ଝାରସୁଗୁଡ଼ା: ନବ ଦାସଙ୍କ ହତ୍ୟା ଘଟଣାକୁ ୮ ଦିନ ବିତିଯାଇଛି। ଝାରସୁଗୁଡ଼ା ସହର ସମତେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ବହୁ ସଂଗଠନ ପକ୍ଷରୁ ଶୋକସଭାମାନ ଆୟୋଜିତ ହେଉଥିବା ବେଳେ ବୈଦିକ ରୀତିନୀତି ଅନୁଯାୟୀ ଶୁଦ୍ଧିକ୍ରିୟା ମଧ୍ୟ ନବଙ୍କ ସରବାହାଲସ୍ଥିତ ବାସଭବନରେ ଅନୁଷ୍ଠିତ ହେଉଛି। ଆସନ୍ତା ୭ ତାରିଖ ଦିନ ଦଶାହ, ୮ ତାରିଖରେ ଏକାଦଶାହ ଓ ୯ ତାରିଖରେ ଦ୍ବାଦଶାହ ପାଇଁ ବ୍ୟାପକ ଆୟୋଜନ କରାଯାଇଛି। ବିଶେଷ କରି ଦ୍ବାଦଶାହ କାର୍ଯ୍ୟରେ ସ୍ବର୍ଗତ ଦାସଙ୍କ ନିର୍ବାଚନମଣ୍ଡଳୀ, ନିଜ ଘର ସମ୍ବଲପୁର ଜିଲ୍ଲା ସମେତ ସାରା ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଲୋକଙ୍କ ସମାଗମ ହେବାକୁ ଥିବାରୁ ଏଥିପାଇଁ ସରବାହାଲ ହାଇସ୍କୁଲ ପଡ଼ିଆଠାରେ ବ୍ୟାପକ ବ୍ୟବସ୍ଥା କରାଯାଉଛି। ଏଥିରେ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ସମସ୍ତ ବିଧାୟକ, ବହୁ ପଦସ୍ଥ ଅଧିକାରୀଙ୍କ ସମେତ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଓ ପରିବାର ବର୍ଗ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
ପଡ଼ିଆରେ ବହୁ ଭିଭିଆଇପି ଓ ଭିଆଇପି ଯୋଗ ଦେବାକୁ ଥିବାରୁ ସେହି ଅନୁଯାୟୀ ଟେଣ୍ଟ କାମ ଆରମ୍ଭ ହୋଇଛି। ଏଥିପାଇଁ ରାୟପୁର ଓ ରାୟଗଡ଼ାରୁ ଟେଣ୍ଟହାଉସ ଆସି କାମ ଆରମ୍ଭ କରିଛନ୍ତି। ନବଙ୍କ ସରବାହାଲସ୍ଥିତ ବାସଭବନକୁ ଲୋକଙ୍କ ସୁଅ ଛୁଟୁଛି। ବହୁ ମନ୍ତ୍ରୀ, ବିଧାୟକ ଓ ସାଂସଦ ତାଙ୍କ ବାସଭବନକୁ ଯାଇ ପୁଅ ବିଶାଳ, ଝିଅ ଦୀପାଳିଙ୍କୁ ଭେଟି ସାନ୍ତ୍ବନା ଦେଉଥିବା ଦେଖାଯାଉଛି। ବିଜେଡି ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ପରିବାର ଲୋକଙ୍କୁ ସମବେଦନା ଦେଇ ଫେରି ଯାଇଥିବା ବେଳେ ସୋମବାର ପୁଣି ଝାରସୁଗୁଡ଼ା ଆସି ଦ୍ବାଦଶାହ କାର୍ଯ୍ୟକ୍ରମର ବ୍ୟବସ୍ଥା ନେଇ ସରବାହାଲ ହାଇସ୍କୁଲଠାରେ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ଶାସକ ଓ ବିରୋଧୀ ଉଭୟ ଦଳର ନେତା ଆସିବାକୁ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ନେଇ ମଧ୍ୟ ଶୁଣିବାକୁ ମିଳୁଛି। ରବିବାର ଅପରାହ୍ଣ ୩ ଟାରେ ସ୍ବର୍ଗତ ଦାସଙ୍କ ପୁତ୍ର ବିଶାଳ ବିମାନ ଯୋଗେ ପିତାଙ୍କ ଅସ୍ଥି ନେଇ ପ୍ରୟାଗରାଜ ଯାତ୍ରା କରିଛନ୍ତି। ସୋମବାର ଓ ମଙ୍ଗଳବାର ପ୍ରୟାଗରାଜଠାରେ ଗଙ୍ଗା ନଦୀରେ ତାଙ୍କ ଅସ୍ଥି ବିସର୍ଜନ କାର୍ଯ୍ୟକ୍ରମ ରହିଛି। ତାଙ୍କ ସହିତ ତାଙ୍କର କିଛି ବନ୍ଧୁ ଓ ପରିବାର ସଦସ୍ୟ ମଧ୍ୟ ଯାଇଥିବା ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/14-4.jpg)