ଗୁଣପୁର : ରାୟଗଡ଼ା ଜିଲ୍ଲା ପୁଟାସିଂ ଥାନା ଅନ୍ତର୍ଗତ ଗୁଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ପୁଅର ଗୁଳିମାଡ଼ରେ ବାପାର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର କାନ୍ତିନ ଦଳବେହେରା (୬୦)।
ଗତକାଲି ରାତିରେ ମୃତକ କାନ୍ତିନ ଦଳବେହେରା ଓ ପୁଅ ମେଜ ଦଳବେହେରାଙ୍କ ମଧ୍ୟରେ କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗିଯାଇ ପୁଅ ଘରେ ଥିବା ଦେଶୀବନ୍ଧୁକରେ ବାପାକୁ ଗୁଳି କରିଥିଲା। ଫଳରେ, ଘଟଣାସ୍ଥଳରେ ହିଁ କାନ୍ତିନ ଟଳି ପଡ଼ିଥିଲେ ବୋଲି ଏସ୍ଡିପିଓ ଆକାଶ ଚନ୍ଦ୍ର ସାହୁ ସୂଚନା ଦେଇଛନ୍ତି।
ଖବର ପାଇ ଗୁଣପୁର ଓ ପୁଟାସିଂ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି। ଏଥିସହିତ, ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରାଉଚରା କରିବାସହ ଦେଶୀ ବନ୍ଧୁକ ଜବତ କରିଛି। ପୁଟାସିଂ ଥାନାରେ କେସ୍ ନଂ-୩/୨୩ ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।