ସୋନାଲ ମାନସିଂହ। ଶାସ୍ତ୍ରୀୟ ନୃତ୍ୟ ଜଗତରେ ବେଶ୍ ଜଣାଶୁଣା ନାମ। ଭାରତନାଟ୍ୟମ ଓ ଓଡ଼ିଶୀରେ ବେଶ୍ ପ୍ରସିଦ୍ଧି ହାସଲ କରିଥିବା ଏହି ନୃତ୍ୟଶିଳ୍ପୀ ପଦ୍ମଭୂଷଣ ଓ ପଦ୍ମବିଭୂଷଣ ପରି ମର୍ଯ୍ୟାଦାଜନକ ସମ୍ମାନ ପାଇଛନ୍ତି। ଶ୍ରୀମତୀ ମାନସିଂହ ଓଡ଼ିଶାର ବୋହୂ ହୋଇଥିବାରୁ ତାଙ୍କର ରାଜ୍ୟସଭାକୁ ମନୋନୀତ ହେବା ରାଜ୍ୟ ପାଇଁ ଗୌରବ ଆଣି ଦେଇଛି। ଆଜି ଏହା ଜଣାପଡ଼ିବା ପରେ ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନରେ ଗଣମାଧ୍ୟମର ପ୍ରତିନିଧିଙ୍କ ଭିଡ଼ ଜମିଥିଲା। ଗଣମାଧ୍ୟମର ପ୍ରଶ୍ନରେ ଶ୍ରୀମତୀ ମାନସିଂହ ଦେଇଥିବା ଉତ୍ତରକୁ ନେଇ ନଇମ୍ ଅଖତାରଙ୍କ ଉପସ୍ଥାପନା...।
ରାଜ୍ୟସଭାକୁ ମନୋନୀତ ହେଲା ପରେ କିପରି ଅନୁଭବ ହେଉଛି ?
ମୋତେ ମନୋନୀତ କରିଥିବାରୁ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଏହା ନିଶ୍ଚିତ ଭାବେ ଗୌରବର ବିଷୟ। କଳାକୁ ସ୍ୱୀକୃତି ଓ ସମ୍ମାନ ମିଳିଛି।
ରଥଯାତ୍ରାରେ ଏପରି ଶୁଭ ଖବର ଶୁଣି କିପରି ଲାଗିଲା ?
ଏହା ଏକ ଅଭୂତପୂର୍ବ ସଂଯୋଗ ଏବଂ ଶୁଭ ସଙ୍କେତ। ଦେଶରେ କଳା ଓ ସଂସ୍କୃତିର କିଭଳି ସାମଗ୍ରିକ ବିକାଶ ହୋଇପାରିବ, ଜଣେ ରାଜ୍ୟସଭା ସଦସ୍ୟ ଭାବେ ମୁଁ ଅଗ୍ରାଧିକାର ଦେବି।
ପୂର୍ବରୁ ଅଭିନେତ୍ରୀ ରେଖା ଓ କ୍ରିକେଟର ସଚ୍ଚିନ ତେନ୍ଦୁଲକରଙ୍କ ଭଳି ସେଲିବ୍ରିଟିଙ୍କର ରାଜ୍ୟସଭାରେ ପ୍ରଦର୍ଶନ ଓ ଉପସ୍ଥାନ ସନ୍ତୋଷଜନକ ନ ଥିବା ବେଳେ ଆପଣ କିଭଳି ଏହି ଟ୍ରେଣ୍ଡ୍ ବନ୍ଦ କରିବେ?
ମୁଁ ସେଲିବ୍ରିଟି ନୁହେଁ, ମୁଁ ଜଣେ କଳାକାର। ଗ୍ଲାମର, ଅର୍ଥ ଓ ପ୍ରସିଦ୍ଧି ମୋର କ୍ଷେତ୍ର ନୁହଁ। ତେବେ ମୁଁ ଅତି ସମ୍ମାନର ସହ କହୁଛି ଯେ ରାଜ୍ୟସଭାରେ ମୁଁ ଅଧିକରୁ ଅଧିକ ସମୟ ଦେବା ପାଇଁ ଚେଷ୍ଟା କରିବି। ରାଜ୍ୟସଭାରେ ବସିବି, ଦେଖିବି, ଶୁଣିବି, ଜାଣିବି, ପଚାରିବି ଓ ବଡ଼ ଲୋକମାନଙ୍କ ମାର୍ଗଦର୍ଶନ ନେବି। ଅନେକ କଥା ମୋତେ ବୁଝିବାକୁ ପଡ଼ିବ।
ବିଜେପି ସହ ନିବିଡ଼ତା ଯୋଗୁଁ ରାଜ୍ୟସଭା ପାଇଁ ଆପଣଙ୍କୁ ମନୋନୀତ କରାଯାଇଛି କି ?
ମୁଁ କୌଣସି ରାଜନୈତିକ ଦଳର ସଦସ୍ୟ ନୁହେଁ। ଦୀର୍ଘ ଦିନ ଧରି କଳା କ୍ଷେତ୍ରରେ ଅହରହ ସେବା କରି ଚାଲିଛି। ତେଣୁ ଲୋକମାନେ କ’ଣ କହିବେ, ଏସେିରେ ମୁଁ କ’ଣ କରିପାରିବି।
ଓଡ଼ିଶା ପାଇଁ ଆପଣଙ୍କ ପ୍ରାଥମିକତା ରହିବ କି ?
ଓଡ଼ିଶା ପାଇଁ କାହିଁକି ପ୍ରାଥମିକତା ରହିବ ? ମୁଁ କ’ଣ ଓଡ଼ିଶାକୁ ପ୍ରତିନିଧିତ୍ୱ କରୁଛି କି ? ମୁଁ ଲୋକସଭାରେ ଓଡ଼ିଶା ସଂସଦୀୟ କ୍ଷେତ୍ରରୁ ଅଛି କି ? ନାହିଁ ତ। ମୁଁ ଜଣେ କଳାକାର। କଳାକାର ଭାବେ ମୁଁ ସର୍ବଭାରତୀୟ ସ୍ତରରେ ପ୍ରତିନିଧିତ୍ୱ କରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/SONAL_MANSINGH-photo.jpg)