ପୁଅ ଗୋଡ଼ରେ ବେଡ଼ି: ଘର ଚଳାଇବା ଓ ପୁଅର ଚିକିତ୍ସା ଚିନ୍ତାରେ ଘାରି ହେଉଛନ୍ତି ସୁନି

ନୀଳଗିରି: ହୃଦୟକୁ ପଥର କରି ଭେଣ୍ଡିଆ ପୁଅ ଗୋଡ଼ରେ ବେଡ଼ି ପକାଇଦେଇଛି ମାଆ। ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ନୀଳଗିରି ଏନ୍‌ଏସି ଅଧୀନ ୧୨ ନଂ. ୱାର୍ଡ ଡାହାଣୀମରା ଗ୍ରାମରେ।

ଡାହାଣୀମରା ଗ୍ରାମରେ ରହନ୍ତି ସୁନି ସିଂ। ବୟସ ୪୮ ବର୍ଷ ହେବ। ୨୦ ବର୍ଷ ତଳେ ସେ ସ୍ବାମୀଙ୍କୁ ହରାଇଥିଲେ। ଦୁଇ ପୁଅ ବାପ ଛେଉଣ୍ଡ ହୋଇଗଲେ। ସୁନି ବହୁ କଷ୍ଟରେ ପୁଅଙ୍କୁ ଲାଳନପାଳନ କଲେ। ଅର୍ଥ ପାଇଁ ପର ଘରେ ଆଉ ପଥର ଖଣିରେ କାମ କଲେ। ଭାବିଥିଲେ ବଡ଼ପୁଅ ବୁଝିବାର ହେଲେ ତାଙ୍କ କାନ୍ଧରେ କାନ୍ଧ ମିଶାଇବ। ଅର୍ଥ ରୋଜଗାର କରି ଘର ଚଳାଇବାରେ ଯୋଗଦାନ ଦେବ। ହେଲେ ତାଙ୍କର ସବୁ ସ୍ବପ୍ନ ସ୍ବପ୍ନରେ ରହିଗଲା। ସ୍ବାମୀଙ୍କୁ ହରାଇବାର ଦୁଃଖ ଭୁଲି ନଥିବା ବେଳେ ବଡ଼ପୁଅ ଉମାଶଙ୍କର ଦିବ୍ୟାଙ୍ଗ ପାଟିଗଲେ। କଥା କହିପାରିଲେନି। ମାନସିକ ସ୍ଥିତି ଭଲ ରହିଲାନି।

ଏବେ ତାଙ୍କ ବୟସ ୨୫ ବର୍ଷ। ଉମାଶଙ୍କର ଧୀରେ ଧୀରେ ଗାଁ ଲୋକଙ୍କୁ ଆକ୍ରମଣ କରିବା ଆରମ୍ଭ କଲେ। ଫଳରେ ସୁନି ଛାତିରେ ପଥର ରଖି ଏବେ ପୁଅର ଗୋଡ଼କୁ ଲୁହାର ଶିକୁଳିରେ ବାନ୍ଧି ରଖିଛନ୍ତି। ଗାଧୋଇବା ଓ ଝାଡ଼ା ଯିବା ସମୟକୁ ଛାଡ଼ି ଦେଲେ ବାକି ସମୟ ଉମାଶଙ୍କରଙ୍କ ଗୋଡ଼ରେ ଶିକୁଳି ପଡ଼ିଥାଏ। ମୂଲ ଲାଗି ଯାହା ରୋଜଗାର ହେଉଛି ଏବଂ ଯାହା ବିଧବା ଭତ୍ତା ମିଳୁଛି, ସେଥିରେ ଯେନତେନ ଘର ଚଳୁଛି। ବାରିପଦା ସ୍ବୟଂଶାସିତ ମହାବିଦ୍ୟାଳୟ ପଢ଼ୁଥିବା ସାନପୁଅ ପାଇଁ ଖର୍ଚ୍ଚ ହେଉଛି। ଏମିତି ବି ସମୟ ଆସୁଛି, ଓଳିଏ ଖାଇଲେ ଆର ଓଳି ଉପାସ ରହିବାକୁ ପଡ଼ୁଛି। ଉମାଶଙ୍କରଙ୍କୁ ଦିବ୍ୟାଙ୍ଗ ଭତ୍ତା ମିଳୁନି। ଅର୍ଥ ନଥିବାରୁ ସୁନି ଭଙ୍ଗାଘର ମରାମତି କରିପାରୁ ନାହାନ୍ତି। ବର୍ଷା ହେଲେ କଣା ଛାତରୁ ଘର ସାରା ପାଣି ପଡ଼ୁଛି। ଏପରି ସମୟରେ ପୁଅର ଚିକିତ୍ସା କେମିତି କରିବି ବୋଲି କହି ଆଖିରୁ ଲୁହ ଗଡ଼ାଉଛନ୍ତି ସୁନି।

ତେବେ ଏନେଇ ନୀଳଗିରି ଏପ୍‌ଏସି ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ପ୍ରତିକ୍ରିୟା ‌ନିଆଯାଇଥିଲା। ସେ ସୁନିଙ୍କ ଦୁଃଖ ସମ୍ପର୍କରେ ଅବଗତ ନଥିଲେ। ଏବେ ସମସ୍ତ ଘଟଣା ଜାଣିଲେ। ସେ ସୁନିଙ୍କ ଘରକୁ ଯିବେ। ତାଙ୍କ ଦ୍ବାରା ଯାହା ସମ୍ଭବ ହୋଇପାରିବ, ତାହା କରିବେ। ସରକାରଙ୍କ ଯୋଜନା ଅନୁସାରେ ମିଳିବାକୁ ଥିବା ସବୁ ସାହାଯ୍ୟ ଯୋଗାଯିବାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର