ଭୁବନେଶ୍ବର: ବିଧାୟକ ସୁରେଶ ରାଉତରାୟଙ୍କ ସାନପୁଅ ମନ୍ମଥ ରାଉତରାୟ ଗତକାଲି କଂଗ୍ରେସ ଟିକେଟ୍‌ରୁ ଆଗାମୀ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲେ। ମନ୍ମଥଙ୍କ ଏହି ପ୍ରତିକ୍ରିୟାକୁ ୨୪ଘଣ୍ଟା ବିତି ନଥିବା ବେଳେ ଆଜି ବାପା ସୁରେଶ ତାଙ୍କ ସାନ ପୁଅ କଂଗ୍ରେସରୁ ଅଲବତ ଲଢ଼ିବ ବୋଲି କହିଛନ୍ତି। ତାହା ବି ଜଟଣୀ ଆସନରୁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସୁର କହିଛନ୍ତି ଯେ ଆଗାମୀ ନିର୍ବାଚନରେ ମୁଁ ଲଢ଼ିବିନି। ଜଟଣୀରେ ସାନ ପୁଅ ମନ୍ମଥ ଲଢ଼ିବ। ସାନପୁଅକୁ ଏବେ ଉଭୟ ବିଜେଡି ଓ ବିଜେପି ନିଜ ଦଳରେ ସାମିଲ କରିବାକୁ ଉଦ୍ୟମ କରୁଛନ୍ତି। ପ୍ରତ୍ୟକ୍ଷ ରାଜନୀତିରେ ସାନ ପୁଅର ସେତେଟା ଅଭିଜ୍ଞତା ନାହିଁ। ତେଣୁ ଚପଳା ମନରେ କଂଗ୍ରେସରୁ ଲଢ଼ିବାକୁ ମନା କରିଦେଇଛି। କିନ୍ତୁ ସେ କଂଗ୍ରେସରୁ ଅଲବତ ଲଢ଼ିବ। ଜଟଣୀରେ ତାକୁ ଜିତେଇବାକୁ ଜଟଣୀବାସୀ ଓ ମୁଁ ଦାୟିତ୍ବ ନେବୁ। ମୁଁ ତାଙ୍କୁ ହ୍ବିପ୍ କରିବି। ତେବେ ସେ ଯେଉଁ ପ୍ରତିକ୍ରିୟା ରଖିଛି ତାହା ପାଇଁ ଏଆଇସିସି କାର୍ଯ୍ୟାନୁଷ୍ଠାନ ନେଲେ ମୋର ଆପତ୍ତି ନାହିଁ। ‌ଲୋକଙ୍କ କାମ କରିବାକୁ କହିଛି। ମୋର ବିଶ୍ବାସ ପୁଅ ମୋ କଥା ନିଶ୍ଚୟ ରଖିବ ଓ ଠିକ୍ ସମୟରେ ଆସି କଂଗ୍ରେସରୁ ନାମାଙ୍କନପତ୍ର ଦାଖଲ କରିବ।

Advertisment

ଉଲ୍ଲେଖ ଯେ ଗତକାଲି ମନ୍ମଥ ରାଉତରାୟ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ ଆଗାମୀ ୨୦୨୪ ନିର୍ବାଚନ କଂଗ୍ରେସ ଟିକେଟରୁ ଲଢ଼ିବେ ନାହିଁ ବୋଲି କହିଥିଲେ। ତାଙ୍କ ଟିମ୍ କରିଥିବା ସର୍ଭେରେ ଜଟଣୀବାସୀ ତାଙ୍କୁ ବିଧାୟକ ଭାବେ ଦେଖିବାକୁ ଚାହୁଁଥିଲେ ‌ହେଁ କଂଗ୍ରେସ ଟିକେଟରୁ ନ ଲଢ଼ିବା ପାଇଁ ଚାହୁଁଛନ୍ତି। ହେଲେ ଆସନ୍ତା ଅକ୍ଟୋବର ମାସରେ ତାଙ୍କର ପରବର୍ତୀ ପଦକ୍ଷେପ ସଂପର୍କରେ ଘୋଷଣା କରିବେ ବୋଲି ମନ୍ମଥ କହିଥିଲେ।