍ତି। ସେ କୁହନ୍ତି ଧନ ‌ଯେତେବେଳେ ଆସୁଥିଲା ସୁନା କାଚ ପିନ୍ଧାଇଥିଲା, ଏବେ କିନ୍ତୁ ବିଧବା କରି ଚାଲିଗଲା ଭଳି ସ୍ଥିତି ମୋ ଭାଗ୍ୟରେ ଘଟିଛି।

‘ପୁଅ କେରଳ ଭଳି ଶିକ୍ଷିତ ରାଜ୍ୟରେ ଇଂଜିନିୟର ହୋଇଛି। କିନ୍ତୁ ମୁଁ କାଳେ ତା’ ଆୟ ଉପରେ ନିର୍ଭର କରିବି, ସେଥିପାଇଁ ସେ ମୋତେ ଫୋନ୍‌ କଲ୍‌ଟିଏ ବି କରେନାହିଁ। ଝିଅ ବାହା ହୋଇ ଭୁବନେଶ୍ବର ନୂଆପଲ୍ଲୀରେ ନିଜ ପରିବାର ସହ ରହୁଛି, କିନ୍ତୁ ମୁଁ କେଉଁଠି ରହୁଛି ଏବଂ କେମିତି ଅଛି ‌କେବେ ବି ଜାଣିବାକୁ ଚେଷ୍ଟା କରିନାହିଁ। ଜୀବନ ମୋତେ ଅନେକ କିଛି ଶିଖାଇଛି। ଯୋଉଠି ନିଜ ଲୋକ ‌ନିଜର ହେଲେ ନାହିଁ, ସେତେବେଳେ କାହା ଉପରେ କାହିଁକି ଅଭିମାନ କରିବି? ବରଂ ଏଇଠୁ ସ୍ବର୍ଗଦ୍ବାର ଯିବି,’ ବୋଲି କହିଛନ୍ତି ଗୋକୁଳାନନ୍ଦ।

ସମ୍ବନ୍ଧିତ ଖବର