ବାସ ଖୋଜୁଛନ୍ତି ଭୂଦାନ ଆନ୍ଦୋଳନର ସଂଗ୍ରାମୀ : ଭତ୍ତା ନେଇଯାଉଛି ପୁଅ, ହେଲେ ପାଖରେ ରଖୁନି

ପୁରୁଣା ଭୁବନେଶ୍ୱର : ଘର ଅଛି, ସ୍ବାଧୀନତା ସଂଗ୍ରାମୀ ବୋଲି ଭତ୍ତା ବି ମିଳୁଛି। ୨ ପୁଅ ଓ ଗୋଟିଏ ଝିଅ ବି ଅଛନ୍ତି, ହେଲେ ୯୫ ବର୍ଷ ବୟସରେ ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ଖୋଜୁଛନ୍ତି। ଭତ୍ତା ଟଙ୍କାକୁ ପୁଅ ନେଇ ଯାଉଛି ହେଲେ ପାଖରେ ରଖୁନାହିଁ ବୋଲି ଦୁଃଖ ଓ କ୍ଷୋଭର ସହିତ କହିଛନ୍ତି ସ୍ବାଧୀନତା ସଂଗ୍ରାମୀ ତଥା ଭୂଦାନ ଆନ୍ଦୋଳନର ଅଂଶୀଦାର ରାଜକିଶୋର ମହାନ୍ତି। ଘର କାକଟପୁରସ୍ଥିତ କନ୍ଦଳପୁର ଗ୍ରାମରେ।

ଦେଶକୁ ପରାଧୀନତାରୁ ମୁକ୍ତି ପାଇଁ ସ୍ବାଧୀନତା ସଂଗ୍ରାମରେ ସେ ସାଜିଥିଲେ ସୈନିକ। ସବୁ ସୁଖ ସ୍ବାଚ୍ଛନ୍ଦ୍ୟକୁ ଜଳାଞ୍ଜଳି ଦେଇଥିଲେ। ମାତ୍ର ତାଙ୍କ ସଂଗ୍ରାମୀ ଜୀବନର ସ୍ବୀକୃତି ସ୍ବରୂପ ଏବେ ନିଜ ଦେଶରେ ରହିବାକୁ ସେ ଜାଗା ଖୋଜୁଛନ୍ତି। ପରିବାର ଦ୍ବାରା ପ୍ରତାରିତ ହେବା ପରେ ଏବେ କୋଉଠି ରହିବେ ସେନେଇ ଭାଳି ହେଉଛନ୍ତି। ଆଜି ସନ୍ଧ୍ୟାରେ କଳ୍ପନା ଛକରେ ଏଣେତେଣେ ବୁଲିବା ବେଳେ କିଛି ସମାଜସେବୀ ତାଙ୍କୁ ଉଦ୍ଧାର କରିଛନ୍ତି।

ଦୁଃଖ ଏୟା ଯେ, ସେ ସ୍ବାଧୀନତା ସଂଗ୍ରାମୀ ବାବଦ ଭତ୍ତା ୯ ହଜାର ଟଙ୍କା ପାଉଛନ୍ତି। କିନ୍ତୁ ଏହାକୁ ବଡ଼ପୁଅ ନେଇ ଯାଉଛି। ବଡ଼ପୁଅ ସାମନ୍ତରାପୁରରେ ଶ୍ବଶୁର ଘରେ ରହୁଥିବା ବେଳେ ସାନପୁଅ ପଣ୍ଡିଚେରୀରେ ରହୁଛନ୍ତି। ଗୋଟେ ଝିଅକୁ ବାହା ଦେଇସାରିଛନ୍ତି। କିନ୍ତୁ ଏବେ ତାଙ୍କୁ କେହି ରଖୁନାହାନ୍ତି ବୋଲି ସେ କହିଛନ୍ତି। ଶ୍ରୀ ମହାନ୍ତି ୧୯୩୮ ମସିହାରୁ ୧୯୪୭ ପର୍ଯ୍ୟନ୍ତ ସ୍ବାଧୀନତା ସଂଗ୍ରାମର ସକ୍ରିୟ ଥିଲେ। ୧୯୪୨ ସେପ୍ଟେମ୍ବର ୧୬ ତାରିଖ ନିମାପଡ଼ା ଗୁଳିକାଣ୍ଡ ବେଳେ ସୁରେନ୍ଦ୍ରନାଥ ଦ୍ବିବେଦୀ, ମୋହନ ଦାଶ, ଯଦୁମଣି ଜେନା, ବାଙ୍କ ବିହାରୀ ଦାସଙ୍କ ସହଯୋଗୀ ଭାବେ ସାମିଲ୍‌ ଥିଲେ। ଭୂଦାନ ଆନ୍ଦୋଳନରେ ଅଂଶୀଦାର ଥିବା ଶ୍ରୀ ମହାନ୍ତି କିନ୍ତୁ ଆଜି ନିଜ ପାଇଁ ଭୂମି ଖଣ୍ଡେ ଯୋଗାଡ଼ି ପାରିନାହାନ୍ତି।

ଦେଶ ପାଇଁ ସେ କାନ୍ଦୁଥିଲେ। ଅଥଚ ତାଙ୍କ ପାଇଁ ଆଜି କାନ୍ଦିବାକୁ କେହି ନାହିଁ। ଦିନ‌ କେଇଟା ପରେ ସମଗ୍ର ଦେଶରେ ସାଧାରଣତନ୍ତ୍ର ଦିବସ ପାଳନ ହେବ। ମାତ୍ର ତାଙ୍କ ଭଳି ସଂଗ୍ରାମୀମାନେ ବୋଧେ ଜିଇଁଥିବା ଯାଏଁ ଏମିତି ସଂଘର୍ଷ କରୁଥିବେ।

ସମ୍ବନ୍ଧିତ ଖବର