ପୀଡ଼ିତାଙ୍କୁ ଧମକାଇ ଅଡୁଆରେ ବିଧାୟକଙ୍କ ପୁଅ

ଥାନାରେ ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ଦାବିରେ ବିଜେପି ପ୍ରତିନିଧି ଦଳ ଏସ୍‌ଡିପିଓଙ୍କୁ ଭେଟିଲେ

ଆନନ୍ଦପୁର : ପୁଣି ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ବିରୋଧରେ ଆସିଛି ସଂଗିନ ଅଭିଯୋଗ। ପ୍ରତାରଣାର ଶିକାର ହୋଇଥିବା ଜଣେ ଯୁବତୀଙ୍କୁ ମାମଲା ରଫାଦଫା କରିବାକୁ ଦେବାଶିଷ ଧମକାଇବା ସମୟର ଅଡିଓ ଭାଇରାଲ ପରେ ଘଷିପୁରାରେ ଏହି ଶାସକ ଦଳର ନେତା ଅଡ଼ୁଆରେ ପଡ଼ିଛନ୍ତି। ଗତକାଲି ବିଳମ୍ବିତ ରାତିରେ ପୀଡ଼ିତାଙ୍କ ଘର ଉପରେ ଆକ୍ରମଣ ହୋଇଥିବାବେଳେ ବୁଧବାର ସକାଳୁ ବିଜେପି ପ୍ରତିନିଧି ଦଳ ଏସ୍‌ଡିପିଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଅଭିଯୋଗ ଅନୁସାରେ, ରାମଚନ୍ଦ୍ରପୁର ଥାନା ‌ଅଳତୀ ପଞ୍ଚାୟତ ହରିପୁର ଗ୍ରାମର ବିବାହିତ ଯୁବକ ସୁଜିତ୍ ଜେନା ପଦନପୁର ଗ୍ରାମର ଜଣେ ଯୁବତୀଙ୍କୁ ଗତ ତିନିବର୍ଷ ହେଲା ଭଲ ପାଉଥିଲେ। ସୁଜିତ୍ ନିଜକୁ ଅବିବାହିତ କହି ଯୁବତୀଙ୍କ ସହିତ ସମ୍ପର୍କ ରଖିଥିଲେ। ତେବେ ଗତ ଛଅମାସ ହେଲା ସୁଜିତ୍ ବିବାହ କରିଥିବା ଓ ତାଙ୍କର ପତ୍ନୀ ଓ ଝିଅ ରହିଥିବା ଜାଣିବା ପରେ ଯୁବତୀ ତାଙ୍କଠାରୁ ଦୂରେଇ ଯିବାକୁ ଉଦ୍ୟମ କରିଥିଲେ। ତେବେ ସୁଜିତ୍ ଯୁବତୀଙ୍କୁ ବିଭିନ୍ନ ଉପାୟରେ ହଇରାଣ କରିବା, ଅଶ୍ଳୀଳ ମେସଜ୍ କରିବା, ତାଙ୍କ ପରିବାରକୁ ଜୀବନରେ ମାରିଦେବା ପାଇଁ ବାରମ୍ବାର ଧମକ ଦେଇ ଆସୁଥିଲେ। ସୁଜିତ୍ ବିଜେଡ଼ି ଜିଲ୍ଲା ସମ୍ପାଦକ ତଥା‌ ଘସିପୁରା ବ୍ଳକର ପୂର୍ବତନ ଅଧ୍ୟକ୍ଷ ଦେବାଶିଷ ପାତ୍ରଙ୍କ ପାଖଲୋକ ହୋଇଥିବାରୁ ରାଜନୈତିକ ପ୍ରୋତ୍ସାହନରେ ପୀଡ଼ିତାଙ୍କ ପରିବାର ଉପରେ ବାରମ୍ବାର ଅତ୍ୟାଚାର ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି। ଯୁବତୀ ଜଣକ ସୋମବାର ରାମଚନ୍ଦ୍ରପୁର ଥାନାକୁ ଯାଇ ଏହି ମର୍ମରେ ଏତଲା ଦେଇଥିଲେ।

ଅପରପକ୍ଷରେ ଥାନାରେ ଏତଲା ଦେବାବେଳେ ମଧ୍ୟ ସୁଜିତଙ୍କ ବଡ଼ଭାଇ ଥାନା ପରିସରରେ ପୀଡ଼ିତାଙ୍କ ପରିବାରକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହାପରେ ମଙ୍ଗଳବାର ସକାଳେ ଦେବାଶିଷ ପୀଡ଼ିତାଙ୍କ ଘରକୁ ଯାଇ କେସ୍ ଉଠାଇ ନେବାକୁ ତାଗିଦ୍ କରିବା ସହିତ କେସ୍ ହେଲେ ତୁମ ପରିବାର ପାଇଁ ଅଡୁଆ ବଢିବ ବୋଲି ଧମକ ଦେଇଥିଲେ। ଏହି ବାର୍ତ୍ତାଳାପର ଅଡ଼ିଓ ଭାଇରାଲ ହୋଇଥିଲା। ଅଡିଓ ଭାଇରାଲ ହେବାପରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୩ଟା ବେଳେ କେ‌ତେକ ଗୁଣ୍ଡା ପୁଣି ଖଣ୍ଡା, ଭୁଜାଲିରେ ଘରର କବାଟ ଝରକାକୁ ହାଣିବା ସହିତ ଗାଳିଗୁଲଜ ଓ ଧମକ ମଧ୍ୟ ଦେଇଥିଲେ। ଆକ୍ରମଣ ସମ୍ପର୍କରେ ମଧ୍ୟ ଆଜି ଥାନାରେ ଏତଲା ଦାୟର ‌ହୋଇଛି। ଆକ୍ରମଣ ପଛରେ ଦେବାଶିଷଙ୍କ ହାତ ରହିଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି। ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୃଥ୍ବୀରାଜ କୁଅଁର ବିଜେଡ଼ି ନେତାଙ୍କ ଏଭଳି କାର୍ଯ୍ୟକଳାପକୁ ଦୃଢ ନିନ୍ଦା କରିବା ସହିତ ତୁରନ୍ତ ହସ୍ତକ୍ଷେପ କରିବାକୁ କେନ୍ଦୁଝର ଏସପିଙ୍କୁ ପତ୍ର ଦ୍ବାରା ଅବଗତ କରିଛନ୍ତି। ତେବେ ଏହି ମାମଲା ସଂପର୍କରେ ରାମଚନ୍ଦ୍ରପୁର ଥାନା ଅଧିକାରୀ ବନ୍ଦନା ପାତ୍ର କହିଛନ୍ତି, ସଂପୃକ୍ତ ଯୁବତୀଙ୍କ ଅଭିଯୋଗ ପାଇଛୁ। ଅଭିଯୋଗ ଆଧାରରେ ମାମଲା ରୁଜ ହୋଇଛି।

ସମ୍ବନ୍ଧିତ ଖବର