ଚିକିତ୍ସା ପାଇଁ ଅର୍ଥ ବାଧକ,ମରଣ ସହ ଲଢ଼ୁଛି ଭେଣ୍ଡିଆ ପୁଅ

ଜଳେଶ୍ବର: ଜଳେଶ୍ବର ମ୍ୟୁନିସିପାଲିଟି ଅଧୀନସ୍ଥ ୩ ନମ୍ବର ୱାର୍ଡର ବିନୋଦ ନାୟକ ନାମକ ଜଣେ ଯୁବକ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଅବସ୍ଥାରେ ରହିଥିବା ବେଳେ ତାଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଛି। ପୁଅର ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇବାକୁ ତାଙ୍କ ମାଆ ଆକୁଳ ନିବେଦନ କରିଛନ୍ତି।

ସୂଚନା ଅନୁସାରେ, ସ୍ବର୍ଗତ ନାନୁ ନାୟକଙ୍କ ବଡ଼ପୁଅ ବିନୋଦ ନାୟକ ଏକ ଲେଦରେ ଦିନମଜୁରିଆ ଭାବେ କାର୍ଯ୍ୟ କରୁଥିଲେ। ଗତ ମେ ମାସ ୧୦ ତାରିଖରେ ବିନୋଦ ନିଜ ସାନଭାଇ କ୍ଷୀରୋଦ ସହ ବାଇକରେ ବାରିପଦାର ନିଜର ଜଣେ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟରେ ଯୋଗ ଦେବାକୁ ଯାଇଥିଲେ। ସେଠାରୁ ରାତିରେ ଫେରିବା ବେଳେ ଏକ ହମ୍ପସ୍ ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ବିନୋଦ ବାଇକ ପଛରେ ବସିଥିବା ବେଳେ ତଳକୁ ଖସି ପଡ଼ିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାରିପଦା ଓ ସେଠାରୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନା ନିଆଯାଇଥିଲା। ବିନୋଦ ବିଏସକେ (ବିଜୁ ସ୍ବାସ୍ଥ୍ୟ କଲ୍ୟାଣ) ଯୋଜନାରେ ଚିକିତ୍ସିତ ହୋଇଥିଲେ। ହେଲେ ସେହି ଡାକ୍ତରଖାନାରେ ଦିନ କେଇଟା ତାଙ୍କର ଚିକିତ୍ସା କରାଯିବା ପରେ ଉକ୍ତ କାର୍ଡରେ ସରକାର ଯୋଗାଉଥିବା ଧାର୍ଯ୍ୟ ଅର୍ଥ ଖର୍ଚ୍ଚ ହୋଇସାରିଛି ବୋଲି ନର୍ସିଂହୋମ କର୍ତ୍ତୃପକ୍ଷ କହିବା ସହ ଜୋରଜବରଦସ୍ତ ତାଙ୍କୁ ଡିସଚାର୍ଜ କରିଦେଲେ ବୋଲି ପରିବାର ଲୋକେ ପ୍ରକାଶ କରିଛନ୍ତି।

ଶେଷରେ ଉପାୟଶୂନ୍ୟ ହୋଇ ପରିବାର ଲୋକେ ଆଉ ଏକ ଘରୋଇ ନର୍ସିଂହୋମରେ ବିନୋଦଙ୍କୁ ଭର୍ତ୍ତି କରିଥିବା ବେଳେ ସେଠାରେ ଦୁଇ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇ ସାରିଲାଣି। ଆଉ ଚିକିତ୍ସା ପାଇଁ ପରିବାର ପାଖରେ ସମ୍ବଳ ନାହିଁ। ବିନୋଦଙ୍କ ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେବାକୁ ବଦାନ୍ୟ ବ୍ୟକ୍ତି ଓ ଅନୁଷ୍ଠାନମାନଙ୍କୁ ବିନୋଦଙ୍କ ମାଆ ଓ ଭାଇ ଆକୁଳ ନିବେଦନ କରିଛନ୍ତି। ସହାୟତା ମିଳିଲେ ଜୀବନ ବଞ୍ଚିଯିବ ବୋଲି ସେମାନେ କହିଛନ୍ତି।

ସମ୍ବନ୍ଧିତ ଖବର